ପ୍ରଫେସର ଡାକ୍ତର ଜେପି ଦାସ: ହୃଦରୋଗ ଚିକିତ୍ସାର କିମ୍ବଦନ୍ତୀ ପୁରୁଷ

 ( ପ୍ରଫେସର ଜେପି ଦାସ , ୧୯୩୩-୨୦୨୩ ) 

ଚିକିତ୍ସା କ୍ଷେତ୍ରରେ ଦେଶବିଦେଶରେ ଉଚ୍ଚ ପ୍ରଶଂସିତ ଓ ଲୋକପ୍ରିୟ ଅଗ୍ରଣୀ ଓଡ଼ିଆ ଡାକ୍ତରଙ୍କ ମଧ୍ୟରେ ଥିଲେ ହୃଦରୋଗ ବିଶେଷଜ୍ଞ ପ୍ରଫେସର ଡାକ୍ତର ଯଦୁନାଥ ପ୍ରସାଦ ଦାସ । ଦେଶର ଆନ୍ତର୍ଜାତିକ ଖ୍ୟାତିସମ୍ପନ୍ନ ହୃଦରୋଗ ବିଶେଷଜ୍ଞଙ୍କ ମଧ୍ୟରେ ଅନ୍ୟତମ ପ୍ରଫେସର ଦାସଙ୍କ ସ୍ୱର୍ଗବାସ ସହ ଓଡ଼ିଶାର ଚିକିତ୍ସା କ୍ଷେତ୍ରରେ ଏକ ଯୁଗର ଅବସାନ ହୋଇଛି। ତାଙ୍କର ଅବର୍ତ୍ତମାନ ଏକ ଅପୂରଣୀୟ କ୍ଷତି । ଚିକିତ୍ସା କ୍ଷେତ୍ରରେ ଉଲ୍ଲେଖନୀୟ ଅବଦାନ ପାଇଁ ସର୍ବଦା ସ୍ମରଣୀୟ ରହିବେ ସ୍ୱର୍ଗତ ଦାସ । ହୃଦରୋଗ ଚିକିତ୍ସା କ୍ଷେତ୍ରରେ ଜେ.ପି ଦାସଙ୍କ ଅବଦାନ ଥିଲା ଉଲ୍ଲେଖନୀୟ । ଓଡ଼ିଶାରେ ହୃଦରୋଗ ଚିକିତ୍ସାର ପିତାମହ ରୂପେ ସେ ସ୍ୱୀକୃତ ଯିଏ କି କଟକ ଶ୍ରୀରାମଚନ୍ଦ୍ର ଭଞ୍ଜ ମେଡ଼ିକାଲ୍‌ କଲେଜ ଓ ହସ୍ପିଟାଲରେ ହୃଦରୋଗ ବିଭାଗ ପ୍ରତିଷ୍ଠା କରିବାରେ ମୁଖ୍ୟ ଭୂମିକା ଗ୍ରହଣ କରିଥିଲେ। ଆଉ ସଂପୃକ୍ତ ବିଭାଗର ପ୍ରଥମ ପ୍ରଫେସର ଥିଲେ ଜେପି ଦାସ । ତାଙ୍କ କାର୍ଯ୍ୟକାଳରେ ଶ୍ରୀରାମଚନ୍ଦ୍ର ଭଂଜ ମେଡ଼ିକାଲ କଲେଜରେ ପ୍ରତିଷ୍ଠା ହୋଇଥିଲା ପ୍ରଥମ ଆଇସିୟୁ । ଏଥିସହ ଶରୀରରେ ପେସମେକର୍‌ ଖଞ୍ଜିବା କାମ ବି ତାଙ୍କ କାର୍ଯ୍ୟକାଳରେ ଆରମ୍ଭ ହୋଇଥିଲା। ତାଙ୍କରି କାର୍ଯ୍ୟକାଳ ହିଁ ପ୍ରଥମେ ଶ୍ରୀରାମଚନ୍ଦ୍ର ଭଂଜ ମେଡ଼ିକାଲ କଲେଜରେ ଡିଏମ (କାର୍ଡିଓଲୋଜି) ଶିକ୍ଷାଦାନ ବ୍ୟବସ୍ଥା ଆରମ୍ଭ ହୋଇଥିଲା । ତାଙ୍କର ପ୍ରୟାସର ଫଳସ୍ୱରୂପ ପରବର୍ତ୍ତୀ ସମୟରେ ଶ୍ରୀରାମଚନ୍ଦ୍ର ଭଂଜ ମେଡ଼ିକାଲ କଲେଜ ଭାରତରେ ଏକ ସ୍ୱୟଂସମ୍ପୂର୍ଣ୍ଣ ଓ ଗୁରୁତ୍ବପୂର୍ଣ୍ଣ ହୃଦରୋଗ ଚିକିତ୍ସା କେନ୍ଦ୍ର ରୂପେ ପରିଚିତି ପାଇଥିଲା ।

