ଅତିକ୍ ଅହମ୍ମଦ ଓ ଭାଇଙ୍କୁ ହତ୍ୟା ଘଟଣାର ବିଚାର ବିଭାଗୀୟ ତଦନ୍ତ ନିର୍ଦ୍ଦେଶ, ୟୁପିର ସବୁ ଜିଲ୍ଲାରେ ୧୪୪ ଧାରା ଜାରି, ୧୭ ପୋଲିସ ସସପେଣ୍ଡ୍

ଲକ୍ଷ୍ନୌ: ପୋଲିସ ଘେରରେ ଅତିକ୍ ଅହମ୍ମଦ ଏବଂ ତାଙ୍କ ଭାଇ ଅଶରଫ ଅହମ୍ମଦଙ୍କ ହତ୍ୟା ଘଟଣାର ବିଚାର ବିଭାଗୀୟ ତଦନ୍ତ ନିର୍ଦ୍ଦେଶ ଦେଇଛନ୍ତି ଉତ୍ତର ପ୍ରଦେଶ ମୁଖ୍ୟମନ୍ତ୍ରୀ ଯୋଗୀ ଆଦିତ୍ୟନାଥ ।

ଶନିବାର ରାତିରେ ଏହି ଘଟଣା ପରେ ମୁଖ୍ୟମନ୍ତ୍ରୀ ଯୋଗୀ ଆଦିତ୍ୟନାଥ ଏକ ଉଚ୍ଚ ସ୍ତରୀୟ ବୈଠକ ଡାକିଥିଲେ । ଏହି ଘଟଣାର ତଦନ୍ତ ପାଇଁ ତିନିଜଣିଆ ବିଚାର ବିଭାଗୀୟ କମିଟି ଦ୍ବାରା କରିବାକୁ ନିର୍ଦ୍ଦେଶ ଦେଇଛନ୍ତି ମୁଖ୍ୟମନ୍ତ୍ରୀ ଆଦିତ୍ୟନାଥ।

ଅନ୍ୟପକ୍ଷରେ ପ୍ରୟାଗରାଜରେ ଘଟିଥିବା ଘଟଣା ପରେ ସମଗ୍ର ୟୁପିରେ ହାଇଆଲର୍ଟ ଜାରି କରାଯାଇଛି । ରାଜ୍ୟର ସବୁ ଜିଲ୍ଲାରେ ଧାରା ୧୪୪ ଲାଗୁ କରାଯାଇଛି | ଏହାଛଡ଼ା ସବୁ ପୋଲିସ କର୍ମଚାରୀଙ୍କ ଛୁଟି ବାତିଲ କରାଯାଇଛି । ଯେଉଁମାନେ ଛୁଟିରେ ଯାଇଥିଲେ, ସେମାନଙ୍କୁ ତୁରନ୍ତ ଡ୍ୟୁଟିରେ ଯୋଗଦେବାକୁ ନିର୍ଦ୍ଦେଶ ଦିଆଯାଇଛି ।

ଅତିକ୍ ଓ ଅଶରଫଙ୍କ ସୁରକ୍ଷାରେ ମୁତୟନ ଥିବା ୧୭ ଜଣ ପୋଲିସ କର୍ମଚାରୀଙ୍କୁ ସସପେଣ୍ଡ କରାଯାଇଛି। ଏହା ବ୍ୟତୀତ ସୁରକ୍ଷା ବ୍ୟବସ୍ଥାକୁ ଦୃଷ୍ଟିରେ ରଖି ପ୍ରୟାଗରାଜରେ ଇଣ୍ଟରନେଟ୍ ବନ୍ଦ କରାଯାଇଛି ।

