ମଣିପୁର: କେନ୍ଦ୍ର ମନ୍ତ୍ରୀଙ୍କ ଘରେ ନିଆଁ ଲଗାଇ ଦେଲେ ଉତ୍ତ୍ୟକ୍ତ ଲୋକେ

ଇମ୍ଫାଲ୍‌: ମଣିପୁରରେ ଆଇନ ଶୃଙ୍ଖଳା ପରିସ୍ଥିତି ପୁଣି ଅଣାୟତ୍ତ ହୋଇପଡ଼ିଛି । ଗୁରୁବାର ବିଳମ୍ବିତ ରାତିରେ ରାଜଧାନୀ ଇମ୍ଫାଲ୍‌ରେ ପ୍ରାୟ ୧୦୦୦ରୁ ଉର୍ଦ୍ଧ୍ବ ଉତ୍ତ୍ୟକ୍ତ ଲୋକ କେନ୍ଦ୍ରମନ୍ତ୍ରୀ ଆର୍‌. କେ. ରଞ୍ଜନ ସିଂହଙ୍କ ଘରେ ବ୍ୟାପକ ଭଙ୍ଗାରୁଜା କରିବା ସହ ନିଆଁ ଲଗାଇ ଦେଇଥିବା ଜଣାପଡିଛି ।

ଇମ୍ଫାଲ୍‌ରେ କର୍ଫ୍ୟୁ ସତ୍ତ୍ବେ ଉତ୍ତ୍ୟକ୍ତ ଜନତା କ‌ୋଙ୍ଗ୍‌ବାସ୍ଥିତ କେନ୍ଦ୍ର ବୈଦେଶିକ ବ୍ୟାପାର ଓ ଶିକ୍ଷା ରାଷ୍ଟ୍ରମନ୍ତ୍ରୀଙ୍କ ବାସଭବନରେ ଆକ୍ରମଣ କରିଥିଲେ। କେନ୍ଦ୍ର ମନ୍ତ୍ରୀ ରଞ୍ଜନ ସିଂହ ସେତେବେଳ ଘରେ ନ ଥିଲେ।

ମନ୍ତ୍ରୀଙ୍କ ବାସଭବନରେ ନିୟୋଜିତ ଥିବା ଜଣେ ସୁରକ୍ଷା କର୍ମଚାରୀ କହିଛନ୍ତି ଯେ, ଉତ୍ତ୍ୟକ୍ତ ଲୋକେ ଚାରିଆଡୁ ଘେରିଯାଇ ପେଟ୍ରୋଲ୍‌ ବୋମା ଫିଙ୍ଗିଥିଲେ। ସଂଖ୍ୟା ଅଧିକ ଥିବାରୁ ସେମାନଙ୍କୁ ସମ୍ଭାଳି ପାରିଲୁ ନାହିଁ ।

ଆକ୍ରମଣକାରୀଙ୍କ ସଂଖ୍ୟା ପ୍ରାୟ ୧୨୦୦ ହେବ ବୋଲି ଏସ୍‌କର୍ଟ କମାଣ୍ଡର୍‌ ଏଲ୍‌. ଦିନେଶ୍ବର ସିଂହ କହିଛନ୍ତି ।

ମନ୍ତ୍ରୀଙ୍କ ଘର ଉପରେ ଆକ୍ରମଣ ହେବାରେ ଏହା ହେଉଛି ଦ୍ବିତୀୟ ଘଟଣା। ସୂଚନାଯୋଗ୍ୟ ରାଜ୍ୟରେ ମୈତି ସମ୍ପ୍ରଦାୟକୁ ‘ଜନଜାତି ମାନ୍ୟତା’ ଦାବିକୁ ବିରୋଧ କରି ମେ ୩ ତାରିଖରେ ମଣିପୁରରେ ଆୟୋଜିତ ‘ଟ୍ରାଇବାଲ୍‌ ସଲିଡାରିଟି ମାର୍ଚ’ ସମୟରେ ରାଜ୍ୟରେ ସଂଘର୍ଷର ସୂତ୍ରପାତ ହୋଇଥିଲା। ।

Comments are closed.