ଏସୀୟ କ୍ରୀଡ଼ାରେ ଭାରତକୁ ଆଉ ୩ଟି ସ୍ବର୍ଣ୍ଣ; ପୁରୁଷ କବାଡି, କ୍ରିକେଟ୍ ଓ ପୁରୁଷ ଡବଲ୍ସ ବ୍ୟାଡମିଣ୍ଟନରୁ ଆସିଲା ଗୋଲ୍ଡ ମେଡାଲ୍

ହାଙ୍ଗଝୋ : ଏସୀୟ କ୍ରୀଡ଼ାର ଶେଷ ଦିବସରେ ଭାରତୀୟ ଖେଳାଳି ସୁନା ବର୍ଷା କରିଛନ୍ତି । ଭାରତର‌ ଖାତାରେ ଆଉ ତିନୋଟି ସ୍ବର୍ଣ୍ଣ ପଦକ ଯୋଡ଼ି ହୋଇଛି । ପୁରୁଷ କବାଡି ସହ କ୍ରିକେଟ୍ ଓ ପୁରୁଷ ଡବଲ୍ସ ବ୍ୟାଡମିଣ୍ଟନରେ ସ୍ବର୍ଣ୍ଣ ପଦକ ଜିତିଛି ଭାରତ । ଆଜି ଭାରତ ଏଯାବତ୍ ୬ଟି ସ୍ବର୍ଣ୍ଣ ପଦକ ଜିତିଛି ।

କବାଡି ଇଭେଣ୍ଟରେ ଭାରତ ଡବଲ ଧମାକା କରିଛି । ମହିଳାଙ୍କ ପରେ ଭାରତର ପୁରୁଷ ଟିମ୍ ମଧ୍ୟ ସ୍ୱର୍ଣ୍ଣ ପଦକ ଜିତିଛି। ବିବାଦୀୟ ଫାଇନାଲ ମ୍ୟାଚରେ ଭାରତ ଇରାନକୁ ୩୩-୨୯ରେ ହରାଇଛି | ଫାଇନାଲ ବେଶ୍ ସଂଘର୍ଷପୂର୍ଣ୍ଣ ହୋଇଥିଲା ।

ଯେତେବେଳେ ଉଭୟ ଦଳ ୨୮-୨୮ରେ ବରାବର ଥିଲେ, ପଏଣ୍ଟକୁ ନେଇ ବିବାଦ ଦେଖାଦେଇଥିଲା | ମ୍ୟାଚ୍ ସ୍ଥଗିତ ରଖିବାକୁ ପଡ଼ିଥିଲା । ବିବାଦର ସମାଧାନ ପରେ ମ୍ୟାଚ୍ ପୁଣି ଆରମ୍ଭ ହୋଇଥଲା ଏବଂ ଭାରତ ସ୍ୱର୍ଣ୍ଣ ଜିତିବାରେ ‌ସଫଳ ହୋଇଥିଲା । ଏହା ପୂର୍ବରୁ ଭାରତୀୟ ମହିଳା କବାଡି ଦଳ ଚାଇନିଜ୍ ତାଇପେଇକୁ ୨୬-୨୫ରେ ହରାଇ ଗୋଲ୍ଡ ମେଡାଲ ଜିତିଥିଲା । ଏହା ଥିଲା ଚଳିତ ଏସୀୟ କ୍ରୀଡ଼ାରେ ଭାରତର ୧୦୦ତମ ପଦକ ।

ସେହିପରି ପୁରୁଷ କ୍ରିକେଟରେ ମଧ୍ୟ ଭାରତ ସ୍ବର୍ଣ୍ଣ ପଦକ ସହିତ ଅଭିଯାନ ଶେଷ କରିଛି । ଆଜି ଭାରତ ଓ ଆଫଗାନିସ୍ତାନ ମଧ୍ୟରେ ଫାଇନାଲ ମ୍ୟାଚ୍ ବର୍ଷା ଯୋଗୁଁ ବାତିଲ ହୋଇଥିଲା | ତେବେ ଉଚ୍ଚ ମାନ୍ୟତାପ୍ରାପ୍ତ ଦଳ ହୋଇଥିବାରୁ ଭାରତ ବିଜେତା ଘୋଷିତ ହୋଇଥିଲା। ବର୍ଷା ବାଧକ ସାଜିବା ପୂର୍ବରୁ ପ୍ରଥମେ ବ୍ୟାଟିଂ କରିଥିବା ଆଫଗାନିସ୍ତାନ ୧୮.୨ ଓଭରରେ ୫ ୱିକେଟ୍ ହରାଇ ୧୧୨ ରନ୍ ସଂଗ୍ରହ କରିଥିଲା। ଭାରତର ଇନିଂସ ଆରମ୍ଭ ହୋଇପାରିନଥିଲା ।

ଅନ୍ୟପକ୍ଷରେ ପୁରୁଷ ଡବଲ୍ସ ବ୍ୟାଡମିଣ୍ଟନରେ ଭାରତୀୟ ଯୋଡ଼ି ସାତ୍ତ୍ୱିକ-ଚିରାଗ ସ୍ୱର୍ଣ୍ଣ ଜିତି ଇତିହାସ ରଚିଛନ୍ତି ।
ପ୍ରଥମ ଥର ପାଇଁ ବ୍ୟାଡମିଣ୍ଟନ ପୁରୁଷ ଡବଲ୍ସ ଇଭେଣ୍ଟରେ ଭାରତ ସ୍ୱର୍ଣ୍ଣ ପଦକ ଜିତିଛି ।

ଆଜି ସକାଳେ ଭାରତୀୟ ତୀରନ୍ଦାଜ ଉଭୟ ମହିଳା ଓ ପୁରୁଷ କମ୍ପାଉଣ୍ଡ ବ୍ୟକ୍ତିଗତ ଇଭେଣ୍ଟରେ ସ୍ୱର୍ଣ୍ଣ ଜିତିଥିଲେ ।

ଏପର୍ଯ୍ୟନ୍ତ ଭାରତ ଚଳିତ ଏସୀୟ କ୍ରୀଡ଼ାରେ ୨୮ଟି ସ୍ୱର୍ଣ୍ଣ ସହ ମୋଟ ୧୦୫ଟି ପଦକ ଜିତିଛି | ପ୍ରଥମ ଥର ପାଇଁ ଏସୀୟ କ୍ରୀଡ଼ାରେ ଭାରତର ପଦକ ସଂଖ୍ୟା ୧୦୦ ଟପିଛି | ଭାରତ ୨୦୧୮ ଜାକର୍ତ୍ତା ସଂସ୍କରଣରେ ୭୦ ପଦକ ଜିତିଥିଲା ‌।

Comments are closed.