ଚୀନ୍‌ର ଗୁଇନ୍ଦା ବେଲୁନ୍‌କୁ ମିସାଇଲ ମାଡ଼ କରି ଖସାଇଲା ଆମେରିକା, ଚୀନର ଚେତାବନୀ

ଓ୍ୱାଶିଂଟନ: ଆମେରିକା ଚୀନ୍‌ର ଗୁଇନ୍ଦା ବେଲୁନ୍‌କୁ ଶେଷରେ ମିସାଇଲ ମାଡ଼କରି ଖସାଇ ଦେଇଛି। ଆମେରିକାର ଏପରି କାର୍ଯ୍ୟାନୁଷ୍ଠାନକୁ ଚୀନ୍‌ ବିରୋଧ କରିଛି । ଚୀନ୍‌ର ବୈଦେଶିକ ମନ୍ତ୍ରଣାଳୟ କହିଛି ଯେ ବେଲୁନ୍‌କୁ ଟାର୍ଗେଟ କରି ଆମେରିକା ଆନ୍ତର୍ଜାତୀୟ ନିୟମ ଉଲ୍ଲଂଘନ କରିଛି ।

ଆମେରିକା ଏକ କ୍ଷେପଣାସ୍ତ୍ର ଦ୍ବାରା କାରୋଲିନା ସ୍ଥିତ ଆଟଲାଣ୍ଟିକ ମହାସାଗର ଉପକୂଳ ନିକଟରେ ଚୀନର ଏହି ବିଶାଳ ସ୍ପାଏ ବେଲୁନକୁ ମିସାଇଲ ମାଡ଼କରି ଖସାଇ ଦେଇଥିଲା |

ଏହା ଏକ ବେସାମରିକ ବେଲୁନ୍‌ ବୋଲି ଦାବି କରି ଚୀନ୍ ଆମେରିକାର ଏହି ପଦକ୍ଷେପରେ ଅସନ୍ତୋଷ ପ୍ରକାଶ କରିଛି। ଚୀନ୍ ବୈଦେଶିକ ମନ୍ତ୍ରଣାଳୟ କହିଛି ଯେ ଆମେରିକା ଏହି ଘଟଣାରେ ଶାନ୍ତ, ପେସାଦାର ଏବଂ ସଂଯମତାର ସହ କାର୍ଯ୍ୟ କରିବା ଉଚିତ ଥିଲା । ଆମେରିକାକୁ ଚେତାବନୀ ଦେଇ ଚୀନ୍ କହିଛି ଯେ ଚୀନ୍ ଏହାର ସ୍ୱାର୍ଥକୁ ଦୃଢ ଭାବେ ରକ୍ଷା କରିବ।

ବେଲୁନ୍ ଗୁଳିକରି ଖସାଇ ଆମେରିକା ଆନ୍ତର୍ଜାତୀୟ ନିୟମକୁ ଉଲ୍ଲଂଘନ କରିଛି ବୋଲି ମଧ୍ୟ ଚୀନ୍ ଅଭିଯୋଗ କରିଛି । ଆବଶ୍ୟକ ପଡ଼ିଲେ ଏହାର ଜବାବ ଦିଆଯିବ ବୋଲି ମଧ୍ୟ ଚୀନ୍ ଚେତାବନୀ ଦେଇଛି ।

ଉଲ୍ଲେଖଯୋଗ୍ୟ, ଆମେରିକାର ଆକାଶରେ ଶୁକ୍ରବାର ଚୀନର ଏହି ବିଶାଳକାୟ ଗୁଇନ୍ଦା ବେଲୁନ ଠାବ ହୋଇଥିଲା । ଏହି ବେଲୁନ୍ ଆମେରିକାର ଅତି ସମ୍ବେଦନଶୀଳ ପରମାଣୁ ସାଇଟ ଉପରେ ଉଡୁଥିବା ଦେଖିବାକୁ ମିଳିଥିଲା । ଏହି ବେଲୁନ୍ ମାଧ୍ୟମରେ ଚୀନ୍ ଗୁପ୍ତଚର କରୁଛି ବୋଲି ପେଣ୍ଟାଗନ୍ ଦାବି କରିଥିଲା। ଏହି ବେଲୁନ ତିନୋଟି ବସର ଆକାର ହେବ ବୋଲି କୁହାଯାଇଥିଲା ।

ଆମେରିକାର ରାଷ୍ଟ୍ରପତି ଜୋ ବାଇଡେନ୍ ବୁଧବାର ବେଲୁନ୍‌କୁ ଗୁଳିକରି ଖସାଇବାକୁ ନିର୍ଦ୍ଦେଶ ଦେଇଥିଲେ ।‌ କିନ୍ତୁ ତଳେ ସାଧାରଣ ନାଗରିକଙ୍କ ସୁରକ୍ଷା ନିଶ୍ଚିତ ନହେବା ପର୍ଯ୍ୟନ୍ତ ପେଣ୍ଟାଗନ୍‌ ଅପେକ୍ଷା କ ରିବାକୁ ପରାମର୍ଶ ଦେଇଥିଲା କାରଣ ବେଲୁନ୍‌ର ଭଗ୍ନାବଶେଷ ଯୋଗୁଁ ତଳେ ଥିବା ଲୋକଙ୍କ ପ୍ରତି ବିପଦ ସୃଷ୍ଟି କରିଥାନ୍ତା । ଶନିବାର ଆମେରିକୀୟ ଏଫ୍-୨୨ ଯୁଦ୍ଧ ବିମାନ ସହ କାରୋଲିନା ଉପକୂଳ ନିକଟରେ ଚୀନର ଏହି ଗୁଇନ୍ଦା ବେଲୁନ୍‌କୁ ଗୁଳି କରି ଖସାଇ ଦେଇଥିଲା । ରାଷ୍ଟ୍ରପତି ବାଇଡେନ୍ ଏଥିପାଇଁ ପେଣ୍ଟାଗନଙ୍କୁ ଅଭିନନ୍ଦନ ଜଣାଇଛନ୍ତି।

Comments are closed.