ଜମ୍ମୁ-କାଶ୍ମୀର: ଦୁଇ ପ୍ରବାସୀ ଶ୍ରମିକଙ୍କ ହତ୍ୟାରେ ସମ୍ପୃକ୍ତ ଆତଙ୍କବାଦୀ ଏନକାଉଣ୍ଟରରେ ନିହତ

ଶ୍ରୀନଗର: ଦୁଇ ପ୍ରବାସୀ ଶ୍ରମିକଙ୍କ ହତ୍ୟାରେ ସମ୍ପୃକ୍ତ ଆତଙ୍କବାଦୀ ଇମ୍ରାନ ବଶିର ଜାନୀ ସୋପିଆନରେ ଏକ ଏନକାଉଣ୍ଟର ବେଳେ ନିହତ ହୋଇଛି । କାଶ୍ମୀର ପୋଲିସ ଟୁଇଟ୍ କରି ଏହି ସୂଚନା ଦେଇଛି। ଏହାପୂର୍ବରୁ ବଶୀରକୁ ମଙ୍ଗଳବାର କାଶ୍ମୀର ଜୋନ୍ ପୋଲିସ ଗିରଫ କରିଥିଲା।

ଦୁଇ ପ୍ରବାସୀ ଶ୍ରମିକଙ୍କ ହତ୍ୟାର ଯାଞ୍ଚ୍ ପାଇଁ ପୋଲିସ ଆଜି ବଶୀରକୁ ନେଇ ସହ ସୋପିଆନର ନୌଗାମର ଏକ ସ୍ଥାନରେ ଚଢ଼ାଉ ବେଳେ ସେଠାରେ ଲୁଚିଥିବା କିଛି ଆତଙ୍କବାଦୀଙ୍କ ସହ ଗୁଳି ବିନିମୟ ହୋଇଥିଲା । ଆତଙ୍କବାଦୀଙ୍କ ଗୁଳିରେ ହିଁ ଇମ୍ରାନ ବଶୀରର ମୃତ୍ୟୁ ଘଟିଥିଲା ବୋଲି ପୋଲିସ ଦାବି କରିଛି।

ଗ୍ରେନେଡ ଆକ୍ରମଣରେ ମଙ୍ଗଳବାର ଉତ୍ତର ପ୍ରଦେଶର ଦୁଇଜଣ ଶ୍ରମିକଙ୍କ ମୃତ୍ୟୁ ହୋଇଥିଲା। ମୃତକ ଉତ୍ତର ପ୍ରଦେଶ କନୌଜ ବାସିନ୍ଦା ମୋନିଶ କୁମାର ଏବଂ ରାମ ସାଗର ବୋଲି ଜଣାପଡିଥିଲା ।

ଏହି ମାମଲାରେ ଆତଙ୍କବାଦୀ ସଂଗଠନ ଲଶ୍କର-ଏ-ତୋଇବା ସଦସ୍ୟ ଇମ୍ରାନ ବଶିର ଜାନିଙ୍କୁ ପୋଲିସ ଗିରଫ କରିଥିଲା। ରେଡ୍ ବେଳେ ଅସ୍ତ୍ରଶସ୍ତ୍ର ଏବଂ ଗୁଳି ଜବତ କରାଯାଇଛି ବୋଲି ପୋଲିସ କହିଥିଲା ।

Comments are closed.