କାବୁଲରେ ଗୁରୁଦ୍ୱାରା ଉପରେ ଆତଙ୍କବାଦୀ ଆକ୍ରମଣ, ଦୁଇ ମୃତ, ୭ ଆହତ

କାବୁଲ: ଆଫଗାନିସ୍ତାନର ରାଜଧାନୀ କାବୁଲରେ ଏକ ଗୁରୁଦ୍ୱାରା ‘କରତ-ଏ-ପରୱାନ’ ଉପରେ ଆତଙ୍କବାଦୀ ଆକ୍ରମଣ ହୋଇଛି । ଏଥିରେ ଜଣେ ସାଧାରଣ ନାଗରିକ ଏବଂ ତାଲିବାନର ସୁରକ୍ଷାକର୍ମୀ ପ୍ରାଣ ହରାଇଛନ୍ତି ଏବଂ ଅନ୍ୟ ୭ ଜଣ ଆହତ ହୋଇଛନ୍ତି।

କାବୁଲ ପୋଲିସର ମୁଖପାତ୍ର ଖାଲିଦ ଜଦ୍ରାନ କହିଛନ୍ତି ଯେ ଜବାବୀ କାର୍ଯ୍ୟାନୁଷ୍ଠାନରେ ଆକ୍ରମଣକାରୀ ନିହତ ହୋଇଛି।

ଏହି ଘଟଣାରେ ଭାରତ ଚିନ୍ତା ପ୍ରକାଶ କରିଛି । ସ୍ଥିତି ଉପରେ ନଜର ରଖାଯାଇଛି ବୋଲି ଭାରତୀୟ ବୈଦେଶିକ ମନ୍ତ୍ରଣାଳୟର ଜଣେ ଅଧିକାରୀ କହିଛନ୍ତି।

ଶନିବାର ସକାଳେ ଗୁରୁଦ୍ୱାରା ଉପରେ ଆକ୍ରମଣ ହୋଇଥିଲା। ଏହାପୂର୍ବରୁ ଆଫଗାନିସ୍ତାନର ତାଲିବାନ ସରକାରଙ୍କ ଆଭ୍ୟନ୍ତରୀଣ ମନ୍ତ୍ରଣାଳୟର ମୁଖପାତ୍ର ଅବଦୁଲ ନଫି ଟକୁର ଗଣମାଧ୍ୟମକୁ କହିଥିଲେ ଯେ ଗୁରୁଦ୍ୱାରା ବାହାରେ ଏକାଧିକ ବିସ୍ଫୋରଣ ହୋଇଥିଲା, ଯାହା ପରେ ଗୁରୁଦ୍ୱାରା ଭିତରକୁ ଅନେକ ସଶସ୍ତ୍ର ଉଗ୍ରବାଦୀ ପଶିଥିଲେ ।

ଅପରପକ୍ଷରେ ଗୁରୁଦ୍ୱାରାର ସ୍ଥାନୀୟ ଅଧିକାରୀ ଗୁରୁନାମ ସିଂ କହିଛନ୍ତି ଯେ ବିସ୍ଫୋରଣ ସମୟରେ ଗୁରୁଦ୍ୱାର ଭିତରେ ପ୍ରାୟ ୩୦ ଜଣ ଲୋକ ଉପସ୍ଥିତ ଥିଲେ। ସେ କହିଛନ୍ତି, “ଆମେ ଜାଣି ନାହୁଁ କେତେ ଲୋକ ଜୀବିତ ଅଛନ୍ତି କିମ୍ବା ମରିଛନ୍ତି। ତାଲିବାନ ଆମକୁ ଭିତରକୁ ଯିବାକୁ ଦେଉନାହିଁ।”

ଏହି ଗୁରୁଦ୍ୱାର ହେଉଛି ଆଫଗାନିସ୍ତାନର ଶେଷ ଅବଶିଷ୍ଟ ଗୁରୁଦ୍ୱାରା | ନିକଟରେ ଆଫଗାନିସ୍ତାନର ଶିଖ ସମ୍ପ୍ରଦାୟର ଲୋକମାନେ କହିଥିଲେ ଯେ ଏବେ ଦେଶରେ କେବଳ ୧୪୦ ଶିଖ୍ ରହିଛନ୍ତି, କିନ୍ତୁ ୧୯୭୦ ଦଶକରେ ଆଫଗାନିସ୍ତାନରେ ପ୍ରାୟ ଏକ ଲକ୍ଷ ଶିଖ୍ ଥିଲେ।

Comments are closed.