ଟି୨୦ ବିଶ୍ବକପରେ ପୁଣି ବର୍ଷା ବାଧକ, ଆଫଗାନିସ୍ତାନ-ଆୟର୍ଲାଣ୍ଡ ଓ ଅଷ୍ଟ୍ରେଲିଆ-ଇଂଲଣ୍ଡ ମ୍ୟାଚ୍ ବାତିଲ

ମେଲବୋର୍ଣ୍ଣ: ଚଳିତ ଟି୨୦ ବିଶ୍ବକପରେ ବର୍ଷା ଏକ ବଡ଼ ପ୍ରତିବନ୍ଧକ ସାଜିଛି । ଲଗାଣ ବର୍ଷା ଯୋଗୁଁ ଆଜି ଏଠାରେ ଖେଳାଯିବାକୁ ଥିବା ଦୁଇଟି ମ୍ୟାଚ୍ ବାତିଲ ହୋଇଯାଇଛି।

ପ୍ରଥମେ ଆଫଗାନିସ୍ତାନ-ଆୟର୍ଲାଣ୍ଡ ଓ ପରେ ଅଷ୍ଟ୍ରେଲିଆ ଓ ଇଂଲଣ୍ଡ ମଧ୍ୟରେ ବହୁ ପ୍ରତୀକ୍ଷିତ ମ୍ୟାଚ୍ ମଧ୍ୟ ଧୋଇ ହୋଇଯାଇଛି । ବର୍ଷା ଏବଂ ଓଦା ଆଉଟଫିଲ୍ଡ ଯୋଗୁଁ ଏହି ମ୍ୟାଚର ଟସ୍ ମଧ୍ୟ ହୋଇପାରିନଥିଲା | ବର୍ଷା ଯୋଗୁଁ ଚଳିତ ବିଶ୍ୱକପରେ ଏଯାବତ୍ ୪ଟି ମ୍ୟାଚ୍ ବାତିଲ ହେଲାଣି।
ଆଜିର ଦୁଇଟି ଯାକ ମ୍ୟାଚ୍ ବାତିଲ ହେବା ପରେ ଗ୍ରୁପ୍-୧ର ପଏଣ୍ଟ ତାଲିକାରେ ନ୍ୟୁଜିଲାଣ୍ଡ ଶୀର୍ଷ ସ୍ଥାନ ବଜାୟ ରଖିଥିବା ବେଳେ ଇଂଲଣ୍ଡ ଦ୍ବିତୀୟ, ଆୟର୍ଲାଣ୍ଡ ତୃତୀୟ ଓ ଅଷ୍ଟ୍ରେଲିଆ ଚତୁର୍ଥ ସ୍ଥାନରେ ରହିଛି ।

ନ୍ୟୁଜିଲାଣ୍ଡ ବିପକ୍ଷ ପ୍ରଥମ ମ୍ୟାଚରେ ୮୯ ରନରେ ଶୋଚନୀୟ ପରାଜୟ ସହ ଅଭିଯାନ ଆରମ୍ଭ କରିବା ପରେ ଡିଫେଣ୍ଡିଂ ଚାମ୍ପିଅନ୍ ଅଷ୍ଟ୍ରେଲିଆ ଦ୍ୱିତୀୟ ସୁପର ୧୨ ମ୍ୟାଚରେ ଶ୍ରୀଲଙ୍କାକୁ ହରାଇ ଜବରଦସ୍ତ ପ୍ରତ୍ୟାବର୍ତ୍ତନ କରିଥିଲା। ଅନ୍ୟପକ୍ଷରେ ଆଫଗାନିସ୍ତାନ ବିପକ୍ଷ ବିଜୟ ସହ ଅଭିଯାନ ଆରମ୍ଭ କରିଥିବା ଇଂଲଣ୍ଡ ଦ୍ବିତୀୟ ମ୍ୟାଚରେ ଡକୱର୍ଥ-ଲୁଇସ୍ ନିୟମାନୁଯାୟୀ ଆୟର୍ଲାଣ୍ଡ ଠାରୁ ପାଞ୍ଚ ରନ୍‌ର ହାରିଥିଲା ।

Comments are closed.