ପ୍ରୟାଗରାଜର କୋଲଭିନ୍ ହସ୍ପିଟାଲ ନିକଟରେ ଶନିବାର ରାତି ପ୍ରାୟ ୧୦.୩୦ ମିନିଟରେ ପୋଲିସ ଓ ଗଣମାଧ୍ୟମ ପ୍ରତିନିଧିଙ୍କ ଉପସ୍ଥିତିରେ ଗ୍ୟାଙ୍ଗଷ୍ଟରରୁ ରାଜନେତା ବନିଥିବା ପୂର୍ବତନ ସାଂସଦ ଅତିକ୍ ଓ ତାଙ୍କ ଭାଇ ଅଶରଫଙ୍କୁ ଅତି ନିକଟରୁ ଗୁଳିକରି ହତ୍ୟା କରାଯାଇଥିଲା । ପୋଲିସ ଉଭୟଙ୍କୁ ମେଡିକାଲ ଚେକଅପ୍ ପାଇଁ ନେଉଥିଲା ବେଳେ ଏହି ଘଟଣା ଘଟିଥିଲା ‌। ପୋଲିସ ଭ୍ୟାନରୁ ଓହ୍ଲାଇ ଉଭୟ ହସ୍ପିଟାଲ ଆଡ଼କୁ ଯିବା ବେଳେ ସେମାନଙ୍କୁ ହାତକଡି ପକାଯାଇଥିଲା । ସେଠାରେ ପୂର୍ବରୁ ଉପସ୍ଥିତ କିଛି ଗଣମାଧ୍ୟମର ପ୍ରଶ୍ନର ଉତ୍ତର ଦେଉଥିବା ବେଳେ ପୋଲିସ ସୁରକ୍ଷା ଭାଙ୍ଗି ହଠାତ ଜଣେ ଯୁବକ ଅତିକଙ୍କ ମୁଣ୍ଡକୁ ପଏଣ୍ଟ ବ୍ଲାଙ୍କ ରେଞ୍ଜରୁ ଗୁଳି କରିଥିଲା । ଗୁଳିମାଡ଼ରେ ଅତିକ୍ ସେଠି ହିଁ ଟଳି ପଡ଼ିଥିଲେ । ଏହାପରେ ଆଉ ଦୁଇ ଜଣ ଯୁଵକ ଅଶରଫଙ୍କୁ ଗୁଳିମାଡ଼ କରିଥିଲେ । ତଳେ ପଡ଼ିଯବା ପରେ ମଧ୍ୟ ଆକ୍ରମଣକାରୀ ମାନେ ଉଭୟଙ୍କୁ ପ୍ରାୟ ୭ ରାଉଣ୍ଡ ଗୁଳି କରିଥିଲେ । ଘଟଣାସ୍ଥଳରେ ଅତିକ୍ ଓ ଅଶରଫଙ୍କ ମୃତ୍ୟୁ ହୋଇଥିଲା । ଏହି ପୂରା ଘଟଣା ଲାଇଭ୍ କ୍ୟାମେରାରେ କଏଦ୍ ହୋଇଯାଇଥିଲା । ଅତିକ୍ ଓ ଅଶରଫଙ୍କୁ ଗୁଳି ମାରିବା ପରେ ତିନି ଯୁବକ ‘ଜୟ ଶ୍ରୀରାମ’ ଧ୍ବନି ଦେଇଥିଲ।

ଆତତାୟୀମାନେ ସାମ୍ବାଦିକ ବେଶରେ ଆସିଥିଲେ । ଘଟଣା ପରେ ତିନି ଯୁବକ ଆତ୍ମସମର୍ପଣ କରିଥିଲେ । ସେମାନଙ୍କ ପରିଚୟ ଲଭଲେସ ତିଓ୍ବାରୀ, ସନି ଓ ଅରୁଣ ମୌର୍ଯ୍ୟ ବୋଲି ଜଣାପଡ଼ିଛି । ପୋଲିସ ସେମାନଙ୍କ ନିକଟରୁ ହତ୍ଯାରେ ବ୍ୟବହୃତ ରିଭଲଭର ସହ ଭିଡ଼ିଓ କ୍ୟାମେରା ଓ ବୁମ୍ ଜବତ କରିଥିଲା ।

ଉମେଶ ପାଲ ହତ୍ୟା ମାମଲାରେ ଉଭୟ ଅତିକ୍ ଓ ଅଶରଫ ପୋଲିସ ହାଜତରେ ଥିଲେ । ଉଭୟଙ୍କ ହାଜତ ମିଆଦ ରବିବାର ଶେଷ ହୋଇଥାନ୍ତା । ଏପ୍ରିଲ୍ ୧୩ରେ ଅତିକ୍ ଅହମ୍ମଦଙ୍କ ପୁଅ ଅସଦକୁ ପୋଲିସ ଏନକାଉଣ୍ଟର କରିଥିଲା । ଝାନସୀରେ ୟୁପି ପୋଲିସ ଏନକାଉଣ୍ଟରରେ ଅସଦ ଓ ତାର ସହଯୋଗୀ ଗୁଲାମ ନିହତ ହୋଇଥିଲେ । ଉମେଶ ପାଲ ହତ୍ୟା ପରଠୁ ଅସଦ ଫେରାର୍ ଥିଲା ।

Comments are closed.