ଚଳନ୍ତା ଟ୍ରେନରେ ସହଯାତ୍ରୀଙ୍କୁ ନିଆଁ ଲଗାଇଦେଲେ ଆଉ ଜଣେ ଯାତ୍ରୀ, ତିନି ମୃତ,‌‌ ୯ ଆହତ

କୋଜିକୋଡେ: ଟ୍ରେନରେ ଚଢିବାକୁ ନେଇ ବଚସା ପରେ ଜଣେ ଯାତ୍ରୀ ଅନ୍ୟ ସହଯାତ୍ରୀଙ୍କୁ ନିଆଁ ଲଗାଇ ଦେବାରୁ ତିନି ଜଣଙ୍କର ମୃତ୍ୟୁ ହୋଇଛି । ରବିବାର ବିଳମ୍ବିତ ରାତିରେ ରେଳ ଧାରଣାରେ ଜଣେ ମହିଳା, ଛୋଟ ପିଲା ଓ ଜଣେ ପୁରୁଷଙ୍କ ମୃତଦେହ ଉଦ୍ଧାର କରାଯାଇଛି। ଏହି ଘଟଣା ପରେ ସେମାନେ ଟ୍ରେନରୁ ନିଖୋଜ ଥିଲେ। ସେମାନେ ଟ୍ରେନରୁ ଡେଇଁ ପଡ଼ିଥିବା ମନେ କରାଯାଉଛି । ଏହି ଘଟଣାରେ ଆଉ ୯ ଯାତ୍ରୀ ଆହତ ହୋଇଛନ୍ତି ।

ପୋଲିସର ସୂଚନାନୁସାରେ, ରବିବାର ରାତି ପ୍ରାୟ ୯.୪୫ ସମୟରେ ଆଲାପୁଜା-କନ୍ନୁର ଏକ୍ଜିକ୍ୟୁଟିଭ୍ ଏକ୍ସପ୍ରେସ ଟ୍ରେନ୍ କୋଜିକୋଡ ଟାଉନ୍ ପାର ହୋଇ କୋରାପୁଜା ରେଳ ବ୍ରିଜରେ ପହଞ୍ଚିବା ପରେ ଜଣେ ବ୍ୟକ୍ତି ସଂରକ୍ଷିତ ବଗିରେ ଚଢ଼ିଥିଲା । ସେହି ବଗିରେ ବସିଥିବା ଜଣେ ସହଯାତ୍ରୀଙ୍କ ସହ ସିଟକୁ ନେଇ ତାର ବଚସା ହୋଇଥିଲା । ଏହାପରେ ବ୍ୟକ୍ତି ଜଣକ ତାଙ୍କ ଉପରେ ଦହନଶୀଳ ତରଳ ପଦାର୍ଥ ଢାଳି ନିଆଁ ଲଗାଇ ଦେଇଥିଲା। ନିଆଁ ଦେଖି ବଗିରେ ଥିବା ଅନ୍ୟ ଯାତ୍ରୀ‌ମାନେ ଡରିଯାଇ ପାଟି କରିଥିଲେ । କେତେକ ଯାତ୍ରୀ ନିଆଁରେ ପୋଡ଼ି ଆହତ ହୋଇଥିଲେ । ଏହି ଘଟଣା ପରେ କେହି ଜଣେ ଯାତ୍ରୀ ଚେନ୍ ଟାଣିବାରୁ ଟ୍ରେନ୍ ଯେତେବେଳେ ରହିଥିଲା, ଅଭିଯୁକ୍ତ ଏହାର ସୁଯୋଗ ନେଇ ଫେରାର ହୋଇଯାଇଥିବା ପୋଲିସ ସନ୍ଦେହ କରୁଛି।

ଯାତ୍ରୀମାନେ ଏହି ଘଟଣା ସମ୍ପର୍କରେ ରେଳ ସୁରକ୍ଷା ବାହିନୀ (ଆରପିଏଫ) କୁ ସୂଚନା ଦେବା ପରେ ନିଆଁ ଲିଭା ଯାଇଥିଲା। ଆହତମାନଙ୍କୁ ଡାକ୍ତରଖାନାରେ ଭର୍ତ୍ତି କରାଯାଇଥିଲା। କିଛି ଯାତ୍ରୀ ଘଟଣା ପରେ ଜଣେ ମହିଳା ଏବଂ ଏକ ଛୋଟପିଲା ନିଖୋଜ ଥିବା ଅଭିଯୋଗ କରିଥିଲେ । ତଲାସି ପରେ ପୋଲିସ ରେଳ ଧାରଣାରୁ ଜଣେ ମଧ୍ୟବୟସ୍କଙ୍କ ବ୍ୟକ୍ତିଙ୍କ ସମେତ ଜଣେ ମହିଳା ଓ ଛୋଟପିଲାର ମୃତଦେହ ମିଳିଥିଲା। ପିଲାଟିର ବୟସ ଏକ ବର୍ଷ ହେବ | ପୋଲିସ ସନ୍ଦେହ କରୁଛି ଯେ ସେମାନେ ନିଆଁ ଦେଖି ଟ୍ରେନରୁ ଖସି ପଡ଼ିଥିଲେ କିମ୍ବା ଡେଇଁ ପଡ଼ିଥିଲେ ।

ରେଳବାଇର ଜଣେ ବରିଷ୍ଠ ଅଧିକାରୀ କହିଛନ୍ତି ଯେ ଏହି ଘଟଣା ପରେ ଅଭିଯୁକ୍ତ ବ୍ୟକ୍ତି ଫେରାର ହୋଇଯାଇଛି। ଆବଶ୍ୟକ ଯାଞ୍ଚ୍ ପରେ ଟ୍ରେନ୍ ଛାଡିଥିଲା |

ପ୍ରାରମ୍ଭିକ ରିପୋର୍ଟ ଅନୁଯାୟୀ, ସିଟକୁ ନେଇ ବଚସା ପରେ ଏହି ଘଟଣା ଘଟିଥିବା ସନ୍ଦେହ କରାଯାଉଛି। କୋଜିକୋଡ ପୋଲିସ ଏବଂ ଆରପିଏଫ୍ ଏହି ଘଟଣାର ତଦନ୍ତ କରୁଛନ୍ତି। କୋଜିକୋଡ ମେଡିକାଲ କଲେଜ ସହ ବିଭିନ୍ନ ଡାକ୍ତରଖାନାରେ ମୋଟ ୯ ଜଣ ଆହତଙ୍କୁ ଚିକିତ୍ସା ପାଇଁ ଭର୍ତ୍ତି କରାଯାଇଛି।

Comments are closed.