ୟୁକ୍ରେନରେ ଏପର୍ଯ୍ୟନ୍ତ ୨୪୦ ସାଧାରଣ ନାଗରିକଙ୍କ ମୃତ୍ୟୁ: ଜାତିସଂଘ ରିପୋର୍ଟ

କିଭ୍: ୟୁକ୍ରେନ ଉପରେ ରୁଷର ଆକ୍ରମଣର ଆଜି ହେଉଛି ଚତୁର୍ଥ ଦିନ। ୟୁକ୍ରେନର ଅନେକ ସହରରେ ରୁଷ ଓ ୟୁକ୍ରେନ ସେନା ମଧ୍ୟରେ ଘମାଘୋଟ ସଂଘର୍ଷ ଜାରି ରହିଛି |

ମିଳିତ ଜାତିସଂଘର ଏକ ରିପୋର୍ଟରେ କୁହାଯାଇଛି ଯେ ୟୁକ୍ରେନରେ ଚାଲିଥିବା ଯୁଦ୍ଧରେ ଏଯାବତ୍ ଅତି କମରେ ୨୪୦ ସାଧାରଣ ନାଗରିକଙ୍କ ମୃତ୍ୟୁ ହୋଇଛି, ସେଥିମଧ୍ୟରୁ ଗୁରୁବାର ହିଁ ୬୪ ଜଣଙ୍କର ମୃତ୍ୟୁ ହୋଇଥିଲା। ପ୍ରକୃତ ମୃତ୍ୟୁ ସଂଖ୍ୟା ଆହୁରି ଅଧିକ ହେବ ବୋଲି କୁହାଯାଇଛି ।

ମିଳିତ ଜାତିସଂଘର ମାନବାଧିକାର ବିଭାଗ (ଓସିଏଚ୍ଏ) କାର୍ଯ୍ୟାଳୟରୁ ଶନିବାର ବିଳମ୍ବିତ ରାତିରେ ରୁଷ୍-ୟୁକ୍ରେନ ଯୁଦ୍ଧରେ କ୍ଷୟକ୍ଷତି ନେଇ ଏକ ରିପୋର୍ଟ ପ୍ରକାଶ କରାଯାଇଛି। ଓସିଏଚ୍ଏ ଏହା ମଧ୍ୟ କହିଛି ଯେ ଏହି ଯୁଦ୍ଧରେ ସାଧାରଣ ନାଗରିକଙ୍କ ଘର କ୍ଷତିଗ୍ରସ୍ତ ହୋଇଛି । ଯାହାଦ୍ବାରା ହଜାର ହଜାର ଲୋକ ବିଦ୍ୟୁତ୍ ଓ ପାଣିରୁ ବଞ୍ଚିତ ହୋଇଛନ୍ତି । ୟୁକ୍ରେନରେ ବିଶେଷ କରି ୟୁକ୍ରେନର ଉତ୍ତର, ପୂର୍ବ ଏବଂ ଦକ୍ଷିଣ ଭାଗରେ ମାନବୀୟ ସଙ୍କଟ ସୃଷ୍ଟି ହୋଇଛି।

ଜାତିସଂଘ ରିପୋର୍ଟରେ କୁହାଯାଇଛି ଯେ ୟୁକ୍ରେନରେ ୧୬୦,୦୦୦ରୁ ଅଧିକ ଲୋକ ନିଜ ଘର ଛାଡିଛନ୍ତି ବା ବିସ୍ଥାପିତ ହୋଇଛନ୍ତି । ଲୋକମାନେ ଏବେ ନିଜ ଜୀବନ ବଞ୍ଚାଇବା ପାଇଁ ଦେଶକୁ ଲାଗି ରହିଥିବା ଆନ୍ତର୍ଜାତୀୟ ସୀମା ଦେଇ ଦେଶ ଛାଡ଼ି ପଳାଉଛନ୍ତି ।

ୟୁକ୍ରେନ ସରକାର ଆକଳନ କରିଛନ୍ତି ଯେ ରୁଷର ଆକ୍ରମଣ ଯୋଗୁଁ ଏକ ବଡ଼ ଶରଣାର୍ଥୀ ସଙ୍କଟ ସୃଷ୍ଟି ହୋଇପାରେ। ଏହି ଯୁଦ୍ଧ ପ୍ରାୟ ୫୦ ଲକ୍ଷ ଲୋକଙ୍କୁ ଶରଣାର୍ଥୀରେ ପରିଣତ କରିଦେଇପାରେ ।

Comments are closed.