ପ୍ରଫେସର ଡକ୍ଟର ଯଦୁନାଥ ପ୍ରସାଦ ଦାସ ୧୯୩୩ ମସିହା ଅଗଷ୍ଟ ୫ ତାରିଖରେ ଖୋର୍ଦ୍ଧାରେ ଜନ୍ମ ଗ୍ରହଣ କରିଥିଲେ। ବିଶ୍ବନାଥ ଦାସ ଓ ନୀଳମଣି ଦେବୀ ତାଙ୍କର ପିତା-ମାତା ଥିଲେ। ବାଲ୍ୟଶିକ୍ଷା ଠାରୁ ଏମବିବିଏସ ପର୍ଯ୍ୟନ୍ତ ସେ କଟକ ସହରରେ ପଢ଼ିଥିଲେ। ବିଦେଶରେ ସ୍ନାତକୋତ୍ତର ସ୍ତରୀୟ ଡିଗ୍ରୀ ହାସଲ ପରେ ଭେଲୋର ସ୍ଥିତ ଖ୍ରୀଷ୍ଟିୟାନ୍‌ ମେଡିକାଲ କଲେଜରୁ ହୃଦ୍‌ରୋଗ ଉପରେ ଡକ୍ଟରେଟ୍‌ ଅଫ୍‌ ମେଡ଼ିସିନ୍‌ ଅଥବା ଡି.ଏମ (କାର୍ଡିଓଲୋଜି) ପରୀକ୍ଷାରେ ସେ ଉତ୍ତୀର୍ଣ୍ଣ ହୋଇଥିଲେ । ଷାଠିଏ ଦଶକ ଶେଷ ସୁଦ୍ଧା ସ୍ୱର୍ଗତ ଦାସ ଥିଲେ ସମଗ୍ର ପୂର୍ବ ଭାରତର ଏକମାତ୍ର ଡିଏମ୍‌ ଡିଗ୍ରିଧାରୀ କାର୍ଡିଓଲୋଜିଷ୍ଟ ।

ଉଭୟ ମାଟ୍ରିକ ଓ ଆଇଏସସି ପରୀକ୍ଷାରେ ସମଗ୍ର ଓଡ଼ିଶାରୁ ସର୍ବଶ୍ରେଷ୍ଠ ପ୍ରଥମ ଦଶ ଜଣ ଛାତ୍ରଛାତ୍ରୀଙ୍କ ମଧ୍ୟରୁ ଜେପି ଥିଲେ ଅନ୍ୟତମ। ଦେଶବିଦେଶର ବହୁ ଖ୍ୟାତନାମା ଶିକ୍ଷା ପ୍ରତିଷ୍ଠାନରୁ ପାଇଥିଲେ ଅସଂଖ୍ୟ ସମ୍ମାନ । ସେ ଥିଲେ ମଧ୍ୟ ବିଶ୍ୱ ସ୍ୱାସ୍ଥ୍ୟ ସଂଗଠନର ସଦସ୍ୟ । ସଙ୍ଗଠନର ସଦସ୍ୟ ଭାବେ ଜେପି ଦାସ ବହୁବାର ବିଦେଶ ଯାତ୍ରା କରିଥିଲେ। ୧୯୭୭ ମସିହାରେ ପ୍ରଫେସର ଦାସ ବିଶ୍ୱ ସ୍ୱାସ୍ଥ୍ୟ ସଂଗଠନ ଦ୍ୱାରା ମନୋନୀତ ହୋଇ ବିଶ୍ୱର ୫ଟି ପ୍ରମୁଖ ହୃଦରୋଗ ଚିକିତ୍ସା ପ୍ରତିଷ୍ଠାନକୁ ତାଲିମ, ଅଧ୍ୟୟନ ଓ ଉଚ୍ଚତର ଗବେଷଣା କ୍ଷେତ୍ରରେ ପାଇଁ ଯାଇଥିଲେ। ଲଣ୍ଡନର ନ୍ୟାସନାଲ ହାର୍ଟ ହସପିଟାଲ, ରୋଟାରଡ୍ୟାମର ଥୋରାକ୍ସ ସେଣ୍ଟମ, କୋପେନହେଗେନର ରିଗସ୍‌ ହସ୍ପିଟାଲ /ରୟାଲ ହସ୍ପିଟାଲ, କୋପେନହେଗେନ, ସୁଇଡେନର ଆଲମାନା ହସ୍‌ପିଟାଲ ଓ ମସ୍କୋର ଇନଷ୍ଟିଚ୍ୟୁଟ ଅଫ କାର୍ଡିଓଲୋଜି ପରିଦର୍ଶନ କରିଥିଲେ ଡାକ୍ତର ଦାସ।

ହୃଦରୋଗ ଉପରେ ଏକାଧିକ ଗବେଷଣା ସମ୍ବଳିତ ଲେଖାର ରଚୟିତା ହେଉଛନ୍ତି ଡାକ୍ତର ଦାସ। ପ୍ରଫେସର ଜେପି ଦାସ ଜଣେ ପ୍ରତିଷ୍ଠିତ ହୃଦରୋଗ ବିଶେଷଜ୍ଞ ହେବା ସହ ସ୍ୱନାମଧନ୍ୟ ଚିତ୍ରଶଳ୍ପୀ ଓ ସୌଖୀନ କାବ୍ୟଶିଳ୍ପୀ ଭାବରେ ବି ଖ୍ୟାତି ଅର୍ଜନ କରିଛନ୍ତି।  ମାନବସେବା ପ୍ରତି ସମର୍ପିତ ଥିଲା ଡାକ୍ତର ଜେପି ଦାସଙ୍କ ଜୀବନ । ସାଧନା, ସଂଘର୍ଷ ଓ ସଫଳତାର ଜୀବନ ଅତିବାହିତ କରିଥିଲେ ଡାକ୍ତର ଜେପି ଦାସ ।

ସତରେ ଡାକ୍ତର ଜେପି ଦାସ ଥିଲେ ବହୁବିଧ ପ୍ରତିଭା ସମ୍ପନ୍ନ ଯୋଗଜନ୍ମା । ଜଣେ ବିରଳ ବ୍ୟକ୍ତିତ୍ଵ।

( ନ୍ୟୁଜରୁମ ଓଡ଼ିଶା ଡେସ୍କ )

Comments are closed.