ଆଜି ମୁମ୍ବାଇରେ ‘ଇଣ୍ଡିଆ’ର ତୃତୀୟ ବୈଠକ: ଲୋଗୋ, ଆସନ ଭାଗବଣ୍ଟା, ଆବାହକ ଉପରେ ହୋଇପାରେ ନିଷ୍ପତ୍ତି

ମୁମ୍ବାଇ: ବିରୋଧୀ ମେଣ୍ଟ ‘ଇଣ୍ଡିଆ’ର ତୃତୀୟ ବୈଠକ ଆଜିଠାରୁ ମୁମ୍ବାଇରେ ଅନୁଷ୍ଠିତ ହେବ। ଏହି ଦୁଇ ଦିନିଆ ବୈଠକରେ ‘ଇଣ୍ଡିଆ’ର ଲୋଗୋ ଜାରି କରାଯିବା ସହ ଆବାହକଙ୍କ ନାମ ଘୋଷଣା କରାଯିବା ସମ୍ଭାବନା ରହିଛି | ଏହାଛଡ଼ା ଏକ ସମନ୍ୱୟ କମିଟି ମଧ୍ୟ ଗଠନ କରାଯାଇପାରେ।

ଏହା ବ୍ୟତୀତ ମେଣ୍ଟର ମୁଖ୍ୟ କାର୍ଯ୍ୟାଳୟ ସମ୍ପର୍କରେ ଆଲୋଚନା ହୋଇପାରେ। ‘ଇଣ୍ଡିଆ’ ମେଣ୍ଟର ରାଲି ଓ ଏହା ସହ ଜଡିତ ପ୍ରସଙ୍ଗରେ ଆନ୍ଦୋଳନ ପାଇଁ ବିଚାର କରାଯାଇପାରେ। ଆହୁରି କିଛି ଦଳକୁ ମଧ୍ୟ ଏହି ଗଠବନ୍ଧନରେ ସାମିଲ କରିବା ବିଷୟରେ ଆଲୋଚନା ହେବ । ଏହାଛଡ଼ା ୨୦୨୪ ନିର୍ବାଚନ ପାଇଁ ଇସ୍ତାହାର ଓ ଆସନ ବୁଝାମଣା ନେଇ ମଧ୍ୟ ଆଲୋଚନା ହେବା ସମ୍ଭାବନା ଅଛି ।

ମୁମ୍ବାଇ ବୈଠକରେ ସମନ୍ୱୟ ସମିତିର ସମ୍ଭାବ୍ୟ ସଦସ୍ୟମାନଙ୍କ ନାମ ଉପରେ ଆଲୋଚନା ସହ ପ୍ରଧାନମନ୍ତ୍ରୀ ଚେହେରା ଉପରେ ନିଷ୍ପତ୍ତି ନିଆଯିବ ।

‘ଇଣ୍ଡିଆ’ରେ ଆଉ କିଛି ଦଳ ଯୋଗଦେବା ନେଇ ନୀତୀଶ କୁମାର ଭବିଷ୍ୟବାଣୀ କରିଥିବାବେଳେ ନିକଟରେ କଂଗ୍ରେସ ନେତା ନାନା ପାଟୋଲେ ଦାବି କରିଥିଲେ ଯେ ଏନଡିଏର କିଛି ଦଳ ମଧ୍ୟ ‘ଇଣ୍ଡିଆ’ରେ ସାମିଲ ହୋଇପାରନ୍ତି। ବର୍ତ୍ତମାନ ପର୍ଯ୍ୟନ୍ତ ‘ଇଣ୍ଡିଆ’ର ଦୁଇଟି ବୈଠକ ଅନୁଷ୍ଠିତ ହୋଇଛି। ଜୁନ୍ ୨୩ରେ ପାଟନାରେ ପ୍ରଥମ ବୈଠକ ଅନୁଷ୍ଠିତ ହୋଇଥିବା ବେଳେ ଦ୍ୱିତୀୟ ବୈଠକ ଜୁଲାଇ ୧୭-୧୮ରେ ବେଙ୍ଗାଲୁରୁରେ ଅନୁଷ୍ଠିତ ହୋଇଥିଲା ଯେଉଁଥିରେ ମେଣ୍ଟର ନାମ ଉପରେ ନିଷ୍ପତ୍ତି ହୋଇଥିଲା ।

Comments are closed.