ବଦଳିବ ବ୍ରିଟିଶ ଅମଳର ତିନି ଫୌଜଦାରୀ ଆଇନ, ବିଲ୍ ଆଗତ କଲେ ଅମିତ ଶାହ

ନୂଆଦିଲ୍ଲୀ: ବ୍ରିଟିଶ ଅମଳରୁ ଚଳି ଆସୁଥବା ଦେଶର ତିନୋଟି ପ୍ରମୁଖ ଫୌଜଦାରୀ ଆଇନ ବଦଳିବ ।‌ ଏହି ତିନୋଟି ଆଇନ ବଦଳରେ ନୂଆ ଆଇନ ଆସିବ । ସଂସଦର ମୌସୁମୀ ଅଧିବେଶନର ଶେଷ ଦିନରେ ଆଜି କେନ୍ଦ୍ର ସରକାର ଲୋକସଭାରେ ତିନୋଟି ବିଲ୍ ଉପସ୍ଥାପନ କରିଛନ୍ତି।

କେନ୍ଦ୍ର ଗୃହମନ୍ତ୍ରୀ ଅମିତ ଶାହ ସଂସଦରେ ଆଜି ଭାରତୀୟ ନ୍ୟାୟ ସଂହିତା ବିଲ୍, ଭାରତୀୟ ସାକ୍ଷ୍ୟ ବିଲ୍ ଏବଂ ଭାରତୀୟ ନାଗରିକ ପ୍ରତିରକ୍ଷା ସଂହିତା ବିଲ୍ ଆଗତ କରିଛନ୍ତି।

ଯଦି ଏହି ତିନୋଟି ବିଲ୍ ଆଇନରେ ପରିଣତ ହୁଏ ତେବେ ଏହା ଭାରତୀୟ ଦଣ୍ଡ ସଂହିତା (ଆଇପିସି ୧୮୬୦), ଭାରତୀୟ ସାକ୍ଷ୍ୟ ଆଇନ (ଆଇଏ ୧୮୭୨) ଏବଂ ଦଣ୍ଡବିଧି ସଂହିତା (ସିଆରପିସି ୧୯୭୩)ର ସ୍ଥାନ ନେବ ।

ଏହି ତିନି ନୂଆ ବିଲ୍ ଉପସ୍ଥାପନ କରି ଶାହ କହିଥିଲେ, “୧୮୬୦ ରୁ ୨୦୨୩ ପର୍ଯ୍ୟନ୍ତ ଦେଶର ଅପରାଧିକ ନ୍ୟାୟ ବ୍ୟବସ୍ଥା ବ୍ରିଟିଶମାନଙ୍କ ଦ୍ବାରା ପ୍ରସ୍ତୁତ ଆଇନ ଅନୁଯାୟୀ କାର୍ଯ୍ୟ କରିଆସୁଛି। ଏହି ତିନୋଟି ଆଇନ ବଦଳିବ, ଯାହା ଫଳରେ ଦେଶରେ ଫୌଜଦାରୀ ନ୍ୟାୟ ବ୍ୟବସ୍ଥାରେ ଏକ ବଡ ପରିବର୍ତ୍ତନ ଆସିବ । ”

ଏହି ସମୟ ମଧ୍ୟରେ ସେ ଏକ ଗୁରୁତ୍ୱପୂର୍ଣ୍ଣ ଘୋଷଣା କରି କହି କହିଛନ୍ତି ଯେ ଏହି ତିନି ଆଇନ ଆସିଲେ ‘ଦେଶଦ୍ରୋହ’ ଭଳି ଆଇନ ସମ୍ପୂର୍ଣ୍ଣ ନିରସ୍ତ୍ର ହେବ ।

ଅମିତ ଶାହଙ୍କ ସୂଚନା ଅନୁଯାୟୀ, ଏହି ବିଲ୍ ମାଧ୍ୟମରେ ଆମେ ଦଣ୍ଡ ପରିମାଣକୁ ୯୦% ରୁ ଅଧିକ କରିବାକୁ ଲକ୍ଷ୍ୟ ରଖିଛୁ। ତେଣୁ ଆମେ ଏକ ଗୁରୁତ୍ୱପୂର୍ଣ୍ଣ ବ୍ୟବସ୍ଥା ଆଣିଛୁ ଯେଉଁଥିରେ ୭ ବର୍ଷ କିମ୍ବା ତା’ଠାରୁ ଅଧିକ କାରାଦଣ୍ଡର ବ୍ୟବସ୍ଥା ରହିଛି ଓ‌ ଫୋରେନ୍ସିକ୍ ଟିମ୍ ପାଇଁ ଅପରାଧ ସ୍ଥଳକୁ ଯିବା ବାଧ୍ୟତାମୂଳକ ହେବ ।

Comments are closed.