ତୁର୍କୀ: ୧୨୮ ଘଣ୍ଟା ପରେ ଦୁଇ ମାସର ଶିଶୁ ଜୀବିତ ଉଦ୍ଧାର

ଇସ୍ତାନବୁଲ: ତୁର୍କୀ ଏବଂ ସିରିଆରେ ଭୟଙ୍କର ଭୂକମ୍ପର ସପ୍ତାହ ପରେ ବି ଧ୍ବଂସାବଶେଷ ତଳୁ ଜୀବନ ସାଉଁଟିବା ଜାରି ରହିଛି । ମୃତ୍ୟୁ ସଂଖ୍ୟା ବଢୁଛି ‌। ତେବେ ବହୁ ଲୋକଙ୍କୁ ଜୀବିତ ଅବସ୍ଥାରେ ବି ଉଦ୍ଧାର କରାଯାଇଛି । ଧ୍ବଂସ ଓ ମୃତ୍ୟୁର ବିଭୀଷିକା ମଧ୍ୟରେ ଅନେକ ଚମତ୍କାର ଘଟଣା ମଧ୍ୟ ଦେଖିବାକୁ ମିଳିଛି ‌। ଏକ ଘରର ଧ୍ବଂସାବଶେଷ ତଳେ ୧୨୮ ଘଣ୍ଟା ଦବି ରହିବା ପରେ ତୁର୍କୀର ହେତେ ପ୍ରୋଭିନ୍ସରେ ଏକ ନବଜାତ ଶିଶୁକୁ ଜୀବିତ ଉଦ୍ଧାର କରାଯାଇଛି। ଉଦ୍ଧାର ଏହି ଦୁଇମାସର ଶିଶୁର ଏକ ଭିଡିଓ ସାମ୍ନାକୁ ଆସିଛି ଯେଉଁଥିରେ ସେ ତାଙ୍କୁ କୋଳରେ ନେଇଥିବା ବ୍ୟକ୍ତିଙ୍କ ଆଙ୍ଗୁଳି ଚୋବାଉଥିବା ଦେଖିବାକୁ ମିଳୁଛି। ଏହାପୂର୍ବରୁ ତୁର୍କୀର ଭୂକମ୍ପ ପ୍ରଭାବିତ ଅଞ୍ଚଳରେ ଧ୍ବଂସାବଶେଷ ତଳେ ଫସି ରହିଥିବା ୮ ବର୍ଷର ବାଳିକାକୁ ଭାରତୀୟ ଏନଡିଆରଏଫ ଟିମ୍ ସୁରକ୍ଷିତ ଭାବେ ଉଦ୍ଧାର କରିଥିଲା।

ତୁର୍କୀରେ ରିଲିଫ ଏବଂ ଉଦ୍ଧାର କାର୍ଯ୍ୟରେ ନିୟୋଜିତ ଏନଡିଆରଏଫ କର୍ମଚାରୀମାନେ ତୁର୍କୀ ସେନା କର୍ମଚାରୀଙ୍କ ସହ ଗାଜିଆଣ୍ଟେପ ପ୍ରଦେଶର ନୁରଦାଗି ସହରରେ ଗୁରୁବାର ଏନଡିଆରଏଫ ଯବାନମାନେ ଏହି ଅଞ୍ଚଳର ଜଣେ ୬ ବର୍ଷର ବାଳିକାକୁ ମଧ୍ୟ ଉଦ୍ଧାର କରିଥିଲେ।

ଅନ୍ୟପକ୍ଷରେ ତୁର୍କୀ ଓ ସିରିଆରେ ମୃତ୍ୟୁ ସଂଖ୍ୟା ୨୮,୦୦୦ ଟପିଛି ।‌‌ ସମୟ ଗଡିବା ସହ ଧ୍ବଂସାବଶେଷ ତଳେ ଦବି ରହିଥିବା ଲୋକଙ୍କୁ ଜୀବିତ ଉଦ୍ଧାର ଆଶା ମଉଳିବାରେ ଲାଗିଛି ।

Comments are closed.