ମହିଳା ସହକର୍ମୀଙ୍କୁ ଅଶ୍ଲୀଳ ମେସେଜ୍ ପଠାଇ ଫସିଲେ ଟିମ୍ ପେନ୍, ଟେଷ୍ଟ ଅଧିନାୟକ ପଦରୁ ଦେଲେ ଇସ୍ତଫା

ସିଡନୀ: ଇଂଲଣ୍ଡ ବିପକ୍ଷ ସମ୍ମାନଜନକ ଆଶେସ୍ ସିରିଜ୍ ଆରମ୍ଭ ହେବା ପୂର୍ବରୁ ଅଷ୍ଟ୍ରେଲିଆକୁ ଏକ ବଡ଼ ଝଟକା ଲାଗିଛି। ଜଣେ ମହିଳାଙ୍କୁ ଅଶ୍ଲୀଳ ମେସେଜ୍ ପଠାଇ ବିବାଦରେ ଫସିବା ପରେ ଟେଷ୍ଟ ଅଧିନାୟକ ପଦରୁ ଇସ୍ତଫା ଦେଇଛନ୍ତି ଟିମ୍ ପେନ୍ । ଏକ ସାମ୍ବାଦିକ ସମ୍ମିଳନୀରେ ପେନ୍ ଏହି ସୂଚନା ଦେଇଛନ୍ତି। ସେ କହିଛନ୍ତି ମୁଁ ଅଷ୍ଟ୍ରେଲିଆ ପୁରୁଷ କ୍ରିକେଟ୍ ଦଳର ଅଧିନାୟକ ପଦରୁ ଇସ୍ତଫା ଦେଉଛି। ଗଣମାଧ୍ୟମ ରିପୋର୍ଟ ଅନୁଯାୟୀ ପେନ୍ ୨୦୧୭ରେ ଜଣେ ମହିଳା ସହକର୍ମୀଙ୍କୁ ନିଜର ଅଶ୍ଳୀଳ ଫଟୋ ଏବଂ ମେସେଜ୍ ପଠାଇଥିଲେ, ଯାହା ବର୍ତ୍ତମାନ ଭାଇରାଲ ହୋଇଛି। ଏହି କାରଣରୁ ସେ ଅଧିନାୟକ ପଦରୁ ଇସ୍ତଫା ଦେବାକୁ ନିଷ୍ପତ୍ତି ନେଇଛନ୍ତି।

ସେ କହିଛନ୍ତି, “ଏହା ମୋ ପାଇଁ ଏକ କଷ୍ଟସାଧ୍ୟ ନିଷ୍ପତ୍ତି, କିନ୍ତୁ ମୋ ପାଇଁ, ମୋ ପରିବାର ଏବଂ କ୍ରିକେଟ୍ ପାଇଁ ସଠିକ୍ ନିଷ୍ପତ୍ତି।”

ପ୍ରଥମ ଦୁଇଟି ଆଶେସ୍ ଟେଷ୍ଟ ପାଇଁ ଅଷ୍ଟ୍ରେଲିଆ ନିକଟରେ ୧୫ ଜଣିଆ ଦଳ ଘୋଷଣା କରିଥିଲା, ଯେଉଁଥିରେ ପେନ୍ ଙ୍କ ନାମ ମଧ୍ୟ ସାମିଲ ଥିଲା | କିନ୍ତୁ ଏବେ ବିବାଦରେ ଛନ୍ଦି ହେବା ପରେ ପେନ୍ ଦଳରେ ନିଜ ସ୍ଥାନ ହରାଇବା ସମ୍ଭାବନା ରହିଛି । ପେନ୍ ଅଧିନାୟକତ୍ୱ ଛାଡିବା ପରେ ବର୍ତ୍ତମାନ ଉପଅଧିନାୟକ ପ୍ୟାଟ୍ କମିନ୍ସଙ୍କୁ ଟେଷ୍ଟ ଅଧିନାୟକ କରାଯାଇପାରେ। ଦୁଇ ଦିନ ତଳେ କମିନ୍ସ କହିଥିଲେ ଯେ ଯଦି ଆବଶ୍ୟକତା ପଡେ ସେ ଅଧିନାୟକତ୍ୱ ଗ୍ରହଣ କରିବାକୁ ପ୍ରସ୍ତୁତ।

କମିନ୍ସ କହିଥିଲେ ଯଦି ତାଙ୍କୁ ଏହି ଭୂମିକାରେ କଷ୍ଟସାଧ୍ୟ ଲାଗେ, ତେବେ ସେ ପୂର୍ବତନ ଅଧିନାୟକ ଷ୍ଟିଭ୍ ସ୍ମିଥ୍ ଏବଂ ଡେଭିଡ ୱାର୍ଣ୍ଣରଙ୍କ ପରି ଦଳର ଅଭିଜ୍ଞ ଖେଳାଳିଙ୍କ ପରାମର୍ଶ ନେଇପାରିବେ। ସେ କହିଛନ୍ତି, “ଯଦି ମୁଁ କେବେ କୌଣସି ଅସୁବିଧା ଅନୁଭବ କରେ, ତେବେ ମୋ ସହିତ ଅନ୍ୟ ଦଶ ଜଣ ଖେଳାଳି ଅଛନ୍ତି ଯେଉଁମାନଙ୍କଠାରୁ ମୁଁ ସାହାଯ୍ୟ ନେଇ ପାରିବି।”

Comments are closed.