କାବୁଲରୁ ଭାରତୀୟଙ୍କୁ ନେଇ ଦିଲ୍ଲୀରେ ପହଞ୍ଚିଲା ଦୁଇ ଫ୍ଲାଇଟ୍, ଆଉ ୧୬୮ ଜଣଙ୍କୁ ନେଇ ଫେରୁଛି ତୃତୀୟ ବିମାନ

ନୂଆଦିଲ୍ଲୀ: ତାଲିବାନର କ୍ଷମତା ଦଖଲ ପରେ ଆଫଗାନିସ୍ତାନରେ ସୃଷ୍ଟ ପରିସ୍ଥିତିକୁ ଦୃଷ୍ଟିରେ ରଖି ନିଜ ନାଗରିକଙ୍କୁ ସୁରକ୍ଷିତ ଫେରାଇ ଆଣିବା ଅଭିଯାନ ଜାରି ରଖିଛନ୍ତି ଭାରତ ସରକାର । ଆଫଗାନିସ୍ତାନରେ ଫସି ରହିଥିବା ଭାରତୀୟମାନଙ୍କୁ ସ୍ୱତନ୍ତ୍ର ବିମାନ ମାଧ୍ୟମରେ ଦେଶକୁ ଅଣାଯାଉଛି। କାବୁଲରୁ ଭାରତୀୟଙ୍କୁ ନେଇ ଦୁଇଟି ବିମାନ ଆଜି ସକାଳେ ଦିଲ୍ଲୀରେ ପହଞ୍ଚିଛି। ଭାରତୀୟଙ୍କୁ କାବୁଲରୁ ବାହାର କରିବା ପରେ ଦୁଇଟି ଭିନ୍ନ ବିମାନ ଯଥାକ୍ରମେ ଦୁଶାନବେ ଏବଂ ଦୋହାରେ ପହଞ୍ଚିଥିଲା ​​ଏବଂ ପରେ ଆଜି ଦିଲ୍ଲୀରେ ପହଞ୍ଚିଥିଲା। ଏଥିସହିତ ଭାରତୀୟ ବାୟୁସେନାର ତୃତୀୟ ସ୍ୱତନ୍ତ୍ର ବିମାନ କାବୁଲରୁ ଦିଲ୍ଲୀ ଅଭିମୁଖେ ଯାତ୍ରା କରିଛି। ଏଥିରେ ୧୦୭ ଜଣ ଭାରତୀୟଙ୍କ ସମେତ ୧୬୮ ଯାତ୍ରୀ ଅଛନ୍ତି।

କାବୁଲରୁ ଫେରୁଥିବା ଭାରତୀୟଙ୍କ ବିଷୟରେ ସୂଚନା ଦେଇ ବୈଦେଶିକ ମନ୍ତ୍ରଣାଳୟର ମୁଖପାତ୍ର ଅରିନ୍ଦମ ବାଗଚି ଟ୍ୱିଟ୍ କରିଛନ୍ତି। ସେ ଏକ ଭିଡିଓ କ୍ଲିପ୍ ମଧ୍ୟ ପୋଷ୍ଟ କରିଛନ୍ତି ଯେଉଁଥିରେ କାବୁଲରୁ ଆସୁଥିବା ଲୋକମାନେ ‘ଭାରତ ମାତା କି ଜୟ’ ସ୍ଲୋଗାନ ଦେଉଥିବା ଦେଖିବାକୁ ମିଳୁଛି।

ସରକାରୀ ସୂତ୍ରରୁ ପ୍ରକାଶ ଯେ ସ୍ବଦେଶ ଫେରିବା ପରେ ସମସ୍ତ ଯାତ୍ରୀଙ୍କୁ ଆରଟି- ପିସିଆର୍ ପରୀକ୍ଷା ଦେବାକୁ ପଡିବ। ଏଥି ସହ ବୈଦେଶିକ ମନ୍ତ୍ରଣାଳୟର ମୁଖପାତ୍ର ବାଗଚି କହିଛନ୍ତି ଯେ ଭାରତୀୟଙ୍କୁ ଆଫଗାନିସ୍ତାନରୁ ଖାଲି କରିବା ପାଇଁ ଅଧିକ ବିମାନ ଚଳାଚଳ କରାଯିବ।

ଏକ ଆକଳନ ଅନୁଯାୟୀ, ଆଫଗାନିସ୍ତାନରେ ପ୍ରାୟ ୪୦୦ ଭାରତୀୟ ଫସି ରହିଥାଇ ପାରନ୍ତି ଏବଂ ଆମେରିକା ଏବଂ ଅନ୍ୟ ମିତ୍ର ଦେଶମାନଙ୍କ ସହ ସମନ୍ୱୟ ରକ୍ଷାକରି ଭାରତ ସେମାନଙ୍କୁ ଫେରାଇ ଆଣିବାକୁ ଉଦ୍ୟମ ଜାରି ରଖିଛି।

Comments are closed.