‘ଦି କାଶ୍ମୀର ଫାଇଲ୍ସ’ ନିର୍ଦ୍ଦେଶକ ବିବେକ ଅଗ୍ନିହୋତ୍ରୀଙ୍କୁ ‘ଓ୍ବାଇ’ କାଟେଗୋରି ସୁରକ୍ଷା

ନୂଆଦିଲ୍ଲୀ: ରିଲିଜ ହେବା ଦିନଠାରୁ ନିର୍ଦ୍ଦେଶକ ବିବେକ ଅଗ୍ନିହୋତ୍ରୀଙ୍କ ଫିଲ୍ମ ‘ଦି କାଶ୍ମୀର ଫାଇଲ୍ସ’କୁ ନେଇ ସବୁଆଡେ ଚର୍ଚ୍ଚା ଚାଲିଛି। କାଶ୍ମୀରୀ ପଣ୍ଡିତଙ୍କ ପଳାୟନ ଉପରେ ଆଧାରିତ ଏହି ଚଳଚ୍ଚିତ୍ରକୁ କିଛି ଲୋକ ପ୍ରଶଂସା କରୁଥିବାବେଳେ ଆଉ କିଛି ଏହାକୁ ବିରୋଧ କରୁଛନ୍ତି ଏବଂ ଏହି ଚଳଚ୍ଚିତ୍ର ମୁସଲମାନମାନଙ୍କ ପ୍ରତି ଘୃଣା ଭାବ ସୃଷ୍ଟି କରୁଛି ବୋଲି ଅଭିଯୋଗ କରିଛନ୍ତି। ଫିଲ୍ମ ରିଲିଜ୍ ହେବା ପରଠୁ ଏହାର ନିର୍ଦ୍ଦେଶକ ବିବେକ ଅଗ୍ନିହୋତ୍ରୀଙ୍କୁ ଧମକ ମଧ୍ୟ ମିଳିଥିବା କୁହାଯାଇଛି | ତେଣୁ କେନ୍ଦ୍ର ଗୃହ ମନ୍ତ୍ରଣାଳୟ ବିବେକଙ୍କୁ ‘ଓ୍ବାଇ’ କାଟେଗୋରି ସୁରକ୍ଷା ପ୍ରଦାନ କରିଛନ୍ତି। ସିଆରପିଏଫ୍ ସମଗ୍ର ଭାରତରେ ବିବେକଙ୍କୁ ଏହି ସୁରକ୍ଷା ପ୍ରଦାନ କରିବ।

ବିବେକ ଅଗ୍ନିହୋତ୍ରୀ ଦାବି କରିଥିଲେ ଯେ ତାଙ୍କୁ ‘ଦି କାଶ୍ମୀର ଫାଇଲ୍ସ’ ପାଇଁ ମୃତ୍ୟୁ ଧମକ ଦିଆଯାଉଛି। ଏହା ପରେ ହିଁ କେନ୍ଦ୍ର ସରକାର ତାଙ୍କୁ ‘ଓ୍ବାଇ’ ବର୍ଗର ସୁରକ୍ଷା ଦେବାକୁ ନିଷ୍ପତ୍ତି ନେଇଛନ୍ତି। ବିବେକ ଅଗ୍ନିହୋତ୍ରୀ ମଧ୍ୟ ଏହି ଚଳଚ୍ଚିତ୍ର ରିଲିଜ ହେବା ପୂର୍ବରୁ ତାଙ୍କ ଟ୍ୱିଟର ଆକାଉଣ୍ଟକୁ ବନ୍ଦ କରିଦେଇଥିଲେ | ସେ କହିଥିଲେ ଯେ କିଛି ଲୋକ ତାଙ୍କୁ ଏବଂ ତାଙ୍କ ପରିବାରକୁ ମୃତ୍ୟୁ ଧମକ ଏବଂ ଅଶ୍ଳୀଳ ବାର୍ତ୍ତା ପଠାଉଥିଲେ। ବିବେକ ଅଗ୍ନିହୋତ୍ରୀଙ୍କ ପୂର୍ବରୁ ସରକାର ଅଭିନେତ୍ରୀ କଙ୍ଗନା ରାନାୱତଙ୍କୁ ଓ୍ବାଇ କାଟେଗୋରି ସୁରକ୍ଷା ମଧ୍ୟ ଦେଇଥିଲେ।

Comments are closed.