ବାବୁଲ ସୁପ୍ରିଓଙ୍କ ପରେ ସାଂସଦ ଲକେଟ୍ ଚାଟାର୍ଜୀ ମଧ୍ୟ ଛାଡ଼ିପାରନ୍ତି ବିଜେପି, କୁନାଲ ଘୋଷଙ୍କ ଟ୍ବିଟକୁ ନେଇ ଚର୍ଚ୍ଚା

ନୂଆଦିଲ୍ଲୀ: ବିଧାନସଭା ନିର୍ବାଚନରେ ​​ପରାଜୟ ପରେ ଏବେ ଜଣକ ପରେ ଜଣେ ଦଳୀୟ ନେତାଙ୍କ ଦଳ ଛାଡ଼ିବା ପଶ୍ଚିମବଙ୍ଗ ବିଜେପି ପାଇଁ ବଡ଼ ଚିନ୍ତାର କାରଣ ହୋଇଛି। ଦଳକୁ ଏବେ ଆଉ ଏକ ଝଟକା ଲାଗିପାରେ ।

ବାବୁଲ ସୁପ୍ରିଓଙ୍କ ପରେ ହୁଗଳିରୁ ବିଜେପି ସାଂସଦ ଥିବା ଲକେଟ୍ ଚାଟାର୍ଜୀ ମଧ୍ୟ ଦଳ ଛାଡ଼ିପାରନ୍ତି ବୋଲି ଚର୍ଚ୍ଚା ହେଉଛି ।
ସୂଚନାନୁସାରେ, ତୃଣମୂଳ କଂଗ୍ରେସ (ଟିଏମସି) ନେତୃବର୍ଗ ଲକେଟ୍ ଚାଟାର୍ଜୀଙ୍କ ସହ ଯୋଗାଯୋଗରେ ଅଛନ୍ତି। ଟିଏମସି ସାଧାରଣ ସମ୍ପାଦକ କୁନାଲ ଘୋଷ ଦାବି କରିଛନ୍ତି ଯେ ଲକେଟ୍ ଚାଟାର୍ଜୀ ଭବାନୀପୁରରେ ବିଜେପି ପାଇଁ ପ୍ରଚାର କରିବାକୁ ମନା କରି ଦେଇଛନ୍ତି। କୁନାଲ ଘୋଷ ମଧ୍ୟ ତାଙ୍କୁ ଧନ୍ୟବାଦ ଜଣାଇଛନ୍ତି। କୁନାଲ ଘୋଷଙ୍କ ଟ୍ୱିଟ୍ ପରେ ଲକେଟ୍ ବିଜେପି ଛାଡ଼ି ତୃଣମୂଳ କଂଗ୍ରେସରେ ସାମିଲ ହେବେ ବୋଲି ଚର୍ଚ୍ଚା ଜୋର୍ ଧରିଛି।

ଭବାନୀପୁରରେ ପ୍ରଚାର ନ‌କରିବା ପାଇଁ ଷ୍ଟାର ପ୍ରଚାରକ ଲକେଟ୍ ଚାଟାର୍ଜୀଙ୍କୁ ଟ୍ବିଟ୍ କରି ଧନ୍ୟବାଦ ଦେଇଥିଲେ କୁନାଲ ଘୋଷ । ସୂଚନା ଥାଉକି ଭବାନୀପୁରରୁ ଟିଏମସି ସୁପ୍ରିମୋ ତଥା ମୁଖ୍ୟମନ୍ତ୍ରୀ ମମତା ବାନାର୍ଜୀ ଉପନିର୍ବାଚନ ଲଢ଼ୁଛନ୍ତି ।
ଗତ ତିନି ମାସରେ ବିଜେପିର ଅନେକ ନେତା ଦଳ ଛାଡ଼ି ତୃଣମୂଳ କଂଗ୍ରେସରେ ଯୋଗ ଦେଇଛନ୍ତି । ଏମାନଙ୍କ ମଧ୍ୟରେ ସାଂସଦ, ବିଧାୟକ ବି ଅଛନ୍ତି ।

ସୂଚନା ଅନୁଯାୟୀ, ବିଭିନ୍ନ କାରଣରୁ ଲକେଟ୍ ଚାଟାର୍ଜୀ ବିଜେପି ନତୃବର୍ଗ ଉପରେ ଅସନ୍ତୁଷ୍ଟ। ସେ ପଶ୍ଚିମବଙ୍ଗ ବିଜେପି ମହିଳା ମୋର୍ଚ୍ଚାର ମୁଖ୍ୟ ଥିଲେ, କିନ୍ତୁ ତାଙ୍କୁ ହଟାଯାଇ ଅଗ୍ନିମିତ୍ରା ପାଲଙ୍କୁ ବଦଳରେ ମହିଳା ମୋର୍ଚ୍ଚାର ଦାୟିତ୍ବ ଦିଆଯାଇଛି। ପୁନର୍ଗଠିତ ମୋଦି କ୍ୟାବିନେଟରେ ମଧ୍ୟ ସ୍ଥାନ ନ ମିଳିବାରୁ ଲକେଟ୍ ଖୁସି ନଥିଲେ। ଏହାଛଡ଼ା ସାଂସଦ ହୋଇଥିଲେ ମଧ୍ୟ ତାଙ୍କ ଅନିଚ୍ଛା ସତ୍ତ୍ବେ ତାଙ୍କୁ ବିଧାନସଭା ନିର୍ବାଚନ ଲଢ଼ିବାକୁ କୁହାଯାଇଥିଲା । ଏହି ସବୁ ବିଷୟ ଉପରେ ଏପର୍ଯ୍ୟନ୍ତ ଲକେଟ୍ ଚାଟାର୍ଜୀଙ୍କ ଠାରୁ କୌଣସି ପ୍ରତିକ୍ରିୟା ମିଳିନାହିଁ | ନିକଟରେ ବିଜେପି ଲକେଟ୍ ଚାଟାର୍ଜୀଙ୍କୁ ଉତ୍ତରପ୍ରଦେଶ ନିର୍ବାଚନ ପାଇଁ ସହପ୍ରଭାରୀ ଦାୟିତ୍ବ ଦେଇଥିଲା | ଲକେଟ୍ ଚାଟାର୍ଜୀ ୨୦୧୫ରେ ତୃଣମୂଳ କଂଗ୍ରେସ ଛାଡ଼ି ବିଜେପିରେ ଯୋଗ ଦେଇଥିଲେ ।

Comments are closed.