ନିୟମ କୋହଳ ସତ୍ତ୍ୱେ ‘ଅଗ୍ନିପଥ’ ବିରୋଧରେ ଆନ୍ଦୋଳନ ଜାରି, ସମସ୍ତିପୁରରେ ଟ୍ରେନ୍ ଜାଳିଦେଲେ ଉତ୍ତ୍ୟକ୍ତ ଯୁବକ

ନୂଆଦିଲ୍ଲୀ: ସେନା ନିଯୁକ୍ତି ପାଇଁ କେନ୍ଦ୍ର ସରକାର ଆଣିଥିବା ଅଗ୍ନିପଥ ଯୋଜନା ବିରୋଧରେ ତୃତୀୟ ଦିନ ମଧ୍ୟ ବିରୋଧ ଜାରି ରହିଛି। ଏହି ଯୋଜନାରେ କିଛି ପରିବର୍ତ୍ତନ ପରେ ମଧ୍ୟ ଆଶାୟୀ ଯୁବକମାନେ ଖୁସି ନୁହନ୍ତି । ସେମାନେ ଅଗ୍ନିପଥ ଯୋଜନାକୁ ପ୍ରତ୍ୟାହାର କରି ପୁରୁଣା ନିଯୁକ୍ତି ପ୍ରକ୍ରିୟା କାର୍ଯ୍ୟକାରୀ କରିବାକୁ ଦାବି କରୁଛନ୍ତି। ଆଜି ମଧ୍ୟ ବିହାର-ୟୁପିରେ ବହୁ ଯୁବକ ସକାଳୁ ରାସ୍ତା ଅବରୋଧ କରି କେନ୍ଦ୍ର ସରକାରଙ୍କ ବିରୋଧରେ ସ୍ଲୋଗାନ ଦେଇଥିଲେ। ବକ୍ସର, ସମସ୍ତିପୁର ଏବଂ ବିହାରର ମୁଙ୍ଗେର ଏବଂ ଉତ୍ତରପ୍ରଦେଶର ବାଲିଆରେ ଉତ୍ତେଜନା ପ୍ରକାଶ ପାଇଛି। ଏହି ସ୍ଥାନଗୁଡିକରେ ଯୁବକମାନେ ଗତକାଲି ପରି ପୁଣି ଟ୍ରେନକୁ ଟାର୍ଗେଟ କରିଛନ୍ତି । ସେମାନେ ଟ୍ରାକରେ ବସି ବିକ୍ଷୋଭ ପ୍ରଦର୍ଶନ କରିଛନ୍ତି। ଆଉ କିଛି ବିକ୍ଷୋଭକାରୀ ସମସ୍ତିପୁର ଜାମ୍ମୁ ତାୱି-ଗୁଆହାଟି ଏକ୍ସପ୍ରେସ ଟ୍ରେନରେ ନିଆଁ ଲଗାଇ ଦେଇଛନ୍ତି। ବାଲିଆରେ ବିକ୍ଷୋଭକାରୀଙ୍କ ଉପରେ ପୋଲିସ ଲାଠି ଚାର୍ଜ କରିଥିବା ଖବର ରହିଛି।

ଉଲ୍ଲେଖଯୋଗ୍ୟ ଯେ, ଗୁରୁବାର ଦେଶବ୍ୟାପୀ ବିରୋଧ ମଧ୍ୟରେ ‘ଅଗ୍ନିପଥ’ ସାମରିକ ନିଯୁକ୍ତି ଯୋଜନା ପାଇଁ ବୟସ ସୀମା ୨୧ ରୁ ୨୩ କୁ ବୃଦ୍ଧି କରାଯାଇଛି। ଗତ ଦୁଇ ବର୍ଷ ମଧ୍ୟରେ କୌଣସି ନିଯୁକ୍ତି ହୋଇ ନ ଥିବାରୁ ଏହି ନିଷ୍ପତ୍ତି ନିଆଯାଇଛି ବୋଲି ସରକାର ପ୍ରକାଶ କରିଛନ୍ତି।

ସେନାବାହିନୀରେ ନିଯୁକ୍ତି ପାଇଁ କେନ୍ଦ୍ର ସରକାର ମଙ୍ଗଳବାର ‘ଅଗ୍ନିପଥ’ ଯୋଜନା ଘୋଷଣା କରିଥିଲେ । ଏହି ଯୋଜନା ଅଧୀନରେ ସେନାରେ କେବଳ ଚାରି ବର୍ଷ ପାଇଁ ନିଯୁକ୍ତି ମିଳିବ । ଏହାପରେ ୭୫ ପ୍ରତିଶତ ସୈନିକଙ୍କୁ ସେବା ନିବୃତ କରାଯିବ । ଅଗ୍ନିପଥ ଯୋଜନା ଅଧୀନରେ ନିଯୁକ୍ତ ସୈନିକଙ୍କୁ ପେନସନ ସୁବିଧା ମଳିବ ନାହିଁ । ଏହି ନିଯୁକ୍ତି ଯୋଜନାକୁ କିନ୍ତୁ ଦେଶର ଯୁବଗୋଷ୍ଠୀ ବିରୋଧ କରୁଛନ୍ତି । ଏହି ଯୋଜନା ବିରୋଧରେ ଗୁରୁବାର ୟୁପି-ବିହାର ସମେତ ଦେଶର ଅନେକ ରାଜ୍ୟରେ ହିଂସାତ୍ମକ ପ୍ରଦର୍ଶନ ହୋଇଛି। ବିହାରର କିଛି ସ୍ଥାନରେ ଉତ୍ତ୍ୟକ୍ତ ଛାତ୍ରମାନେ ଟ୍ରେନରେ ନିଆଁ ଲଗାଇ ଦେଇଥିଲେ ଏବଂ କେତେକ ସ୍ଥାନରେ ପଥର ମାଡ଼ କରାଯାଇଥିଲା ।

Comments are closed.