ସରକାରଙ୍କୁ ପୁଣି କୋର୍ଟକୁ ଟାଣିଲା ଟ୍ବିଟର

ନୂଆଦିଲ୍ଲୀ: ଟ୍ୱିଟର ଏବଂ ଭାରତ ସରକାରଙ୍କ ମଧ୍ୟରେ ପୁଣି ମୁହାଁମୁହିଁ ପରିସ୍ଥିତି ସୃଷ୍ଟି ହୋଇଛି। ସରକାରୀ ବିରୋଧୀ ପୋଷ୍ଟ ହଟାଇବା ନେଇ ଭାରତ ସରକାରଙ୍କ ନିର୍ଦ୍ଦେଶକୁ ଟ୍ୱିଟର କର୍ଣ୍ଣାଟକ ହାଇକୋର୍ଟରେ ଚ୍ୟାଲେଞ୍ଜ କରିଛି । ସରକାରୀ ଅଧିକାରୀମାନେ କ୍ଷମତାର ଅପବ୍ୟବହାର କରୁଛନ୍ତି ବୋଲି ମଧ୍ୟ ଅଭିଯୋଗ କରିଛି ଟ୍ବିଟର।

ବିଗତ କିଛି ବର୍ଷ ମଧ୍ୟରେ ଭାରତୀୟ କର୍ତ୍ତୃପକ୍ଷ ଟ୍ୱିଟରକୁ ଅନେକ ଆକାଉଣ୍ଟ ଏବଂ ପୋଷ୍ଟ ଉପରେ କାର୍ଯ୍ୟାନୁଷ୍ଠାନ ଗ୍ରହଣ କରିବାକୁ କହିଆସିଛନ୍ତି । ଏହି ସବୁ ଆକାଉଣ୍ଟ ମିଥ୍ୟା ଏବଂ ବିଭ୍ରାନ୍ତିକର ତଥ୍ୟ ପ୍ରସାର କରୁଛନ୍ତି ବୋଲି ଭାରତ ସରକାର ଦାବି କରୁଛନ୍ତି।

ଅନ୍ୟପକ୍ଷରେ ଭାରତ ସରକାରଙ୍କ ଆଇଟି ମନ୍ତ୍ରୀ ଅଶ୍ୱିନୀ ବୈଷ୍ଣବ କହିଛନ୍ତି ଯେ, ଯେକୌଣସି କ୍ଷେତ୍ରରେ କାର୍ଯ୍ୟ କରୁଥିବା ଯେକୌଣସି କମ୍ପାନୀ ହେଉ ନା କାହିଁକି ତାକୁ ଭାରତର ଆଇନ ମାନିବାକୁ ପଡ଼ିବ । ଏହାଛଡ଼ା ସେ ସୋସିଆଲ ମିଡିଆ ପ୍ଲାଟଫର୍ମ ଗୁଡିକୁ ଦାୟିତ୍ବବାନ କରାଇବା ଏବଂ ନିୟନ୍ତ୍ରଣ କରିବା କଥା ବି କହିଛନ୍ତି।

ସେ କହିଛନ୍ତି, “ବିଶ୍ବରେ ପ୍ରତ୍ୟେକ ଦେଶ ତଥା ସମାଜ ସୋସିଆଲ ମିଡିଆକୁ କିପରି ଉତ୍ତରଦାୟୀ କରାଯିବ ସେ ଦିଗରେ କାର୍ଯ୍ୟ କରୁଛନ୍ତି । ସୋସିଆଲ ମିଡ଼ିଆ କମ୍ପାନୀ ଗୁଡ଼ିକୁ ସେଲ୍ଫ ରେଗୁଲେସନ ଉପରେ ଗୁରୁତ୍ବ ଦେବାକୁ ପଡ଼ିବ । ସମାଜ ଉପରେ କୁପ୍ରଭାବ ପକାଉଥିବା କଣ୍ଟେଣ୍ଟ ଗୁଡ଼ିକୁ କିପରି ହଟାଯିବ ତାହା ସୋସିଆଲ ମିଡ଼ିଆ କମ୍ପାନୀ ଗୁଡ଼ିକୁ ନିଜେ ଦେଖିବାକୁ ପଡ଼ିବ । ଏହା ପରେ ଇଣ୍ଡଷ୍ଟ୍ରି ରେଗୁଲେସନ ଏବଂ ତା’ପରେ ସରକାରୀ ରେଗୁଲେସନ ଆସିବ ବୋଲି ବୈଷ୍ଣବ କହିଛନ୍ତି ।

ନିକଟରେ ଟ୍ବିଟର ତରଫରୁ ପ୍ରକାଶିତ ଏକ ଡକ୍ୟୁମେଣ୍ଟରେ କୁହାଯାଇଥିଲା ଯେ କିଛି ସାମ୍ବାଦିକ, ବିରୋଧୀ ଦଳ ନେତା ଓ ସରକାରଙ୍କୁ ସମାଲୋଚନା କରୁଥିବା ଆକାଉଣ୍ଟ ଗୁଡିକୁ ବ୍ଲକ୍ କରିବାକୁ ଭାରତ ସରକାର ନିର୍ଦ୍ଦେଶ ଦେଇଥିଲେ ।

Comments are closed.