କର୍ଣ୍ଣାଟକରୁ ରାଜସ୍ଥାନ ଯାଉଥିବା ଟମାଟୋ ବୋଝେଇ ଟ୍ରକ୍ ରହସ୍ୟଜନକ ଭାବେ ଗାଏବ୍

ବେଙ୍ଗାଲୁରୁ: ଆକାଶଛୁଆଁ ଦର‌‌ ଯୋଗୁଁ  ଟମାଟୋ ଏବେ  ଦୁର୍ଲ୍ଲଭ । ଲୋକେ ଟମାଟୋରେ ହାତ ମାରିବାକୁ ଡରୁଛନ୍ତି  । ସେପଟେ ବେପାରୀ ମାନଙ୍କୁ ଟମାଟୋ ଷ୍ଟକର ସୁରକ୍ଷା ଚିନ୍ତା । କାରଣ ନିକଟରେ ଟମାଟୋ ଚୋରି ଏବଂ ଲୁଟ୍ ଘଟଣା ବୃଦ୍ଧି ପାଇଛି। ଏବେ ପୁଣି ଏପରି ଏକ ଘଟଣା ସାମ୍ନାକୁ ଆସିଛି। କର୍ଣ୍ଣାଟକର କୋଲାରରୁ ରାଜସ୍ଥାନ ଯାଉଥିବା ଟମାଟୋ ବୋଝେଇ ଏକ ଟ୍ରକ୍ ରହସ୍ୟଜନକ ଭାବେ ଗାଏବ ହୋଇଯାଇଛି। ଟ୍ରକରେ ୨୧ ଲକ୍ଷ ମୂଲ୍ୟର ଟମାଟୋ ଥିଲା ବୋଲି କୁହାଯାଇଛି ।

ଟମାଟୋ ଭର୍ତ୍ତି ଏକ ଟ୍ରକ୍ ଗାଏବ୍ ହୋଇଯିବା ପରେ ଚିନ୍ତିତ ବେପାରୀମାନେ  କୋଲାର ପୋଲିସ ଥାନାରେ ଅଭିଯୋଗ କରିଛନ୍ତି  । ଏଥିରେ କୁହାଯାଇଛି ଯେ ଜୁଲାଇ ୨୭ରେ ଦୁଇଜଣ ବ୍ୟବସାୟୀ କୋଲାର ଏପିଏମସି ୟାର୍ଡରୁ ରାଜସ୍ଥାନର ଜୟପୁରକୁ ଟମାଟୋ ନେବା ପାଇଁ ଏକ ଟ୍ରକ୍ ବୁକ୍ କରିଥିଲେ। ଏହା ବାଟରେ କେଉଁଆଡେ ଗାଏବ୍ ହୋଇଯାଇଛି ।

ଉଲ୍ଲେଖଯୋଗ୍ୟ, ହୋଲସେଲ ବଜାରରେ ସମ୍ପ୍ରତି ୧୫ କେଜି ଟମାଟୋ ପେଟି ପ୍ରାୟ ୨,୦୦୦ ଟଙ୍କା ରହିଛି। ଖୁଚୁରା ବଜାରରେ ଟମାଟୋ କେଜି ପିଛା ୧୫୦ ରୁ ୨୦୦ ଟଙ୍କାରେ ବିକ୍ରି ହେଉଛି | ଟମାଟୋ ବୋଝେଇ ଟ୍ରକ ଶନିବାର ରାତିରେ ଜୟପୁରରେ ପହଞ୍ଚିବାର ଥିଲା। ହେଲେ ଟ୍ରକଟି ଗନ୍ତବ୍ୟ ସ୍ଥଳରେ ପହଞ୍ଚି ନ ଥିବା ବେଳେ ଡ୍ରାଇଭରଙ୍କ ମୋବାଇଲ୍ ଫୋନ୍ ସୁଇଚ୍ ଅଫ୍ ଅଛି । ଟ୍ରକ୍ ଅପରେଟର ସହିତ ଯୋଗାଯୋଗ କରିବାର ପ୍ରୟାସ ବିଫଳ ହୋଇଛି | କିଛି ଗଡ଼ବଡ଼ ଆଶଙ୍କା କରି କୋଲାର ବ୍ୟବସାୟୀମାନେ ପୋଲିସ ନିକଟରେ ଅଭିଯୋଗ କରିଛନ୍ତି।

ପୋଲିସ କହିଛି ଯେ, ଜିପିଏସ ଟ୍ରାକର ଅନୁଯାୟୀ ଟ୍ରକଟି କୋଲାରଠାରୁ ପ୍ରାୟ ୧୬୦୦ କିଲୋମିଟର ଯାତ୍ରା କରିଥିଲା। ଏହା ପରେ ଗାଡିର କୌଣସି ପତ୍ତା ମିଳିନଥିଲା।ଟ୍ରକର କ୍ଲିନର୍ ପାଖରେ ମୋବାଇଲ୍ ନଥିବାରୁ ଟ୍ରକକୁ ଖୋଜିବା ଉଦ୍ୟମ ବ୍ୟର୍ଥ ହୋଇଛି | କୋଲାର ବ୍ୟବସାୟୀ ଗାଏବ୍ ଟମାଟୋ ଭର୍ତ୍ତି ଟ୍ରକ୍ ଚୋରି ହୋଇଥିବା ସନ୍ଦେହ କରୁଛନ୍ତି  ।

Comments are closed.