ରାହୁଲ ଗାନ୍ଧୀଙ୍କ ପରେ ଟାର୍ଗେଟରେ ଅଶୋକ ଗେହଲୋଟ୍ ! କେନ୍ଦ୍ର ମନ୍ତ୍ରୀ ଶେଖାୱତଙ୍କ ମାନହାନି ଅଭିଯୋଗ ନେଇ କୋର୍ଟ ଦେଲେ ତଦନ୍ତ ନିର୍ଦ୍ଦେଶ

ନୂଆଦିଲ୍ଲୀ: ଏକ ଅପରାଧିକ ମାନହାନି ମକଦ୍ଦମା ମାମଲାରେ ଦୋଷୀ ସାବ୍ୟସ୍ତ ହୋଇ ରାହୁଲ ଗାନ୍ଧୀ ତାଙ୍କ ଲୋକସଭା ସଦସ୍ୟତା ହରାଇଛନ୍ତି । ଏବେ କଂଗ୍ରେସର ବରିଷ୍ଠ ନେତା ତଥା ରାଜସ୍ଥାନ ମୁଖ୍ୟମନ୍ତ୍ରୀ ଅଶୋକ ଗେହଲୋଟଙ୍କ ବିରୋଧରେ ମଧ୍ୟ ରୁଜୁ ହୋଇଛି ମାନହାନି ମାମଲା । ଗେହଲୋଟଙ୍କ ବିରୋଧରେ ଏହି କେସ୍ କରିଛନ୍ତି କେନ୍ଦ୍ର ମନ୍ତ୍ରୀ ଗଜେନ୍ଦ୍ର ସିଂ ଶେଖାୱତ । ଶେଖାୱତଙ୍କ ମାନହାନି ଅଭିଯୋଗ ଉପରେ ଦିଲ୍ଲୀର ଏକ କୋର୍ଟ ତଦନ୍ତ ନିର୍ଦ୍ଦେଶ ଦେଇଛନ୍ତି ।

ସଞ୍ଜୀବନୀ ଘୋଟାଲାରେ ଶେଖାୱତ ଓ ତାଙ୍କ ପରିବାର ସଦସ୍ୟଙ୍କ ସମ୍ପୃକ୍ତି ରହିଛି ବୋଲି ଗେହଲୋଟ୍ ଅଭିଯୋଗ କରିଥିଲେ । ଶେଖାୱତଙ୍କ ବିରୋଧରେ ଗେହଲୋଟଙ୍କ ଅଭିଯୋଗର ସତ୍ୟାସତ୍ୟ ତଦନ୍ତ କରିବାକୁ ଦିଲ୍ଲୀ କୋର୍ଟ ପୋଲିସକୁ ନିର୍ଦ୍ଦେଶ ଦେଇଛନ୍ତି। ଏହି ମାମଲାର ତଦନ୍ତ ଇନ୍ସପେକ୍ଟର ପାହ୍ୟାର ଅଧିକାରୀଙ୍କ ଦ୍ବାରା କରିବାକୁ କୋର୍ଟ କହିଛନ୍ତି । ଏପ୍ରିଲ ୨୫ ସୁଦ୍ଧା ତଦନ୍ତ ରିପୋର୍ଟ ଦାଖଲ କରିବାକୁ ପୋଲିସକୁ ନିର୍ଦ୍ଦେଶ ଦିଆଯାଇଛି ।

ଗେହଲୋଟଙ୍କ ବିରୋଧରେ କାର୍ଯ୍ୟାନୁଷ୍ଠାନ ଗ୍ରହଣ କରିବାକୁ କେନ୍ଦ୍ର ମନ୍ତ୍ରୀ ଶେଖାୱତ ଦିଲ୍ଲୀର ରାଉଜ୍ ଆଭେନ୍ୟୁ କୋର୍ଟରେ ମାମଲା ଦାୟର କରିଥିଲେ ।

ସଞ୍ଜୀବନୀ ଘୋଟାଲାକୁ ନେଇ ଗେହଲୋଟ୍ ଓ ଶେଖାୱତଙ୍କ ମଧ୍ୟରେ ବିବାଦ ପୁରୁଣା । ରାଜସ୍ଥାନ ସୋସାଇଟି ଆକ୍ଟ ଅନୁଯାୟୀ ୨୦୦୮ରେ ‘ସଞ୍ଜିବନୀ କ୍ରେଡିଟ୍ କୋଅପରେଟିଭ୍ ସୋସାଇଟି’ର ପଞ୍ଜୀକରଣ ହୋଇଥିଲା। ଏହା ପରେ ୨୦୧୦ରେ ଏହାକୁ ମଲ୍ଟି ଷ୍ଟେଟ୍ କୋ-ଅପରେଟିଭ୍ ସୋସାଇଟିରେ ରୂପାନ୍ତର କରାଯାଇଥିଲା | ଏଥିରେ ନିବେଶ କରୁଥିବା ଲୋକଙ୍କୁ ଉଚ୍ଚ ସୁଧ ମିଳିବ ବୋଲି ଲୋଭ ଦେଖାଯାଇଥିଲା | ଏହି ସ୍କିମରେ ଏକ ଲକ୍ଷରୁ ଅଧିକ ଲୋକ ପ୍ରାୟ ୯୦୦ କୋଟି ଟଙ୍କା ନିବେଶ କରିଥିଲେ। ତେବେ ନିବେଶକଙ୍କ ଟଙ୍କା ଭୁଲ୍ ଭାବେ ଋଣ ଆକାରରେ ଦିଆଯାଇଥିଲା ଏବଂ ସୁଧ ଆଦାୟ କରାଯାଇନଥିଲା |

ପରବର୍ତ୍ତୀ ସମୟରେ ଅନେକ ରାଜ୍ୟରେ ‘ସଞ୍ଜିବନୀ କ୍ରେଡିଟ୍ କୋଅପରେଟିଭ୍ ସୋସାଇଟି’ର ଶାଖା ଖୋଲିଥିଲା ​​। ତେବେ ନକଲି କମ୍ପାନୀ ମାଧ୍ୟମରେ ଋଣ ଜାଲିଆତି ହୋଇଥିବା ଅଭିଯୋଗ ଉଠିଥିଲା | ଏହି ସୋସାଇଟି’ର ପ୍ରଥମ ପରିଚାଳନା ନିର୍ଦ୍ଦେଶକ ବିକ୍ରମ ସିଂହ ଥିଲେ, ଯିଏକି ଏହି ଘୋଟାଲାର ମୁଖ୍ୟ ଅଭିଯୁକ୍ତ। ଏହି ପୁରା ସ୍କାମର ମାଷ୍ଟରମାଇଣ୍ଡ କୁହାଯାଉଥିବା ବିକ୍ରମ ସିଂହ ଗିରଫ ମଧ୍ୟ ହୋଇଥିଲେ। ବିକ୍ରମ ସିଂହ ଏବଂ କେନ୍ଦ୍ର ମନ୍ତ୍ରୀ ଗଜେନ୍ଦ୍ର ସିଂ ଶେଖାୱଓତଙ୍କ ମଧ୍ୟରେ ଘନିଷ୍ଠ ସମ୍ପର୍କ ରହିଛି ‌। ଉଭୟଙ୍କ ଅନେକ ଅନ୍ତରଙ୍ଗ ଫଟୋ ଭାଇରାଲ ହୋଇଥିଲା ।

Comments are closed.