ସୁପରଷ୍ଟାର ପ୍ରଭାସଙ୍କ ଦାଦା ଭେଟେରାନ ଅଭିନେତା କ୍ରିଷ୍ଣମ ରାଜୁଙ୍କ ପରଲୋକ

ହାଇଦ୍ରାବାଦ: ଭେଟେରାନ ତେଲୁଗୁ ଅଭିନେତା ତଥା ସୁପରଷ୍ଟାର ପ୍ରଭାସଙ୍କ ଦାଦା କ୍ରିଷ୍ଣମ ରାଜୁଙ୍କ ପରଲୋକ ହୋଇଯାଇଛି । ମୃତ୍ୟୁ ବେଳକୁ କ୍ରିଷ୍ଣମ ରାଜୁଙ୍କୁ ୮୨ ବର୍ଷ ବୟସ ହୋଇଥିଲା । ରାଜୁ କିଛି ଦିନ ଧରି ଅସୁସ୍ଥ ଥିଲେ। ରବିବାର ସକାଳେ ହାଇଦ୍ରାବାଦର ଏକ ହସ୍ପିଟାଲରେ କ୍ରିଷ୍ଣମ ରାଜୁ ଶେଷ ନିଶ୍ୱାସ ତ୍ୟାଗ କରିଥିଲେ। କ୍ରିଷ୍ଣମ ରାଜୁ ତେଲୁଗୁ ଫିଲ୍ମ ଇଣ୍ଡଷ୍ଟ୍ରିର ‘ରେବେଲ ଷ୍ଟାର୍’ ଭାବେ ପରିଚିତ ଥିଲେ | ପାଞ୍ଚ ଦଶନ୍ଧିରୁ ଅଧିକ ସମୟ ଧରି ତାଙ୍କ କ୍ୟାରିଅରରେ କ୍ରିଷ୍ଣମ ରାଜୁ ୧୮୩ ରୁ ଅଧିକ ଫିଲ୍ମ ଅଭିନୟ କରିଥିଲେ। ଶେଷ ଥର ପାଇଁ କ୍ରିଷ୍ଣମ ରାଜୁଙ୍କୁ ତାଙ୍କ ପୁତୁରା ପ୍ରଭାସ ଅଭିନୀତ ଫିଲ୍ମ ‘ରାଧେ ଶ୍ୟାମ’ରେ ଦେଖିବାକୁ ମିଳିଥିଲା। ଏହାଛଡ଼ା ସେ ପ୍ରଭାସଙ୍କ ସହ ‘ରେବେଲ୍’, ‘ବିଲା ଡନ୍’, ‘ଦି ରିଟର୍ଣ୍ଣ ଅଫ୍ ରେବେଲ୍-୨’ ଭଳି ମଧ୍ୟ ସୁପରହିଟ୍ ଫିଲ୍ମରେ ଏକାଠି କାମ କରିଥିଲେ ।

୧୯୬୬ ମସିହାରେ କ୍ରିଷ୍ଣମ ରାଜୁ ତାଙ୍କ ଫିଲ୍ମ କ୍ୟାରିୟର ଆରମ୍ଭ କରିଥିଲେ ଏବଂ ବିଭିନ୍ନ ଚରିତ୍ରରେ ନିଜର ପରିଚୟ ସୃଷ୍ଟି କରିଥିଲେ | ସେ ତିନୋଟି ରାଜ୍ୟ ନନ୍ଦୀ ପୁରସ୍କାର ଏବଂ ପାଞ୍ଚଟି ସାଉଥ୍ ଫିଲ୍ମଫେୟାର ପୁରସ୍କାର ଜିତିଥିଲେ | ଏହାଛଡ଼ା ସେ ରାଜନୀତିରେ ମଧ୍ୟ ସକ୍ରିୟ ଥିଲେ। ୧୯୯୮ ରୁ ୨୦୦୨ ପର୍ଯ୍ୟନ୍ତ ସେ ତତ୍କାଳୀନ ପ୍ରଧାନମନ୍ତ୍ରୀ ଅଟଳ ବିହାରୀ ବାଜପେୟୀଙ୍କ ସରକାରରେ ମନ୍ତ୍ରୀ ଥିଲେ। କ୍ରିଷ୍ଣମ ରାଜୁଙ୍କ ପରଲୋକରେ ଟଲିଉଡ୍ ଫିଲ୍ମ ଇଣ୍ଡଷ୍ଟ୍ରିରେ ଶୋକର ଛାୟା ଖେଳିଯାଇଛି ।

Comments are closed.