ରଜୌରିରେ ସେନା ଓ ଆତଙ୍କବାଦୀଙ୍କ ମଧ୍ୟରେ ଗୁଳି ବିନିମୟ, ଦୁଇ ଯବାନ ସହିଦ୍

ଶ୍ରୀନଗର: ଜମ୍ମୁ କାଶ୍ମୀରର ସୀମାନ୍ତ ଜିଲ୍ଲା ରଜୌରିରେ ଶୁକ୍ରବାର ସୁରକ୍ଷା ବାହିନୀ ଓ ଆତଙ୍କବାଦୀଙ୍କ ମଧ୍ୟରେ ଗୁଳି ବିନିମୟରେ ସେନାର ଦୁଇ ଯବାନ ସହିଦ୍ ହୋଇଛନ୍ତି ।

ଏହି ଏନକାଉଣ୍ଟରରେ ଚାରିଜଣ ସୈନିକ ଆହତ ହୋଇଛନ୍ତି । ସେମାନଙ୍କୁ ଉଦ୍ଧମପୁରର କମାଣ୍ଡ ହସ୍ପିଟାଲରେ ଭର୍ତ୍ତି କରାଯାଇଛି। ଏହି ସଂଘର୍ଷରେ ଏପର୍ଯ୍ୟନ୍ତ କୌଣସି ଆତଙ୍କବାଦୀ ନିହତ ହୋଇଛନ୍ତି କି ନାହିଁ କିଛି ସ୍ପଷ୍ଟ କରାଯାଇ ନାହିଁ ।

ଜମ୍ମୁରେ ସେନା ମୁଖପାତ୍ର ଲେଫ୍ଟନାଣ୍ଟ କର୍ଣ୍ଣେଲ ଦେବେନ୍ଦ୍ର ଆନନ୍ଦ ଗଣମାଧ୍ୟମକୁ ଦେଇଥିବା ସୂଚନା ମୁତାବକ ରଜୌରିର କାଣ୍ଡି ଅଞ୍ଚଳରେ ଆତଙ୍କବାଦୀଙ୍କ ଉପସ୍ଥିତି ସମ୍ପର୍କରେ ସୂଚନା ପାଇବା ପରେ ମେ ୩ରେ ମିଳିତ ଅପରେସନ୍ ଆରମ୍ଭ କରାଯାଇଥିଲା। ମେ ୫ ସକାଳ ପ୍ରାୟ ୭:୩୦ରୁ ଆତଙ୍କବାଦୀ ଓ ସୁରକ୍ଷା ବାହିନୀ ମଧ୍ୟରେ ଏନକାଉଣ୍ଟର ଆରମ୍ଭ ହୋଇଥିଲା। ଆତଙ୍କବାଦୀ ସେହି ସମୟରେ ଏକ ଗୁମ୍ଫାରେ ଲୁଚିଥିଲେ।

ସେନା ମୁଖପାତ୍ରଙ୍କ ସୂଚନା ଅନୁଯାୟୀ, ଆତଙ୍କବାଦୀ ମାନେ ବିସ୍ଫୋରଣ କରିବାରୁ ଦୁଇ ଭାରତୀୟ ସେନା ସୈନିକଙ୍କର ମୃତ୍ୟୁ ହୋଇଥିଲା ଏବଂ ଅନ୍ୟ ଚାରି ଜଣ ଆହତ ସୈନିକଙ୍କୁ ଉଦ୍ଧାମପୁରର କମାଣ୍ଡ ହସ୍ପିଟାଲରେ ଭର୍ତ୍ତି କରାଯା।

ସେ କହିଛନ୍ତି ଯେ ଏନକାଉଣ୍ଟର ସ୍ଥାନକୁ ଆଖପାଖ ଅଞ୍ଚଳରୁ ଅତିରିକ୍ତ ଫୋର୍ସ ପଠାଯାଇଛି। ଅପରେସନ୍ ଜାରି ରହିଛି |

ଜମ୍ମୁ ଅଞ୍ଚଳର ଭଟା ଧୁରିଆନର ଟୋଟା ଗଳି ଅଞ୍ଚଳରେ ହୋଇଥିବା ସେନା ଟ୍ରକ୍ ଉପରେ ଗ୍ରେନେଡ୍ ଆକ୍ରମଣରେ ସମ୍ପୃକ୍ତ ଆତଙ୍କବାଦୀ ମାନଙ୍କୁ ନିପାତ କରିବା ପାଇଁ ଗୁଇନ୍ଦା ସୂଚନା ଆଧାରରେ ଭାରତୀୟ ସେନା ତରଫରୁ ଲଗାତାର ଅପରେସନ୍ ଚାଲିଛି ବୋଲି ସେ କହିଛନ୍ତି ।

Comments are closed.