ଟ୍ରେଭର ବେଲିସ୍ ହେଲେ ପଞ୍ଜାବ କିଙ୍ଗ୍ସର ନୂଆ କୋଚ୍

ନୂଆଦିଲ୍ଲୀ: ମୁମ୍ବାଇ ଇଣ୍ଡିଆନ୍ସ ପରେ ପଞ୍ଜାବ କିଙ୍ଗ୍ସ ମଧ୍ୟ ନୂଆ କୋଚ୍ ଘୋଷଣା କରିଛି । ଭାରତୀୟ କିମ୍ବଦନ୍ତୀ ଅନିଲ କୁମ୍ବଲେଙ୍କ ସ୍ଥାନରେ ପଞ୍ଜାବ କିଙ୍ଗସ୍ ଶୁକ୍ରବାର ଆଇପିଏଲ୍ ୨୦୨୩ ସିଜନ୍ ପାଇଁ ଅଷ୍ଟ୍ରେଲିଆର ଟ୍ରେଭର୍ ବେଲିସଙ୍କୁ ନିଜର ନୂଆ ମୁଖ୍ୟ କୋଚ୍ ଭାବେ ନିଯୁକ୍ତ କରିଛି।

ଜଣେ ସଫଳ କୋଚ୍ ଭାବେ ବେଲିସଙ୍କ ଖ୍ୟାତି ରହିଛି । ବେଲିସ୍ କୋଚ୍ ଥିବାବେଳେ ଇଂଲଣ୍ଡ ୨୦୧୯ରେ ଦିନିକିଆ ବିଶ୍ୱକପ୍ ଚାମ୍ପିୟନ ହୋଇଥିଲା । ଏହାଛଡ଼ା ତାଙ୍କ କୋଚିଂରେ କୋଲକାତା ନାଇଟ୍ ରାଇଡର୍ସ (କେକେଆର୍) ଦୁଇଥର (୨୦୧୨,୨୦୧୪) ଆଇପିଏଲ୍ ଟାଇଟଲ୍ ଜିତିଥିବା ବେଳେ ସିଡନୀ ସିକ୍ସର୍ସ ବିଗ୍ ବ୍ୟାସ୍ ଲିଗ୍ (ବିବିଏଲ୍) ଚାମ୍ପିୟନ ହୋଇଥିଲା |

ବେଲିସ୍ ଏକ ବିବୃତ୍ତିରେ କହିଛନ୍ତି, “ପଞ୍ଜାବ କିଙ୍ଗ୍ସର ମୁଖ୍ୟ କୋଚ୍ ଭୂମିକା ଗ୍ରହଣ କରି ମୁଁ ଗର୍ବିତ। ମୁଁ ଏହି ଦଳର ସଫଳତାକୁ ଅପେକ୍ଷା କରିଛି। ଏହି ଦଳର ମହାନ ଖେଳାଳିଙ୍କ ସହ ଟ୍ରଫି ଜିତିବାକୁ ମୁଁ ବହୁତ ଉତ୍ସାହିତ ଅଛି।”

ଅନିଲ କୁମ୍ବଲେଙ୍କ ସ୍ଥାନରେ ବେଲିସଙ୍କୁ ପଞ୍ଜାବର ମୁଖ୍ୟ କୋଚ୍ କରାଯାଇଛି । କୁମ୍ବଲେଙ୍କ କୋଚିଂ କାର୍ଯ୍ୟକାଳରେ ଏହି ଦଳ ଲଗାତାର ତିନି ବର୍ଷ ପ୍ଲେ ଅଫରେ ପହଞ୍ଚିବାରେ ବିଫଳ ହୋଇଥିଲା ।

ଆଇପିଏଲରେ ପଞ୍ଜାବର ଦଳ କେବଳ ଥରେ ଫାଇନାଲ ଖେଳିଛି । ଦଳ ୨୦୧୪ରେ ଏହି ଦଳ ଫାଇନାଲ ମ୍ୟାଚରେ କୋଲକାତା ଠାରୁ ହାରି ରନର୍ସ ଅପ୍ ହୋଇଥିଲା । ଆଇପିଏଲର ଶେଷ ଚାରି ସିଜନରେ ପଞ୍ଜାବ କିଙ୍ଗସ ଷଷ୍ଠ ସ୍ଥାନରେ ରହିଛି।

Comments are closed.