ଟୋକିଓ ପାରାଲିମ୍ପିକ୍ସ: ଭାରତର ଅବନୀ ଲେଖରା ଜିତିଲେ ସ୍ବର୍ଣ୍ଣ

ଟୋକିଓ: ଟୋକିଓ ପାରାଲିମ୍ପିକ୍ ଗେମ୍ସରେ ଭାରତର ପାରା ସୁଟର ଅବନୀ ଲେଖରା ଇତିହାସ ସୃଷ୍ଟି କରିଛନ୍ତି। ଅବନୀ ଆଜି ମହିଳା ୧୦ ମିଟର ଏୟାର ରାଇଫଲ ଷ୍ଟାଣ୍ଡିଂ ଏସ୍ଏଚ୍୧ ଇଭେଣ୍ଟରେ ଏକ ନୂତନ ପାରାଲିମ୍ପିକ୍ ରେକର୍ଡ ସହ ସ୍ୱର୍ଣ୍ଣ ପଦକ ହାସଲ କରିଛନ୍ତି | ଅବନୀ ମୋଟ ୨୪୯.୬ ସ୍କୋର ହାସଲ କରିଥିଲେ ଯାହା ପାରାଲିମ୍ପିକ୍ ଗେମ୍ସ ପାଇଁ ଏକ ନୂଆ ରେକର୍ଡ | ଚୀନ୍‌ର ସି ଝାଙ୍ଗ ଏହି ଇଭେଣ୍ଟରେ ରୌପ୍ୟ ପଦକ ଜିତିଥିବାବେଳେ ୟୁକ୍ରେନର ଇରିନା ସ୍କେଟନିକ୍ ବ୍ରୋଞ୍ଜ ପଦକ ଜିତିଛନ୍ତି।

ଅବନୀ ଏହି ଇଭେଣ୍ଟର ଯୋଗ୍ୟତା ପର୍ଯ୍ୟାୟ ରାଉଣ୍ଡରେ ସପ୍ତମ ସ୍ଥାନ ହାସଲ କରିଥିଲେ | ସେ ଫାଇନାଲରେ ଚମତ୍କାର ପ୍ରଦର୍ଶନ କରି ସ୍ୱର୍ଣ୍ଣ ପଦକ ଜିତିଥିଲେ | ଏହା ସହିତ ଟୋକିଓ ପାରାଲିମ୍ପିକ୍ସରେ ଏହା ଭାରତର ତୃତୀୟ ନିଶ୍ଚିତ ପଦକ | ଏହାପୂର୍ବରୁ ନିଶାଦ କୁମାର ହାଇ ଜମ୍ପରେ ରୌପ୍ୟ ପଦକ ଏବଂ ଟେବୁଲ ଟେନିସରେ ଭବୀନା ପଟେଲ ମଧ୍ଯ ରୌପ୍ୟ ଜିତିଥିଲେ। ଭାରତର ଅନ୍ୟ ଜଣେ ପାରା-ଆଥଲେଟ୍ ବିନୋଦ କୁମାର ଏଫ୍୫୨ ବର୍ଗର ଡିସ୍କସ୍ ଥ୍ରୋରେ ବ୍ରୋଞ୍ଜ ପଦକ ଜିତିଥିଲେ, କିନ୍ତୁ ତାଙ୍କର ଫଳାଫଳ ବର୍ତ୍ତମାନ ସ୍ଥଗିତ ରହିଛି।

Comments are closed.