ମାନବାଧିକାର ସୁରକ୍ଷା ପରିଷଦରୁ ବିଦା ହେବ ରୁଷ ? ଜାତିସଂଘରେ ଆଜି ହେବ ଭୋଟିଂ

ନ୍ୟୁୟର୍କ: ରୁଷକୁ ଜାତିସଂଘ ମାନବାଧିକାର ସୁରକ୍ଷା ପରିଷଦରୁ ହଟାଯିବ କି ନାହିଁ ତା’ ଉପରେ ଆଜି ମିଳିତ ଜାତିସଂଘର ସାଧାରଣ ସଭାରେ ଭୋଟ ହେବ ।

ୟୁକ୍ରେନର ରାଜଧାନୀ କିଭ୍ ଉପକଣ୍ଠ ବୁଚା ସହରରେ ସାଧାରଣ ନାଗରିକଙ୍କ ଗଣହତ୍ୟାର ହୃଦୟ ବିଦାରକ ଫଟୋ ଏବଂ ଭିଡିଓ ସାମ୍ନାକୁ ଆସିବା ପରେ ମିଳିତ ଜାତିସଂଘରେ ଆମେରିକାର ରାଷ୍ଟ୍ରଦୂତ ଲିଣ୍ଡା ଥୋମାସ୍-ଗ୍ରୀନଫିଲ୍ଡ ରୁଷକୁ ୪୭ ସଦସ୍ୟ ବିଶିଷ୍ଟ ମାନବ ଅଧିକାର ପରିଷଦରୁ ହଟାଇବାକୁ ଆହ୍ବନ ଦେଇଥିଲେ ।

ବୁଚା ସହରରେ ରୁଷ ସେନାର ବର୍ବରତାକୁ ସମଗ୍ର ବିଶ୍ୱରେ ନିନ୍ଦା କରାଯାଉଛି । ରୁଷ ଉପରେ କଟକଣା ଆହୁରି କଡ଼ାକଡ଼ି କରିବାକୁ ଦାବି ହୋଇଛି। ତେବେ ରୁଷ ଏହି ସବୁ ଅଭିଯୋଗକୁ ଅସ୍ୱୀକାର କରିଛି।

ସାଧାରଣ ସଭାର ମୁଖପାତ୍ର ପାଉଲିନା କୁବିୟାକ କହିଛନ୍ତି, ୟୁକ୍ରେନ ଉପରେ ଜାତିସଂଘ ସାଧାରଣ ସଭାର ଜରୁରୀକାଳୀନ ସ୍ୱତନ୍ତ୍ର ଅଧିବେଶନ ଗୁରୁବାର ପୂର୍ବାହ୍ନ ୧୦ଟା (ଇଷ୍ଟର୍ଣ୍ଣ ଟାଇମ୍) ରେ ପୁନଃ ଆରମ୍ଭ ହେବ। ଏହାପରେ “ରୁଷକୁ ମାନବ ଅଧିକାର ପରିଷଦରୁ ନିଲମ୍ବନ ଉପରେ ଭୋଟ୍ ହେବ।

ଜାତିସଂଘ ମାନବ ଅଧିକାର ପରିଷଦ ଜେନେଭାରେ ଅବସ୍ଥିତ । ୧୯୩ ରାଷ୍ଟ୍ର ବିଶିଷ୍ଟ ଜାତିସଂଘ ମାନବାଧିକାର ସଦସ୍ୟମାନେ ସାଧାରଣ ସଭା ଦ୍ୱାରା ତିନି ବର୍ଷ ପାଇଁ ନିର୍ବାଚିତ ହୋଇଥାନ୍ତି।

Comments are closed.