ଦ୍ରୌପଦୀ ମୁର୍ମୁଙ୍କୁ ସମର୍ଥନ କରିବ ଉଦ୍ଧବ ଠାକରେଙ୍କ ଶିବସେନା

ନୂଆଦିଲ୍ଲୀ: ରାଷ୍ଟ୍ରପତି ନିର୍ବାଚନରେ ​​ବିଜେପି ନେତୃତ୍ୱାଧୀନ ଏନଡିଏର ପ୍ରାର୍ଥୀ ଦ୍ରୌପଦୀ ମୁର୍ମୁଙ୍କୁ ସମର୍ଥନ କରିବ ଉଦ୍ଧବ ଠାକରେଙ୍କ ଶିବସେନା । ଦଳର ସାଂସଦଙ୍କ ସହ ଉଦ୍ଧବ ଠାକରେଙ୍କ ବୈଠକର ଦିନକ ପରେ ଏହି ନିଷ୍ପତ୍ତି ନିଆଯାଇଥିବା ସୂତ୍ରରୁ ପ୍ରକାଶ । ଏହି ବୈଠକରେ ଦଳର ୨୨ ସାଂସଦଙ୍କ ମଧ୍ୟରୁ ୧୬ ସାଂସଦ ଯୋଗ ଦେଇଥିଲେ । ଏହି ସାଂସଦମାନେ ଏନଡିଏ ପ୍ରାର୍ଥୀ ଦ୍ରୌପଦୀ ମୁର୍ମୁଙ୍କୁ ସମର୍ଥନ ଦେବା ପାଇଁ ଦାବି କରିଥିଲେ । କାରଣ ସେ ଜଣେ ଆଦିବାସୀ ମହିଳା। ଏକନାଥ ସିନ୍ଦେ ବିଦ୍ରୋହ କରିବା ଏବଂ ଉଦ୍ଧବ ଠାକରେଙ୍କୁ ଗାଦିଚ୍ୟୁତ କରି ବିଜେପି ସମର୍ଥନରେ ମୁଖ୍ୟମନ୍ତ୍ରୀ ହେବା ପରଠୁ ଶିବସେନା ବଡ଼ ସଙ୍କଟର ସମ୍ମୁଖୀନ ହୋଇଛି। ମହାରାଷ୍ଟ୍ରର ଜନସଂଖ୍ୟାର ପ୍ରାୟ ୧୦ ପ୍ରତିଶତ ଅନୁସୂଚିତ ଜନଜାତିର। ଏଭଳି ସ୍ଥଳେ ଦ୍ରୌପଦୀ ମୁର୍ମୁଙ୍କୁ ସମର୍ଥନ ନ କରିଥିଲେ ଶିବସେନାର ଆଦିବାସୀ ଭୋଟ ବ୍ୟାଙ୍କ ହରାଇବା ରିସ୍କ ଥିଲା ।

ଗତ ମାସର ବିଦ୍ରୋହ ସମୟରେ ସିନ୍ଦେ ଗୋଷ୍ଠୀ କଂଗ୍ରେସ ଏବଂ ଏନସିପି ସହ ସମ୍ପର୍କ ଛିନ୍ନ କରି ଏହାର ସ୍ବାଭାବିକ ସହଯୋଗୀ ବିଜେପି ସହିତ ପୁନଃ ମେଣ୍ଟ କରିବାକୁ ଦାବି କରିଆସୁଥିଲେ। ଉଦ୍ଧବ ଠାକରେ ଏହି ଦାବିକୁ ପ୍ରତ୍ୟାଖ୍ୟାନ କରିବା ପରେ ଦଳର ଅଧିକାଂଶ ବିଧାୟକ ସିନ୍ଦେଙ୍କ ଆଡ଼କୁ ଢଳିଥିଲେ । ଫଳରେ ଉଦ୍ଧବଙ୍କୁ ମୁଖ୍ୟମନ୍ତ୍ରୀ ପଦରୁ ଇସ୍ତଫା ଦେବାକୁ ପଡିଥିଲା । ଇସ୍ତଫା ଦେବା ପରେ ଏକନାଥ ସିନ୍ଦେ ମହାରାଷ୍ଟ୍ରର ମୁଖ୍ୟମନ୍ତ୍ରୀ ଏବଂ ବିଜେପିର ଦେବେନ୍ଦ୍ର ଫଡନଭିସ୍ ଉପମୁଖ୍ୟମନ୍ତ୍ରୀ ଭାବେ ଶପଥ ଗ୍ରହଣ କରିଥିଲେ।

Comments are closed.