ସତ୍ୟେନ୍ଦ୍ର ଜୈନଙ୍କ ସେଲକୁ ଦୁଇ ଜଣ କଏଦୀ ପଠାଇଥିବା ତିହାର ଜେଲ୍ ଅଧୀକ୍ଷକଙ୍କ ବଦଳି

ନୂଆଦିଲ୍ଲୀ: ଦିଲ୍ଲୀର ତିହାର ଜେଲର ୪ ଜଣ ଅଧୀକ୍ଷକଙ୍କଙ୍କୁ ବଦଳି କରାଯାଇଛି। ସେମାନଙ୍କ ମଧ୍ୟରୁ ଜେଲ ନମ୍ବର ୭ର ଅଧୀକ୍ଷକ ରାଜେଶ ଚୌଧୁରୀଙ୍କୁ ମୁଖ୍ୟାଳୟକୁ ବଦଳି କରାଯାଇଛି । ବିନୋଦ କୁମାର ଜେଲ୍-୭ ର ନୂଆ ଅଧୀକ୍ଷକ ହୋଇଛନ୍ତି । ଦିଲ୍ଲୀ ପୂର୍ବତନ ମନ୍ତ୍ରୀ ତଥା ଆପ୍ ନେତା ସତ୍ୟେନ୍ଦ୍ର ଜୈନ ଏହି ଜେଲରେ ଅଛନ୍ତି ।

ତିହାର ଜେଲରେ ଥିବା ଦିଲ୍ଲୀ ସରକାରଙ୍କ ପୂର୍ବତନ ମନ୍ତ୍ରୀ ସତ୍ୟେନ୍ଦ୍ର ଜୈନ ତାଙ୍କ ସେଲକୁ ଦୁଇ ଜଣ କଏଦୀଙ୍କୁ ରଖିବା ପାଇଁ ଆବେଦନ କରିଥିଲେ। ମେ ୧୧ରେ ଜେଲ୍ ସୁପରିଟେଣ୍ଡେଣ୍ଟଙ୍କୁ ଲେଖିଥିବା ଚିଠିରେ ସତ୍ୟେନ୍ଦ୍ର ଜୈନ କହିଥିଲେ ଯେ ସେ ନିଜକୁ ଏକୁଟିଆ ଅନୁଭବ କରୁଛନ୍ତି । ମାନସିକ ରୋଗ ବିଶେଷଜ୍ଞ ତାଙ୍କୁ ଏକୁଟିଆ ନ ରହିବାକୁ ପରାମର୍ଶ ଦେଇଛନ୍ତି। ତେଣୁ ତାଙ୍କ ସେଲରେ ଆଉ ଦୁଇ ଜଣ କଏଦୀଙ୍କୁ ରଖିବାକୁ ସେ ଅନୁରୋଧ କରିଥିଲେ ।

ସତ୍ୟେନ୍ଦ୍ର ଜୈନଙ୍କ ଏହି ଅନୁରୋଧ କ୍ରମେ ଜେଲ ନମ୍ବର-୭ର ସୁପରିଟେଣ୍ଡେଣ୍ଟ ଦୁଇ ଜଣ କଏଦୀଙ୍କୁ ତାଙ୍କ ସେଲକୁ ପଠାଇଥିଲେ । କିନ୍ତୁ ତିହାର ଜେଲ ପ୍ରଶାସନ ଏହା ଜାଣିବା ପରେ ଉଭୟ କଏଦୀଙ୍କୁ ତୁରନ୍ତ ଫେରାଇ ନିଆଯାଇଥିଲା। ଏହାଛଡ଼ା ଜେଲ୍ ନଂ-୭ ର ଅଧୀକ୍ଷକଙ୍କୁ କାରଣ ଦର୍ଶାଅ ନୋଟିସ ମଧ୍ୟ ଜାରି କରାଯାଇଥିଲା । ଜେଲ ପ୍ରଶାସନ କହିଥିଲା ଯେ ସୁପରିଟେଣ୍ଡେଣ୍ଟ ପ୍ରଶାସନକୁ ନ ଜଣାଇ ଏହି ନିଷ୍ପତ୍ତି ନେଇଥିଲେ । ।

Comments are closed.