ବ୍ରିଟେନ ପ୍ରଧାନମନ୍ତ୍ରୀ ଲିଜ୍ ଟ୍ରସଙ୍କ ଆସନ ଟଳମଳ, ଅନାସ୍ଥା ପ୍ରସ୍ତାବ ଆଣିବାକୁ ୧୦୦ରୁ ଊର୍ଦ୍ଧ୍ବ ସାଂସଦଙ୍କ ପ୍ରସ୍ତୁତି

ଲଣ୍ଡନ: ବ୍ରିଟେନର ପ୍ରଧାନମନ୍ତ୍ରୀ ଭାବେ ଦାୟିତ୍ୱ ଗ୍ରହଣ କରିବାର କିଛି ଦିନ ମଧ୍ୟରେ ଲିଜ୍ ଟ୍ରସଙ୍କ ଆସନ ଟଳମଳ ହେବାରେ ଲାଗିଛି । ରିପୋର୍ଟ ଅନୁଯାୟୀ, ଡାଉନିଙ୍ଗ୍ ଷ୍ଟ୍ରିଟରୁ ଚେତାବନୀ ସତ୍ତ୍ୱେ ବ୍ରିଟିଶ ସାଂସଦମାନେ ଏହି ସପ୍ତାହରେ ପ୍ରଧାନମନ୍ତ୍ରୀ ଲିଜ୍ ଟ୍ରସଙ୍କୁ ବହିଷ୍କାର କରିବାକୁ ଅଭିଯାନ ଆରମ୍ଭ କରିପାରନ୍ତି । କଞ୍ଜର୍ଭେଟିଭ୍ ପାର୍ଟିର ୧୦୦ ରୁ ଅଧିକ ସାଂସଦ ଟ୍ରସଙ୍କ ବିରୋଧରେ ଅନାସ୍ଥା ପ୍ରସ୍ତାବ ଆଣିବା ସମ୍ଭାବନା ରହିଛି ।

ମାସେ ତଳେ ବ୍ରିଟେନର ପ୍ରଧାନମନ୍ତ୍ରୀ ଭାବେ ଦାୟିତ୍ବ ଗ୍ରହଣ କରିଥିବା ଲିଜ୍ ଟ୍ରସ୍ ଏବେ ନିଜ ଚୌକି ବଞ୍ଚାଇବା କଷ୍ଟକର ହୋଇପଡ଼ିଛି । ‘ଡେଲି ମେଲ୍’ର ଏକ ରିପୋର୍ଟ ଅନୁଯାୟୀ ଶାସକ କଞ୍ଜେର୍ଭେଟିଭ୍ ପାର୍ଟିର ୧୦୦ ରୁ ଅଧିକ ସାଂସଦ ଟ୍ରସଙ୍କ ବିରୋଧରେ ଅନାସ୍ଥା ପ୍ରସ୍ତାବକୁ ଦଳର ସଂସଦୀୟ କମିଟି ମୁଖ୍ୟ ଗ୍ରାହାମ୍ ବ୍ରାଡିଙ୍କ ସମ୍ମୁଖରେ ଉପସ୍ଥାପନ କରିଛନ୍ତି । ଏଥିସହ ସେମାନେ ଟ୍ରସଙ୍କୁ ତାଙ୍କ ‘ସମୟ ଶେଷ ହୋଇଯାଇଛି’ ବୋଲି ସଙ୍କେତ ଦେଇଛନ୍ତି ।

ଏହି ରିପୋର୍ଟରେ କୁହାଯାଇଛି ଯେ ଦଳର ସଂସଦୀୟ କମିଟିର ମୁଖ୍ୟ ଗ୍ରାହାମ ବ୍ରାଡି ସାଂସଦ ମାନଙ୍କ ଏପରି ପଦକ୍ଷେପକୁ ବିରୋଧ କରୁଛନ୍ତି। ତାଙ୍କର ଯୁକ୍ତି ହେଉଛି ଯେ ଟ୍ରସକୁ ଆଉ ଏକ ସୁଯୋଗ ଦିଆଯିବା ଉଚିତ।

ଲିଜ୍ ଟ୍ରସ୍ ନିଜ ଦଳର ସାଂସଦଙ୍କ ଏପରି ବିଦ୍ରୋହର ସମ୍ମୁଖୀନ ହେବାର ଅନେକ କାରଣ ରହିଛି | ବାସ୍ତବରେ ନିର୍ବାଚନ ପ୍ରଚାର ସମୟରେ ଟିକସ ହ୍ରାସ କରିବାକୁ ସେ ପ୍ରତିଶ୍ରୁତି ଦେଇଥିଲେ । କିନ୍ତୁ ଏହା ବର୍ତ୍ତମାନ ତାଙ୍କ ପାଇଁ ଗଳାରେ ଫାଶ ସଦୃଶ ହୋଇଛି । ଆମେରିକାର ରାଷ୍ଟ୍ରପତି ଜୋ ବାଇଡେନ୍ ମଧ୍ୟ ଲିଜଙ୍କ ଟିକସ ହ୍ରାସ ନିଷ୍ପତ୍ତିକୁ ଉପହାସ କରିଥିଲେ । ବାଇଡେନ୍ ଯୁକ୍ତି କରିଥିଲେ ଯେ ଉଚ୍ଚ ମୁଦ୍ରାସ୍ଫୀତି ସମ୍ପ୍ରତି ଏକ ବିଶ୍ବବ୍ୟାପୀ ସମସ୍ୟା। ଅର୍ଥନୀତିକୁ ସୁଧାରିବା ପାଇଁ ସେ ଦେଇଥିବା ଅଧିକାଂଶ ପ୍ରତିଶ୍ରୁତିରୁ ଟ୍ରସ୍ ଓହରି ଯାଇଥିବା ଅଭିଯୋଗ ହୋଇଛି । ଏହାଛଡ଼ା ନିକଟରେ ହୋଇଥିବା ସର୍ଭେରେ କଞ୍ଜର୍ଭେଟିଭ୍ ପାର୍ଟି ବିରୋଧୀ ଲେବର୍ ଦଳ ଠାରୁ ପଛରେ ପଡ଼ିଥିବା ଜଣାପଡ଼ିଥିଲା । ଏହା ମଧ୍ୟ ଟ୍ରସଙ୍କ ବିରୋଧରେ ବିଦ୍ରୋହ ତଥା ଦଳ ଭିତରେ ଅସନ୍ତୋଷର ଅନ୍ୟତମ କାରଣ ।

Comments are closed.