ବିଦ୍ରୋହୀ ବିଧାୟକଙ୍କୁ ଫେରି ଆସିବାକୁ ଉଦ୍ଧବଙ୍କ ପୁଣି ଭାବପ୍ରବଣ ଅପିଲ

ମୁମ୍ବାଇ: ମହାରାଷ୍ଟ୍ର ସଙ୍କଟ ମଧ୍ୟରେ ମୁଖ୍ୟମନ୍ତ୍ରୀ ଉଦ୍ଧବ ଠାକରେ ପୁଣି ଥରେ ବିଦ୍ରୋହୀମାନଙ୍କୁ ମନାଇବା ପାଇଁ ପ୍ରୟାସ କରିଛନ୍ତି। ସେ ବିଦ୍ରୋହୀ ନେତାଙ୍କ ପାଖକୁ ଏକ ଭାବପ୍ରବଣ ବାର୍ତ୍ତା ପଠାଇଛନ୍ତି | ଏ‌ହି ବାର୍ତ୍ତାରେ ଉଦ୍ଧବ କହିଛନ୍ତି ଯେ ଆଲୋଚନା ମାଧ୍ୟମରେ ସବୁ ସମସ୍ୟାର ସମାଧାନ ହୋଇପାରିବ | ବିଧାୟକମାନେ ଫେରିଆସନ୍ତୁ ଓ ତାଙ୍କ ସହିତ କଥାବାର୍ତ୍ତା କରନ୍ତୁ ବୋଲି ଉଦ୍ଧବ ଅସନ୍ତୁଷ୍ଟ ବାଧାୟକ ଗୋଷ୍ଠୀକୁ ଅନୁରୋଧ କରିଛନ୍ତି |

ନିଜ ବାର୍ତ୍ତାରେ ଉଦ୍ଧବ କହିଛନ୍ତି ଯେ ପରିବାରର ମୁଖ୍ୟ ଭାବେ ମୁଁ ଆପଣଙ୍କ ମାନଙ୍କୁ ନେଇ ଚିନ୍ତିତ | ଆପଣମାନେ ଗତ କିଛି ଦିନ ଧରି ଗୁଆହାଟୀରେ କଏଦ୍ ହେଲା ଭଳି ରହିଛନ୍ତି | ପ୍ରତ୍ୟେକ ଦିନ ଆପଣ ମାନଙ୍କ ବିଷୟରେ ନୂଆ ସୂଚନା ମୋ ସାମ୍ନାକୁ ଆସୁଛି | ଆପଣମାନଙ୍କ ମଧ୍ୟରୁ ଅନେକ ମୋ ସହିତ ଯୋଗାଯୋଗରେ ଅଛନ୍ତି | ଆପଣମାନେ ତଥାପି ଶିବସେନାଙ୍କ ସହିତ ଅଛନ୍ତି |

ଉଦ୍ଧବ ଆହୁରି କହିଛନ୍ତି ଯେ ଜଣେ ମୁଖିଆ ଭାବରେ ମୁଁ କେବଳ କହିପାରେ ଯେ ଏବେ ବି ବିଳମ୍ବ ହୋଇନାହିଁ। ଆପଣମାନେ ମୁମ୍ବାଇକୁ ଆସି ମୋ ସାମ୍ନାରେ ବସି ନିଜ ଆଶଙ୍କା ଦୂର କରିପାରିବେ | ଆମେ ନିଶ୍ଚିତ ଭାବେ ଏକାଠି ସାକ୍ଷାତ କରିବାର ଏକ ଉପାୟ ଖୋଜିବୁ | ଶିବସେନା ଆପଣଙ୍କୁ ଯେଉଁ ସମ୍ମାନ ଦେଇଛି ତାହା ଅନ୍ୟ କେଉଁଠାରେ ମିଳିବ ନାହିଁ।

ଏହାପୂର୍ବରୁ ମଧ୍ୟ ଉଦ୍ଧବ ଠାକରେ ବିଦ୍ରୋହୀମାନଙ୍କୁ ଏପରି ଭାବପ୍ରବଣ ଅପିଲ କରିଥିଲେ । ଆରମ୍ଭରେ ସେ ଏକନାଥ ସିନ୍ଦେଙ୍କ ସହ ମଧ୍ୟ କଥା ହୋଇଥିଲେ। କିନ୍ତୁ ତା’ପରେ ସିନ୍ଦେଙ୍କ ପକ୍ଷରୁ ଏହା ସ୍ପଷ୍ଟ ହୋଇଥିଲା ଯେ କଥାବାର୍ତ୍ତାର ସମୟ ଶେଷ ହୋଇଛି ଏବଂ ଏବେ ଆଉ କିଛି ହୋଇପାରିବ ନାହିଁ। ବର୍ତ୍ତମାନ ପାଇଁ ଶିବସେନା-କଂଗ୍ରେସ-ଏନସିପିର ମିଳିତ ‘ମହାବିକାଶ ଅଘାଡି’ ସରକାର ପାଇଁ ପରିସ୍ଥିତି ଚ୍ୟାଲେଞ୍ଜିଂ ରହିଛି | ସଂଖ୍ୟା ଦୃଷ୍ଟିରୁ ସରକାର ସଂଖ୍ୟାଲଘୁରେ ପରିଣତ ହୋଇଯାଇଛି ।

ବର୍ତ୍ତମାନ ପର୍ଯ୍ୟନ୍ତ ସିନ୍ଦେ ଗୋଷ୍ଠୀ ଦ୍ୱାରା କୌଣସି ବଡ଼ ପଦକ୍ଷେପ ନିଆଯାଇ ନାହିଁ। ତେବେ ବିରୋଧୀ ଦଳ ନେତା ତଥା ପୂର୍ବତନ ମୁଖ୍ୟମନ୍ତ୍ରୀ ଦେବେନ୍ଦ୍ର ଫଡନଭିସ୍ ଏବଂ ଏକନାଥ ସିନ୍ଦେଙ୍କ ମଧ୍ୟରେ ଖୁବଶୀଘ୍ର ଭେଟ ହେବ ବୋଲି କଳ୍ପନାଜଳ୍ପନା ଲାଗି ରହିଛି | ଏହା ମଧ୍ୟ କୁହାଯାଉଛି ଯେ ସିନ୍ଦେ ଦିଲ୍ଲୀରେ ଗୃହମନ୍ତ୍ରୀ ଅମିତ ଶାହାଙ୍କ ସହ ମଧ୍ୟ କଥା ହୋଇପାରନ୍ତି। ଏଭଳି ପରିସ୍ଥିତିରେ ରାଜନୈତିକ ଗତିବିଧି ଜୋର୍ ଧରିଛି । ଆଗାମୀ କିଛି ଦିନ ମଧ୍ୟରେ ମହାରାଷ୍ଟ୍ର ରାଜନୈତିକ ସଙ୍କଟରେ ଏକ ବଡ଼ ନାଟକୀୟ ମୋଡ଼ ଦେଖିବାକୁ ମିଳିପାରେ |

Comments are closed.