ରୁଷୀୟ ସେନା ବିରୋଧରେ ଗଣହତ୍ୟା ଅଭିଯୋଗ, ବୁଚା ସହରର ଚାରିଆଡ଼େ କୁଢ଼ କୁଢ଼ ଶବ

କିଭ୍: ଆଜି ରୁଷ-ୟୁକ୍ରେନ ଯୁଦ୍ଧର ୪୦ ତମ ଦିନ ଏବଂ ଏହି ଭୟଙ୍କର ଯୁଦ୍ଧରେ ରୁଷ ସୈନ୍ୟବାହିନୀର ଗୋଟିଏ ପରେ ଗୋଟିଏ ବର୍ବରତାର ଚିତ୍ର ସାମ୍ନାକୁ ଆସିବାର ଲାଗିଛି | ୟୁକ୍ରେନର ରାଜଧାନୀ କିଭ୍ ନିକଟରେ ଥିବା ବୁଚା ଅଞ୍ଚଳକୁ ରୁଷ କବଳରୁ ଉଦ୍ଧାର କରାଯାଇଛି ଏବଂ ଏଠାରେ ୪୧୦ ଟି ମୃତଦେହ ମିଳିଛି। ୟୁକ୍ରେନ ଅଭିଯୋଗ କରିଛି ଯେ ରୁଷ ସେନାର ଚେଚେନ୍ ସଂଗ୍ରାମୀମାନେ ବୁଚାରେ ଏକ “ଗଣହତ୍ୟା” କରିଛନ୍ତି। ବହୁଦିନ ପରେ ଯେବେ ୟୁକ୍ରେନ ସେନା ଏହି ଅଞ୍ଚଳରେ ପ୍ରବେଶ କଲେ, ‌‌ସେମାନେ ସବୁଆଡେ କୁଢ଼ କୁଢ଼ ମୃତଦେହ ପଡ଼ିଥିବା ଦେଖିଥଲେ | ଏହି ଶବଗୁଡ଼ିକର ହାତ ପଛପଟୁ ବନ୍ଧା ଯାଇଥିଲା, ଯେଉଁଥିପାଇଁ ସେମାନଙ୍କୁ ନିର୍ଯାତନା ଦିଆଯାଉଥିବାର ସନ୍ଦେହ କରାଯାଉଛି | ଏହି ଅଭିଯୋଗକୁ ରୁଷ ଅସ୍ୱୀକାର କରିଛି, କିନ୍ତୁ ବୁଚାରେ ହୃଦୟ ବିଦାରକ ଦୃଶ୍ୟମାନ ଦେଖିବାକୁ ମିଳିଛି।

ବୁଚାରେ ଏତେ ସଂଖ୍ୟକ ମୃତଦେହ ମିଳିଛି ଯେ ସେମାନଙ୍କୁ ସମାଧି ଦେବା ପାଇଁ ୪୬ ଫୁଟ ଲମ୍ବର ଗାତ ଖୋଳିବାକୁ ପଡ଼ିଛି | କିଛି ମହିଳାଙ୍କ ଶବରେ ପୋଷାକ ନଥିବା କୁହାଯାଇଛି, ଯେଉଁଥିପାଇଁ ସେମାନଙ୍କ ସହ ପାଶବିକ ଅତ୍ୟାଚାର ହୋଇଥିବା ସନ୍ଦେହ ପ୍ରକାଶ ପାଇଛି । ୟୁକ୍ରେନ ରାଷ୍ଟ୍ରପତି ଭୋଲୋଡିମିର ଜେଲେନସ୍କିଙ୍କର ଜଣେ ସହଯୋଗୀ କହିଛନ୍ତି ଯେ ୟୁକ୍ରେନ ସୈନ୍ୟମାନେ ଏପରି ମହିଳାଙ୍କ ଶବ ପାଇଛନ୍ତି ଯେଉଁ ମାନଙ୍କ ସହ ବଳାତ୍କାର ହୋଇଛି। ସେ କହିଛନ୍ତି ଯେ ବୁଚାରୁ ମିଳିଥିବା ଶବ ଗୁଡ଼ିକରେ ନିର୍ଯାତନାର କ୍ଷତ ଦେଖିବାକୁ ମିଳିଛି। ସେମାନଙ୍କ ହାତ ପଛପଟୁ ବନ୍ଧା ହୋଇଛି ଏବଂ ପଛରୁ ଗୁଳି କରାଯାଇଛି। ଜେଲେନସ୍କିଙ୍କ ମୁଖପାତ୍ର କହିଛନ୍ତି ଯେ ଏହାସବୁ ରୁଷ ସେନା ଦ୍ବାରା ହୋଇଥିବା ଯୁଦ୍ଧ ଅପରାଧ ପରି ଦେଖାଯାଉଛି।

ଅନ୍ୟପକ୍ଷରେ ୟୁରୋପର ବରିଷ୍ଠ ଅଧିକାରୀମାନେ ମଧ୍ୟ ରୁଷର ସମ୍ଭାବ୍ୟ ଯୁଦ୍ଧ ଅପରାଧର ତଦନ୍ତ ଦାବି କରିଛନ୍ତି। ୟୁରୋପୀୟ ସଂଘର ବୈଦେଶିକ ନୀତି ମୁଖ୍ୟ ଜୋସେଫ ବୋରେଲ କହିଛନ୍ତି ଯେ ରୁଷର ସୈନିକଙ୍କ ଦ୍ୱାରା କରାଯାଇଥିବା ଅତ୍ୟାଚାର ମୋତେ ଚକିତ କରିଛି। ୟୁରୋପୀୟ ସଂଘ ୟୁକ୍ରେନକୁ ଯୁଦ୍ଧ ଅପରାଧର ଦଲିଲିକରଣ କରିବାରେ ସାହାଯ୍ୟ କରିବ ଯାହା ଦ୍ଵାରା ରୁଷ ବିରୋଧରେ ଅନ୍ତର୍ଜାତୀୟ କୋର୍ଟରେ ମକଦ୍ଦମା ଚଲା ଯାଇପାରିବ।

ଅନ୍ୟପକ୍ଷରେ ବୁଚାରେ ହୋଇଥିବା ଅତ୍ୟାଚାରକୁ ରୁଷ ଅସ୍ୱୀକାର କରିଛି । ରୁଷ କହିଛି ଯେ ଆମ ସେନା କୌଣସି ସାଧାରଣ ନାଗରିକଙ୍କୁ ହତ୍ୟା କରି ନାହାନ୍ତି। ୟୁକ୍ରେନ କହିଛି ଯେ ବୁଚାରୁ ହଟିବା ପୂର୍ବରୁ ରୁଷର ସେନା ଏଭଳି ନରସଂହାର କରିଛନ୍ତି। ବୁଚା ରାଜଧାନୀ କିଭ୍ ଠାରୁ ୩୭ କିଲୋମିଟର ଦୂରରେ ଅବସ୍ଥିତ ଏବଂ ଏହି ଅଞ୍ଚଳ ପ୍ରାୟ ଏକ ମାସ ଧରି ରୁଷ ସେନାର ଚେଚେନ୍ ବିଦ୍ରୋହୀଙ୍କ ନିୟନ୍ତ୍ରଣରେ ଥିଲା |

Comments are closed.