ଚୀନ୍-ପାକିସ୍ତାନ ଉପରେ ସଂସଦରେ ରାହୁଲଙ୍କ ବୟାନ ନେଇ ଏମିତି ପ୍ରତିକ୍ରିୟା ଦେଲା ଆମେରିକା

ନୂଆଦିଲ୍ଲୀ: କଂଗ୍ରେସ ନେତା ରାହୁଲ ଗାନ୍ଧୀ ସଂସଦରେ ଦେଇଥିବା ବିବୃତ୍ତି ଉପରେ ଆମେରିକା ପ୍ରତିକ୍ରିୟା ରଖିଛି । ମୋଦି ସରକାରଙ୍କ ବୈଦେଶିକ ନୀତିକୁ ସମାଲୋଚନା କରି ରାହୁଲ ବୁଧବାର ସଂସଦରେ କହିଥିଲେ ଯେ ସରକାରଙ୍କ ପ୍ରଭାବହୀନ ବୈଦେଶିକ ନୀତି ଯୋଗୁଁ ଚୀନ୍-ପାକିସ୍ତାନ ଏକାଠି ସୀମାରେ ଛିଡ଼ା ହୋଇଛନ୍ତି’। ରାହୁଲ ଗାନ୍ଧୀଙ୍କ ଏହି ମନ୍ତବ୍ୟ ଉପରେ ପ୍ରତିକ୍ରିୟା ପ୍ରକାଶ କରି ଆମେରିକାର ବୈଦେଶିକ ବିଭାଗ ମୁଖପାତ୍ର ନେଡ୍ ପ୍ରାଇସ କହିଛନ୍ତି ଯେ “ମୁଁ ଏହି ବୟାନକୁ ସମର୍ଥନ କରିବି ନାହିଁ ।”

ପ୍ରଧାନମନ୍ତ୍ରୀ ନରେନ୍ଦ୍ର ମୋଦିଙ୍କ ଅପାରଗ ନୀତି ଯୋଗୁଁ ଚୀନ୍ ଏବଂ ପାକିସ୍ତାନ ପୂର୍ବ ଅପେକ୍ଷା ପରସ୍ପରର ଆହୁରି ନିକଟତର ହୋଇଛନ୍ତି ବୋଲି ରାହୁଲ ସଂସଦରେ କହିଥିଲେ। ରାହୁଲଙ୍କ ବିବୃତ୍ତି ନେଇ ପଚରାଯାଇଥିବା ଏକ ପ୍ରଶ୍ନର ଉତ୍ତରରେ ଆମେରିକାର ବୈଦେଶିକ ବିଭାଗ ମୁଖପାତ୍ର ନେଡ ପ୍ରାଇସ କହିଛନ୍ତି ଯେ ଏହା ପାକିସ୍ତାନ ଏବଂ ଚୀନ୍‌ର ଏକ ପ୍ରସଙ୍ଗ ଏବଂ ଏହାକୁ ସେହି ଦୁଇ ଦେଶକୁ ଛାଡି ଦିଆଯିବା ଉଚିତ। ସେ କହିଛନ୍ତି ଯେ ମୁଁ ନିଶ୍ଚିତ ଭାବରେ ଏହି (ରାହୁଲଙ୍କ) ମନ୍ତବ୍ୟକୁ ସମର୍ଥନ କରିବି ନାହିଁ।

ରାଷ୍ଟ୍ରପତିଙ୍କ ସମ୍ବୋଧନରେ ଲୋକସଭାରେ ଧନ୍ୟବାଦ ପ୍ରସ୍ତାବ ଉପରେ ଆଲୋଚନାରେ ଅଂଶଗ୍ରହଣ କରି ରାହୁଲ ପରୋକ୍ଷରେ ମୋଦି ସରକାରଙ୍କୁ ଟାର୍ଗେଟ କରିଥିଲେ। ସେ କହିଛନ୍ତି ଯେ ଦେଶକୁ ‘ସମ୍ରାଟ’ ଭଳି ଚଳାଇବା ପାଇଁ ପ୍ରୟାସ କରାଯାଉଛି। ଏହି ସରକାରଙ୍କ ନୀତି ଯୋଗୁଁ ଆଜି ଦେଶ ଆଭ୍ୟନ୍ତରୀଣ ତଥା ବାହାରେ ଏକ ବଡ଼ ବିପଦର ସମ୍ମୁଖୀନ ହୋଇଛି। ସେ ଆହୁରି ମଧ୍ୟ ଦାବି କରିଥିଲେ ଯେ କେନ୍ଦ୍ର ସରକାରଙ୍କ ନୀତି ଯୋଗୁଁ ଆଜି ଚୀନ୍ ଏବଂ ପାକିସ୍ତାନ ଏକାଠି ହୋଇଛନ୍ତି।

ରାହୁଲ ଗାନ୍ଧୀ କହିଥିଲେ, ଆପଣ ବିପଦ ସହ ଖେଳୁଛନ୍ତି। ମୋର ପରାମର୍ଶ ଆପଣ ଥୟ ହୁଅନ୍ତୁ। “ସୀମାରେ ଚୀନ୍‌ର ଆକ୍ରମଣାତ୍ମକ ଆଭିମୁଖ୍ୟ ଏବଂ ପାକିସ୍ତାନ ସୀମା ସହ ଜଡିତ ଆହ୍ବାନ ନେଇ ସେ କହିଥିଲେ ଯେ ଆପଣ ଏହି ବିପଦକୁ ହାଲୁକା ଭାବେ ନେଉ ନାହାନ୍ତି। ଆପଣ ଚୀନ୍ ଏବଂ ପାକିସ୍ତାନକୁ ଏକାଠି କରିଛନ୍ତି | ମୋର କୌଣସି ସନ୍ଦେହ ନାହିଁ ଯେ ଚୀନ୍‌ର ଏକ ସ୍ପଷ୍ଟ ଯୋଜନା ଅଛି। ଡୋକଲାମ ଏବଂ ଲଦାଖରେ ଏହାର ମୂଳଦୁଆ ପଡିସାରିଛି | ଏହା ଦେଶ ପାଇଁ ଏକ ବଡ଼ ବିପଦ। ଆପଣ ଜମ୍ମୁକାଶ୍ମୀର ଏବଂ ବୈଦେଶିକ ନୀତିରେ ବହୁତ ବଡ଼ ରଣନୀତିକ ତ୍ରୁଟି କରିଛନ୍ତି |

ରାହୁଲ ଗାନ୍ଧୀ ଅଭିଯୋଗ କରିଥିଲେ ଯେ ଏହି ସରକାର ଦୁଇଟି ହିନ୍ଦୁସ୍ତାନ ସୃଷ୍ଟି କରିଛନ୍ତି, ଗୋଟିଏ ଧନୀମାନଙ୍କ ପାଇଁ ଏବଂ ଅନ୍ୟଟି ଗରିବଙ୍କ ପାଇଁ। ରାହୁଲ ମଧ୍ୟ ଦାବି କରିଥିଲେ ଯେ ଦେଶ ସମ୍ମୁଖୀନ ହେଉଥିବା ପ୍ରମୁଖ ଚ୍ୟାଲେଞ୍ଜ ସମ୍ପର୍କରେ ରାଷ୍ଟ୍ରପତି ଅଭିଭାଷଣରେ ଉଲ୍ଲେଖ କରାଯାଇ ନାହିଁ।

Comments are closed.