ଏନଡିଏକୁ ଫେରିବେ ନୀତିଶ ! କେନ୍ଦ୍ର ମନ୍ତ୍ରୀଙ୍କ ମନ୍ତବ୍ୟ ନେଇ ଚର୍ଚ୍ଚା

ମୁମ୍ବାଇ: ପୁଣି ବିଜେପି ନେତୃତ୍ବାଧୀନ ଏନଡିଏକୁ ଫେରିବେ କି ନୀତିଶ କୁମାର ? କେନ୍ଦ୍ର ମନ୍ତ୍ରୀ ରାମଦାସ ଆଠୱଲେଙ୍କ ଏକ ମନ୍ତବ୍ୟକୁ ନେଇ ଏପରି ଚର୍ଚ୍ଚା ଜୋର୍ ଧରିଛି । ବିହାର ମୁଖ୍ୟମନ୍ତ୍ରୀ ନୀତିଶ କୁମାର ଯେକୌଣସି ସମୟରେ ଏନଡିଏକୁ ଫେରିପାରନ୍ତି ବୋଲି କେନ୍ଦ୍ର ମନ୍ତ୍ରୀ ଆଠୱଲେ କହିଛନ୍ତି। ରାମଦାସ ଆଠୱଲେ ହେଉଛନ୍ତି ରିପବ୍ଲିକାନ୍ ପାର୍ଟି ଅଫ୍ ଇଣ୍ଡିଆ (ଆରଟିଆଇ)ର ସଭାପତି। ତାଙ୍କ ଦଳ ଶାସକ ବିଜେପି ନେତୃତ୍ବାଧୀନ ଏନଡିଏର ସହଯୋଗୀ।

କେନ୍ଦ୍ର ସାମାଜିକ ନ୍ୟାୟ ଏବଂ ସଶକ୍ତିକରଣ ମନ୍ତ୍ରୀ ରାମଦାସ ଆଠୱଲେ ଏକ ଗଣମାଧ୍ୟମକୁ କହିଛନ୍ତି, ନୀତିଶ କୁମାର ପୂର୍ବରୁ ଏନଡିଏର ଅଂଶବିଶେଷ ଥିଲେ । ବିହାରରେ ଗତ ବିଧାନସଭା ନିର୍ବାଚନରେ ବିଜେପି ଅଧିକ ଆସନ ଜିତିବା ସତ୍ତ୍ୱେ ତାଙ୍କୁ ମୁଖ୍ୟମନ୍ତ୍ରୀ କରାଯାଇଥିଲା।

ବିରୋଧୀ ‘ଇଣ୍ଡିଆ’ ମେଣ୍ଟକୁ କଟାକ୍ଷ କରି କେନ୍ଦ୍ର ମନ୍ତ୍ରୀ ଆଠୱଲେ କହିଛନ୍ତି ଯେ ପ୍ରଧାନମନ୍ତ୍ରୀ ନରେନ୍ଦ୍ର ମୋଦୀଙ୍କୁ କ୍ଷମତାରୁ ହଟାଇବା ଏହାର ଏକମାତ୍ର ଏଜେଣ୍ଡା।

ନୀତୀଶ କୁମାରଙ୍କ ଜନତା ଦଳ ୟୁନାଇଟେଡ୍ (ଜେଡିୟୁ) ଅଗଷ୍ଟ ୨୦୨୨ରେ ବିଜେପି ସହ ସମ୍ପର୍କ ଛିନ୍ନ କରି ଏନଡିଏ ଠାରୁ ଅଲଗା ହୋଇଥିଲା। ପରେ ସେ ରାଷ୍ଟ୍ରୀୟ ଜନତା ଦଳ (ଆରଜେଡି) ସହିତ ମିଶି ନୂଆ ସରକାର ଗଠନ କରିଥିଲେ। ନୀତୀଶ କୁମାର ବିରୋଧୀ ଦଳଙ୍କ ମେଣ୍ଟ ”ଇଣ୍ଡିଆ’ର ଏକ ପ୍ରମୁଖ ଚେହେରା ।

କେନ୍ଦ୍ର ସାମାଜିକ ସଶକ୍ତିକରଣ ମନ୍ତ୍ରୀ ଆଠୱଲେ କହିଛନ୍ତି ଯେ ନୀତୀଶ କୁମାର ଯେକୌଣସି ସମୟରେ ଆମ ପାଖକୁ ଆସିପାରନ୍ତି। ବିରୋଧୀ ମେଣ୍ଟର ନାଁ ‘ଇଣ୍ଡିଆ’ ରଖାଯିବା ନେଇ ନୀତିଶଙ୍କ ଆପତ୍ତି ରହିଛି । ଏହାଛଡ଼ା ସଂଯୋଜକ ଓ ପ୍ରଧାନମନ୍ତ୍ରୀ ପ୍ରାର୍ଥୀ ନେଇ ବିରୋଧୀ ମେଣ୍ଟ ଭିତରେ ମତଭେଦ ରହିଛି ବୋଲି ଆଠୱଲେ ଦାବି କରିଛନ୍ତି ।

Comments are closed.