ପାକିସ୍ତାନର ସ୍ୱାଧୀନତା ଦିବସ ପାଳନକୁ ଇନଷ୍ଟାଗ୍ରାମ ଷ୍ଟାଟସ ଭାବେ ରଖି ଗିରଫ ହେଲେ ଦୁଇ କଲେଜ ଛାତ୍ର

ମୁମ୍ବାଇ: ପାକିସ୍ତାନର ସ୍ୱାଧୀନତା ଦିବସ ପାଳନ ଫଟୋକୁ ଇନଷ୍ଟାଗ୍ରାମ ଷ୍ଟାଟସ ଭାବେ ରଖିବା ଅଭିଯୋଗରେ କୋଲାବାର ଦୁଇ କଲେଜ ଛାତ୍ରଙ୍କୁ ମୁମ୍ବାଇ ପୋଲିସ ଗିରଫ କରିଛି । ତେବେ ଉଭୟଙ୍କୁ ଚେତାବନୀ ପରେ ଛାଡ଼ି ଦିଆଯାଇଥିବା ଜଣାପଡିଛି ।

ପୋଲିସର ସୂଚନାନୁସାରେ, ଜଣେ ବ୍ୟବସାୟୀ ସୋମବାର କୋଲାବା ପୋଲିସ ନିକଟରେ ଅଭିଯୋଗ କରିଥିଲେ ଯେ ସ୍ଥାନୀୟ କିଛି ଛାତ୍ର ପାକିସ୍ତାନର ସ୍ବାଧୀନତା ଦିବସ ପାଳନକୁ ଇନଷ୍ଟାଗ୍ରାମରେ ନିଜର ଷ୍ଟାଟସ ଭାବରେ ରଖିଛନ୍ତି । ଏହା ସାମ୍ପ୍ରଦାୟିକ ଉତ୍ତେଜନାର କାରଣ ହୋଇପାରେ ବୋଲି ସେ କହିଥିଲେ।

ବ୍ୟବସାୟୀଙ୍କ ଅଭିଯୋଗ ଆଧାରରେ କୋଲାବା ପୋଲିସର ଆତଙ୍କବାଦ ନିରୋଧୀ ସ୍କ୍ବାଡ୍ (ଏଟିଏସ୍) ସୋମବାର ବିଳମ୍ବିତ ରାତିରେ ଅଭିଯୁକ୍ତ ଛାତ୍ରଙ୍କୁ ଚିହ୍ନଟ କରି ସିଆରପିସି ଧାରା ୧୫୧ (୩) ଅନୁଯାୟୀ ଥାନାକୁ ଆଣି ଅଟକ ରଖିଥିଲା।

ପୋଲିସ ସେମାନଙ୍କ ମୋବାଇଲ୍ ଯାଞ୍ଚ କରିବା ପରେ ସେମାନେ ପାକିସ୍ତାନର ସ୍ୱାଧୀନତା ଦିବସ ଫଟୋକୁ ଇନଷ୍ଟାଗ୍ରାମରେ ସେମାନଙ୍କର ଷ୍ଟୋରି ଷ୍ଟାଟସ ଭାବେ ରଖିଥିବା ଜଣାପଡ଼ିଥିଲା । ପୋଲିସ ଏହାର ସ୍କ୍ରିନସଟ୍ ନେବା ପରେ ଅଭିଯୁକ୍ତ ଛାତ୍ରଙ୍କ ମୋବାଇଲ୍ ଫୋନ ଜବତ କରିଥିଲା । ଉଲ୍ଲେଖଯୋଗ୍ୟ, ପାକିସ୍ତାନ ଅଗଷ୍ଟ ୧୪କୁ ନିଜ ସ୍ୱାଧୀନତା ଦିବସ ଭାବେ ପାଳନ କରିଥାଏ ।‌

Comments are closed.