ମହାନ ଟେନିସ ଖେଳାଳି ରୋଜର ଫେଡେରରଙ୍କ ଅବସର

ନୂଆଦିଲ୍ଲୀ: ମହାନ ଟେନିସ ଖେଳାଳି ତଥା ୨୦ ଗ୍ରାଣ୍ଡସ୍ଲାମର ବିଜେତା ରୋଜର ଫେଡେରର  ଅବସର ଘୋଷଣା କରିଛନ୍ତି। ଆସନ୍ତା ସପ୍ତାହରୁ ଆରମ୍ଭ ହେଉଥିବା ଲାଭର କପ୍ ଫେଡେରରଙ୍କ ଶେଷ ଟୁର୍ଣ୍ଣାମେଣ୍ଟ ହେବ | ଏକ ଭାବପ୍ରବଣ ସୋସିଆଲ ମିଡ଼ିଆ ପୋଷ୍ଟ ସହ ଫେଡେରର ନିଜ ଅବସର ସମ୍ପର୍କରେ ଘୋଷଣା କରିଛନ୍ତି । ଦୀର୍ଘ ଦିନ ଧରି ଆଣ୍ଠୁ ସମସ୍ୟା ଯୋଗୁଁ  ଏହି ଟେନିସ ସୁପରଷ୍ଟାର ଗତ ଦୁଇ ବର୍ଷରେ କ୍ଵଚିତ ମ୍ୟାଚ୍ ଖେଳିଥିଲେ ।  ଅସ୍ତ୍ରୋପଚାର ପରଠାରୁ ସେ ଆଉ ଟେନିସ କୋର୍ଟକୁ ଫେରି ପାରି ନଥିଲେ। ୪୧ ବର୍ଷୀୟ ଏହି ମହାନ ଖେଳାଳିଙ୍କ ଅବସର ଘୋଷଣା ସହ ଟେନିସରେ ଏକ ଯୁଗ ଶେଷ ହୋଇଛି ।

ବହୁ ରେକର୍ଡ ଓ ମାଇଲଖୁଣ୍ଟର ଅଧିକରୀ ଫେଡେରର ଏକ ବିବୃତ୍ତି ଜାରି କରି କହିଛନ୍ତି ଯେ ମୋର ବୟସ ୪୧ ବର୍ଷ। ମୁଁ ୨୫ ବର୍ଷରେ ୧୫୦୦ ରୁ ଅଧିକ ମ୍ୟାଚ୍ ଖେଳିଛି | ମୁଁ କଦାପି ସ୍ୱପ୍ନରେ ମଧ୍ୟ ଭାବି ନ ଥିଲି ଯେ ଟେନିସ୍ ମୋତେ ଏତେ ଉଦାର ବ୍ୟବହାର କରିବ ଏବଂ ବର୍ତ୍ତମାନ ମୋତେ ସ୍ୱୀକାର କରିବାକୁ ପଡିବ ଯେ ମୋର ପ୍ରତିଯୋଗିତାମୂଳକ କ୍ୟାରିୟର ଶେଷ ହେବାର ସମୟ ଆସିଛି। ‘

ଉଲ୍ଲେଖଯୋଗ୍ୟ ଯେ ଆସନ୍ତା ସପ୍ତାହରେ ଲଣ୍ଡନରେ ଲାଭର କପ୍ ଆରମ୍ଭ ହେବ | ଏହା ଫେଡେରରଙ୍କ କ୍ୟାରିୟରର ଶେଷ ଏଟିପି ଇଭେଣ୍ଟ ହେବ | ଫେଡେରର ନିଜ ୨୪ ବର୍ଷର କ୍ୟାରିୟରରେ ସାମ୍ନା କରିଥିବା ତାଙ୍କର ସବୁ ପ୍ରତିଦ୍ୱନ୍ଦ୍ୱୀ ଏବଂ ପ୍ରଶଂସକମାନଙ୍କୁ ଧନ୍ୟବାଦ ଜଣାଇଛନ୍ତି |

Comments are closed.