ଏଣିକି ଟ୍ୱିଟରରେ ବ୍ଲୁ ଟିକ୍ ପାଇଁ ଲାଗିବ ଚାର୍ଜ, ନୂଆ ମାଲିକ ମସ୍କ ଦେଲେ ସଙ୍କେତ

ନୂଆଦିଲ୍ଲୀ: ଟ୍ୱିଟରରେ ଏଣିକି ବ୍ଲୁ ଟିକ୍ ବ୍ୟବହାର ପାଇଁ ଚାର୍ଜ ଲାଗିବ ।‌‌ଏହି ସୋସିଆଲ ମିଡ଼ିଆ କମ୍ପାନୀର ନୂଆ ମାଲିକ ତଥା ସିଇଓ ଏଲନ୍ ମସ୍କ ଏହା ସ୍ପଷ୍ଟ କରିଛନ୍ତି ।

ଆରମ୍ଭରୁ ଟ୍ୱିଟର ବିଶିଷ୍ଟ ବ୍ୟକ୍ତି ଏବଂ ସଂଗଠନକୁ ବ୍ଲୁ ଟିକ୍ ପ୍ରଦାନ କରିଆସୁଥିଲା, ଯାହା ଦ୍ଵାରା ସମ୍ପୃକ୍ତ ବ୍ୟକ୍ତି/ସଂସ୍ଥାର ଆକାଉଣ୍ଟ ଭେରିଫାଏଡ୍ ବା ଅସଲି ବୋଲି ଜଣାପଡିବ । ଧୀରେ ଧୀରେ ଏହି ବ୍ଲୁ ଟିକ୍ ସୋସିଆଲ ମିଡିଆ ଜଗତରେ ଏକ ସମ୍ମାନର ମାନକ ପାଲଟିଥିଲା | ଏହା ମଧ୍ୟ ସମ୍ପୂର୍ଣ୍ଣ ମାଗଣା ଥିଲା ।

ହେଲେ ମସ୍କ ଟ୍ୱିଟର କିଣିବା ପରେ ସେ ବ୍ଲୁ ଟିକ୍ କୁ ଏକ ପେଡ୍ ସର୍ଭିସରେ ପରିଣତ କରିପାରନ୍ତି ବୋଲି ଚର୍ଚ୍ଚା ହେଉଥିଲା । ଏନେଇ ଏବେ ଟ୍ବିଟର ମାଲିକ ମସ୍କ ନିଜେ ସ୍ପଷ୍ଟ କରିଛନ୍ତି । ହେଲେ ମସ୍କଙ୍କ ଏପରି ପଦକ୍ଷେପକୁ ଅନେକେ ୟୁଜର ବିରୋଧ କରିଛନ୍ତି ।

ଆମେରିକୀୟ ଲେଖକ ଷ୍ଟିଫେନ୍ କିଙ୍ଗ ଟ୍ୱିଟ୍ କରି କହିଛନ୍ତି – ‘ବ୍ଲୁ ଟିକ୍ ପାଇଁ ମୋତେ ଯଦି ପ୍ରତି ମାସରେ ୨୦ ଡଲାର ଖର୍ଚ୍ଚ କରିବାକୁ ପଡ଼ିବ, ତେବେ ମୁଁ ଏହି ପ୍ଲାଟଫର୍ମ ଛାଡ଼ିଦେବି |”

ଏହାର ଉତ୍ତର ଦେଇ ଏଲନ୍ ମସ୍କ ଲେଖିଛନ୍ତି ଯେ “ଆମକୁ ମଧ୍ୟ ଆମର ବିଲ୍ ପୈଠ କରିବାକୁ ପଡିବ, ଟ୍ୱିଟର କେବଳ ବିଜ୍ଞାପନଦାତାଙ୍କ ଉପରେ ନିର୍ଭର କରିପାରିବ ନାହିଁ। ୮ ଡଲାର ଠିକ୍ ହେବ କି? ”

ମସ୍କ ପୁଣି ଲେଖିଛନ୍ତି – “ଏହାକୁ ଲାଗୁ କରିବା ପୂର୍ବରୁ ମୁଁ ଏହି ପଦକ୍ଷେପର କାରଣଗୁଡିକ ବିସ୍ତୃତ ଭାବରେ ବର୍ଣ୍ଣନା କରିବି | ଟ୍ରୋଲ ଏବଂ ବଟ୍ (ନକଲି ଆକାଉଣ୍ଟ) ହଟାଇବା ପାଇଁ ଏହା ହେଉଛି ଏକମାତ୍ର ଉପାୟ। “

Comments are closed.