ବ୍ରିଟେନର ନୂଆ କ୍ୟାବିନେଟରେ ଦୁଇ ଭାରତୀୟ ବଂଶୋଦ୍ଭବ ମନ୍ତ୍ରୀ ଆଲୋକ ଶର୍ମା ଏବଂ ସୁଏଲା ବ୍ରାଭରମ୍ୟାନ୍ ସାମିଲ

ଲଣ୍ଡନ: ଭାରତୀୟ ବଂଶୋଦ୍ଭବ ଆଲୋକ ଶର୍ମା ଏବଂ ସୁଏଲା ବ୍ରାଭରମ୍ୟାନ୍ ବ୍ରିଟେନର ନବନିଯୁକ୍ତ ପ୍ରଧାନମନ୍ତ୍ରୀ ଲିଜ ଟ୍ରସଙ୍କ କ୍ୟାବିନେଟରେ ସାମିଲ ହୋଇଛନ୍ତି । ଉଭୟ ବୁଧବାର ୧୦, ଡାଉନିଂ ଷ୍ଟ୍ରିଟରେରେ ଅନୁଷ୍ଠିତ ହେବାକୁ ଥିବା ପ୍ରଥମ ବୈଠକରେ ଯୋଗଦେବେ।

ସୁଏଲା ବ୍ରାଭରମ୍ୟାନ୍ ଗୃହମନ୍ତ୍ରୀ ଭାବେ ନିଯୁକ୍ତ ହୋଇଛନ୍ତି। ଏହା ତାଙ୍କ ପାଇଁ ଏକ ନୂଆ ଆରମ୍ଭ ହେବ । ଏହା ପୂର୍ବରୁ ସେ ଆଟର୍ଣ୍ଣି ଜେନେରାଲ୍ ଥିଲେ | ମଙ୍ଗଳବାର ସନ୍ଧ୍ୟାରେ ନିଯୁକ୍ତି ପରେ ସେ ଗୃହ ମନ୍ତ୍ରଣାଳୟର ଦାୟିତ୍ଵ ଗ୍ରହଣ କରିଛନ୍ତି ।

ବ୍ରାଭରମ୍ୟାନ୍ ଆଉ ଜଣେ ଭାରତୀୟ ବଂଶୋଦ୍ଭବ ପ୍ରୀତି ପଟେଲଙ୍କ ସ୍ଥାନ ନେଇଛନ୍ତି । ବୋରିସ୍ ଜନସନଙ୍କ ଉତ୍ତରାଧିକାରୀ ଭାବରେ ଟ୍ରସ୍ ମନୋନୀତ ହେବା ପରେ ପଟେଲ ଇସ୍ତଫା ଦେଇଥିଲେ।

ନୂଆ ଗୃହମନ୍ତ୍ରୀଙ୍କୁ ଅନେକ ଚ୍ୟାଲେଞ୍ଜର ସାମ୍ନା କରିବାକୁ ପଡ଼ିବ। ସେଥିମଧ୍ୟରୁ ଶରଣାର୍ଥୀ, ଅପରାଧ ନିୟନ୍ତ୍ରଣ ଏବଂ ପୋଲିସ୍ ସମ୍ବନ୍ଧୀୟ ସମସ୍ୟା ରହିଛି | ସୂଚନାଯୋଗ୍ୟ ଯେ, ଦେଶରେ ପଞ୍ଜୀକୃତ ଅପରାଧ ସଂଖ୍ୟା ସର୍ବୋଚ୍ଚ ସ୍ତରରେ ଥିବାବେଳେ ଓକିଲଙ୍କ ଅନୁପାତ ସର୍ବନିମ୍ନ ସ୍ତରରେ ରହିଛି।

ଭାରତୀୟ ବଂଶଜ ଆଲୋକ ଶର୍ମାଙ୍କୁ ମଧ୍ୟ ନୂଆ କ୍ୟାବିନେଟରେ ସାମିଲ କରାଯାଇଛି। ଆଗ୍ରା ଜନ୍ମିତ ଶର୍ମା (୫୫)ଙ୍କ ପାଇଁ କାର୍ଯ୍ୟ ବଦଳିବନି । କାରଣ ସେ ମିଳିତ ଜାତିସଂଘର ଜଳବାୟୁ ପରିବର୍ତ୍ତନ ସମ୍ମିଳନୀ ‘ସିଓପି୨୬’ର ଚେୟାରମ୍ୟାନ୍ ଭାବେ ଜଳବାୟୁ ପରିବର୍ତ୍ତନ କ୍ଷେତ୍ରରେ କାର୍ଯ୍ୟ ଜାରି ରଖିବେ। ଗତ ବର୍ଷ ନଭେମ୍ବରରେ ସ୍କଟଲ୍ୟାଣ୍ଡର ଗ୍ଲାସ୍ଗୋରେ ‘ସିଓପି୨୬’ ଶିଖର ସମ୍ମିଳନୀ ଆୟୋଜନ କରି ସେ ପ୍ରଶଂସିତ ହୋଇଥିଲେ ।

Comments are closed.