ବିଜେପି ଯୋଗୁଁ ଦେଶ ଲଜ୍ଜିତ ହେଲା: ଉଦ୍ଧବ

ମୁମ୍ବାଇ: ପ୍ରଫେଟ୍ ମହମ୍ମଦ ବିବାଦ ନେଇ ମହାରାଷ୍ଟ୍ର ମୁଖ୍ୟମନ୍ତ୍ରୀ ଉଦ୍ଧବ ଠାକରେ ଭାରତୀୟ ଜନତା ପାର୍ଟି (ବିଜେପି)କୁ ଭର୍ତ୍ସନା କରିଛନ୍ତି । ବିଜେପି ନେତାଙ୍କ ବିବାଦୀୟ ମନ୍ତବ୍ୟ ଯୋଗୁଁ ଅନ୍ତର୍ଜାତୀୟ ସ୍ତରରେ ଦେଶକୁ ଅପମାନିତ ଓ ଲଜ୍ଜିତ ହେବାକୁ ପଡ଼ିଲା । ଆରବ ଦେଶ ଗୁଡ଼ିକ କ୍ଷମା ମାଗିବାକୁ ଭାରତ ଉପରେ ଚାପ ପକାଇଲେ । ଗୋଟିଏ ପଟେ ଦରଦାମ୍ ବଢୁଛି ଏବଂ ଟଙ୍କା ମୂଲ୍ୟ ହ୍ରାସ ପାଉଛି (ଡଲାର ତୁଳନାରେ) ‌। ଅନ୍ୟପଟେ ବିଜେପିକୁ କେବଳ ମସଜିଦରେ ଶିବଲିଙ୍ଗ ଖୋଜିବା ଚିନ୍ତା ଘାରିଛି ବୋଲି ଉଦ୍ଧବ ଔରଙ୍ଗାବାଦରେ ଏକ ରାଲିକୁ ସମ୍ବୋଧନ କରି କହିଛନ୍ତି |

ନିକଟରେ କାଶ୍ମୀରରେ ହିନ୍ଦୁମାନଙ୍କ ହତ୍ୟା ଘଟଣାକୁ ନେଇ ମଧ୍ୟ ଉଦ୍ଧବ କେନ୍ଦ୍ରକୁ ସମାଲୋଚନା କରିଛନ୍ତି । ସେ କହିଛନ୍ତି ଯେ ସିବିଆଇ ଏବଂ ପ୍ରବର୍ତ୍ତନ ନିର୍ଦ୍ଦେଶାଳୟ ମାଧ୍ୟମରେ ମହାରାଷ୍ଟ୍ରର ମହାବିକାଶ ଅଗାଡି ମେଣ୍ଟର ନେତାମାନଙ୍କୁ ହଇରାଣ କରିବା ପରିବର୍ତ୍ତେ ସେଠାରେ (କାଶ୍ମୀରରେ) ରେଡ୍ କରାଯିବା ଉଚିତ। ପ୍ରଫେଟ୍ ମହମ୍ମଦଙ୍କ ବିରୋଧରେ ବିଜେପିର ପୂର୍ବତନ ମୁଖପାତ୍ର ନୁପୂର ଶର୍ମାଙ୍କ ବିବାଦୀୟ ମନ୍ତବ୍ୟ ଉପରେ ସେ କହିଛନ୍ତି, “ପଶ୍ଚିମ ଏସିଆ ଏବଂ ଆରବ ରାଷ୍ଟ୍ର ଗୁଡ଼ିକ ଆମ ଦେଶକୁ ଆଣ୍ଠେଇ ଦେଲେ ଏବଂ କ୍ଷମା ମାଗିବାକୁ ଚାପ ପକାଇଲେ।
ଦେଶର ଦୋଷ କ’ଣ ଥିଲା? ବିଜେପି ଏବଂ ଏହାର ମୁଖପାତ୍ରଙ୍କ ନେତାଙ୍କ ଯୋଗୁଁ ପୂରା ଦେଶ ବଦନାମ ହେଲା।”

ଠାକରେ କହିଛନ୍ତି, ବିଜେପି କିମ୍ବା ଏହାର ମୁଖପାତ୍ର ଯେକୌଣସି ପ୍ରସଙ୍ଗରେ ଯାହା କହୁଛନ୍ତି, ତାହା କଦାପି ଭାରତର ମତ ହୋଇପାରିବ ନାହିଁ । ବିଜେପି ମୁଖପାତ୍ରଙ୍କ (ପ୍ରଫେଟ୍ ମହମ୍ମଦଙ୍କ ଉଦ୍ଦେଶ୍ୟରେ) ଟିପ୍ପଣୀ ପାଇଁ ଆନ୍ତର୍ଜାତୀୟ ସ୍ତରରେ ଭାରତର ଭାବମୂର୍ତ୍ତିକୁ କ୍ଷୁର୍ଣ୍ଣ ହୋଇଛି। ଏହା ବିଜେପି ନୁହେଁ ମୋ ଦେଶର ଭାବମୂର୍ତ୍ତିକୁ କ୍ଷୁର୍ଣ୍ଣ କରିଛି। ଠାକରେ କହିଛନ୍ତି ଯେ ମୁଁ ଆରଏସଏସ୍ ମୁଖ୍ୟ ମୋହନ ଭାଗବତଙ୍କୁ ପଚାରିବାକୁ ଚାହୁଁଛି ଯେ ସେ ବିଜେପିରୁ ଏପରି ଆଚରଣ ଆଶା କରୁଥିଲେ କି?

Comments are closed.