ପାକିସ୍ତାନର ଲାହୋରରେ ବିସ୍ଫୋରଣ, ତିନି ମୃତ, ୨୦ ଆହତ

ଲାହୋର: ପାକିସ୍ତାନର ଲାହୋର ସହରରେ ଗୁରୁବାର ଏକ ଶକ୍ତିଶାଳୀ ବୋମା ବିସ୍ଫୋରଣରେ ୩ ଜଣଙ୍କର ମୃତ୍ୟୁ ହୋଇଛି। ଲାହୋରର ଜନଗହଳି ଅନାରକଲି ଅଞ୍ଚଳରେ ହୋଇଥିବା ଏହି ବିସ୍ଫୋରଣରେ ଅତିକମରେ ୨୦ ଜଣ ଆହତ ହୋଇଛନ୍ତି। ଘଟଣାସ୍ଥଳରେ ବହୁ ସଂଖ୍ୟକ ପୋଲିସ ଫୋର୍ସ ଉପସ୍ଥିତ ଅଛନ୍ତି। ବୋମା ବିସ୍ଫୋରଣରେ ଆହତ ସମସ୍ତଙ୍କୁ ଚିକିତ୍ସା ପାଇଁ ମାୟୋ ହସ୍ପିଟାଲରେ ଭର୍ତ୍ତି କରାଯାଇଛି।

‘ଦ ଡନ୍’ ଅନୁଯାୟୀ ଏହି ବିସ୍ଫୋରଣରେ ଅତି କମରେ ତିନି ଜଣଙ୍କର ମୃତ୍ୟୁ ହୋଇଥିବା ବେଳେ ୨୦ ଜଣ ଆହତ ହୋଇଥିବା କୁହାଯାଉଛି। ଲାହୋର ପୋଲିସର ମୁଖପାତ୍ର ରାଣା ଆରିଫ କହିଛନ୍ତି ଯେ ପ୍ରାରମ୍ଭିକ ତଦନ୍ତରୁ ଏହି ବିସ୍ଫୋରଣ ରିମୋଟ କଣ୍ଟ୍ରୋଲର୍ ଦ୍ବାରା କରାଯାଇଥିବା ମନେ କରାଯାଉଛି। ବୋମା ଏକ ମଟରସାଇକେଲରେ ରଖାଯାଇଥିଲା ।

ଅନ୍ୟପକ୍ଷରେ ପାକିସ୍ଥାନର ପଞ୍ଜାବ ପ୍ରଦେଶର ମୁଖ୍ୟମନ୍ତ୍ରୀ ଉସମାନ ବୁଜଦାର ଏହି ଯନ୍ତ୍ରଣାଦାୟକ ଘଟଣା ସମ୍ପର୍କରେ ଇନ୍ସପେକ୍ଟର ଜେନେରାଲଙ୍କୁ ରିପୋର୍ଟ ଦାଖଲ କରିବାକୁ ନିର୍ଦ୍ଦେଶ ଦେଇଛନ୍ତି। ବୋମା ବିସ୍ଫୋରଣରେ ଆହତମାନଙ୍କୁ ସମସ୍ତ ସମ୍ଭାବ୍ୟ ଚିକିତ୍ସା ସୁବିଧା ଯୋଗାଇବା ପାଇଁ ଅଧିକାରୀମାନଙ୍କୁ ନିର୍ଦ୍ଦେଶ ଦିଆଯାଇଛି।

ପାକିସ୍ତାନର ରାଜନୈତିକ ଦଳର ନେତାମାନେ ଏହି ଘଟଣାକୁ ତୀବ୍ର ନିନ୍ଦା କରିଛନ୍ତି। ପିଏମଏଲ-ଏନ ଉପାଧ୍ୟକ୍ଷା ମରିୟମ ନୱାଜ କହିଛନ୍ତି ଯେ ଅନାରକଲି ପରି ଅଞ୍ଚଳରେ ବିସ୍ଫୋରଣ ଅତ୍ୟନ୍ତ ଦୁଃଖଦାୟକ ଏବଂ ଚିନ୍ତାଜନକ।

Comments are closed.