ଚାପୁଡ଼ା ବିବାଦ: ରାତିଅଧରେ କେନ୍ଦ୍ରମନ୍ତ୍ରୀ ରାଣେଙ୍କୁ ମିଳିଲା ଜାମିନ

ମୁମ୍ବାଇ: ମହାରାଷ୍ଟ୍ର ଉଦ୍ଧବ ଠାକରେଙ୍କୁ ଚାପୁଡ଼ା ମାରିବା ମନ୍ତବ୍ୟ ପାଇଁ ଗିରଫ ହୋଇଥିବା କେନ୍ଦ୍ର ମନ୍ତ୍ରୀ ନାରାୟଣ ରାଣେଙ୍କୁ ଜାମିନ ମିଳିଛି । ମଙ୍ଗଳବାର ବିଳମ୍ବିତ ରାତିରେ ମହଡ୍ ମାଜିଷ୍ଟ୍ରେଟ୍ କୋର୍ଟ ତାଙ୍କୁ ଜାମିନ ପ୍ରଦାନ କରିଛନ୍ତି । ରାଣେ ତାଙ୍କ ଜାମିନ ଆବେଦନରେ ତାଙ୍କ ବିରୋଧରେ ମାମଲା ରାଜନୈତିକ ଉଦ୍ଦେଶ୍ୟ ପ୍ରଣୋଦିତ ବୋଲି କହିବା ସହ ନିଜ ସ୍ୱାସ୍ଥ୍ୟ ସମସ୍ୟା ଦର୍ଶାଇଥିଲେ ।

ନିକଟରେ ମୋଦି କ୍ୟାବିନେଟ୍‌ରେ ସାମିଲ ହୋଇଥିବା ରାଣେ ଗିରଫ ହେବାରେ ଗତ ୨୦ ବର୍ଷରେ ପ୍ରଥମ କେନ୍ଦ୍ର ମନ୍ତ୍ରୀ । ମଙ୍ଗଳବାର ପୋଲିସ୍ ତାଙ୍କୁ ଭୋଜନ କରୁଥିବା ବେଳେ ଗିରଫ କରିଥିଲା । ଏହା ପୂର୍ବରୁ ବମ୍ବେ ହାଇକୋର୍ଟ ତାଙ୍କ ଗିରଫଦାରୀ ଉପରେ ରୋକ୍ ଲଗାଇବା ପାଇଁ ଶୀଘ୍ର ଶୁଣାଣି ନେଇ ରାଣେଙ୍କ ଆବେଦନ ଖାରଜ କରିଦେଇଥିଲେ ।

ମୁଖ୍ୟମନ୍ତ୍ରୀ ଠାକରେଙ୍କ ବିରୋଧରେ ବିବାଦୀୟ ମନ୍ତବ୍ୟ ପାଇଁ ରାଣେଙ୍କ ବିରୋଧରେ ଶିବସେନା ପକ୍ଷରୁ ଏକାଧିକ ମାମଲା ରୁଜୁ ହୋଇଥିଲା । ଗତ ସୋମବାର ବିଜେପିର ‘ଜନ ଆଶୀର୍ବାଦ ଯାତ୍ରା’ ବେଳେ ଏକ ସଭାରେ ଠାକରେଙ୍କ ଉପରେ ରାଣେଙ୍କ ମନ୍ତବ୍ୟ ବିବାଦ ସୃଷ୍ଟି କରିଥିଲା । ରାଣେ କହିଥିଲେ ଯେ, ମହାରାଷ୍ଟ୍ର ମୁଖ୍ୟମନ୍ତ୍ରୀ ସ୍ୱାଧୀନତାକୁ କେତେ ବର୍ଷ ପୂରିଲା ଜାଣି ନାହାନ୍ତି । ସ୍ୱାଧୀନତା ଦିବସ ଅବସରରେ ଭାଷଣ ଦେବା ବେଳେ ଉଦ୍ଧବ ଠାକରେ ସ୍ୱାଧୀନତାକୁ କେତେ ବର୍ଷ ପୂର୍ତ୍ତି ହେଲା କହିପାରିନଥିଲେ । ଏନେଇ ସେ ମଞ୍ଚ ଉପରେ ଉପସ୍ଥିତ ତାଙ୍କର ଜଣେ ସହଯୋଗୀଙ୍କୁ ପଚାରିଥିଲେ । ଯଦି ମୁଁ ସେଠରେ ଥାଆନ୍ତି, ତାଙ୍କୁ ଏକ ଶକ୍ତ ଚାପୁଡ଼ା ମାରିଥାନ୍ତି ।

ରାଣେଙ୍କ ଏହି ବିବାଦୀୟ ମନ୍ତବ୍ୟ ପରେ ମଙ୍ଗଳବାର ମୁମ୍ବାଇ ସମେତ ମହାରାଷ୍ଟ୍ରର ଅନେକ ସ୍ଥାନରେ ଶିବସେନା ଓ ବିଜେପି ସମର୍ଥକ ମୁହାଁମୁହିଁ ହୋଇଥିଲେ ।

Comments are closed.