ବନ୍ଦେ ଭାରତ ଏକ୍ସପ୍ରେସ ପୁଣି ଦୁର୍ଘଟଣାଗ୍ରସ୍ତ, ଷଣ୍ଢକୁ ଧକ୍କା ଦେବା ପରେ ସମ୍ମୁଖଭାଗ ଭାଙ୍ଗିଲା

ମୁମ୍ବାଇ: ମାସକ ମଧ୍ୟରେ ବନ୍ଦେ ଭାରତ ଏକ୍ସପ୍ରେସ ତୃତୀୟ ଥର ଦୁର୍ଘଟଣାଗ୍ରସ୍ତ ହୋଇଛି। ଏକ ଷଣ୍ଢକୁ ଧକ୍କା ଦେବା ପରେ ଏହି ସେମି ହାଇ ସ୍ପିଡ୍ ଟ୍ରେନର ସମ୍ମୁଖଭାଗ ପୁଣି ଭାଙ୍ଗି ଯାଇଛି । ସୂଚନା ଅନୁଯାୟୀ, ଏହି ଟ୍ରେନ ଶନିବାର ମୁମ୍ବାଇ-ସେଣ୍ଟ୍ରାଲରୁ ଗୁଜରାଟର ଗାନ୍ଧିନଗର ଅଭିମୁଖେ ଯାଉଥିଲା। ଏହି ଦୁର୍ଘଟଣାର ଭିଡିଓ ମଧ୍ୟ ସାମ୍ନାକୁ ଆସିଛି । ଭିଡ଼ିଓରେ ଟ୍ରେନର ସମ୍ମୁଖ ଭାଗ କ୍ଷତିଗ୍ରସ୍ତ ହୋଇଥିବା ଦେଖିବାକୁ ମିଳୁଛି |

ମୁମ୍ବାଇ ସେଣ୍ଟ୍ରାଲ ଡିଭିଜନ ଅନ୍ତର୍ଗତ ଅତୁଲ ଷ୍ଟେସନ ନିକଟରେ ବନ୍ଦେ ଭାରତ ଟ୍ରେନ ଆଗକୁ ଏକ ଷଣ୍ଢ ଚାଲି ଆସିଥିଲା । ଏହି ଘଟଣାରେ ଷଣ୍ଢର ମୃତ୍ୟୁ ଘଟିଛି। ପଶ୍ଚିମ ରେଳବାଇର ମୁଖ୍ୟ ଜନସମ୍ପର୍କ ଅଧିକାରୀ ସୁମିତ ଠାକୁର ଏକ ବିବୃତ୍ତିରେ କହିଛନ୍ତି, ଏହି ଟ୍ରେନ ମୁମ୍ବାଇ ସେଣ୍ଟ୍ରାଲରୁ ଗାନ୍ଧିନଗର ଅଭିମୁଖେ ଯାଉଥିଲା। ସକାଳ ପ୍ରାୟ ୮:୧୭ ରେ ଏହି ଘଟଣା ଘଟିଥିଲା । ତେବେ ସମସ୍ତ ଯାତ୍ରୀ ସୁରକ୍ଷିତ ଅଛନ୍ତି। ଏହି ଘଟଣା ପରେ ପ୍ରାୟ ୧୫ ମିନିଟ୍ ପାଇଁ ଟ୍ରେନ୍ ଅଟକି ରହିଥିଲା। ଟ୍ରେନର ସମ୍ମୁଖଭାଗ ସାମାନ୍ୟ ଭାଙ୍ଗିଥିବା ବେଳେ ଆଉ କୌଣସି କ୍ଷତି ହୋଇନାହିଁ | ଟ୍ରେନ୍ ସୁରୁଖୁରୁରେ ଚାଲୁଛି | ଯଥାଶୀଘ୍ର ଏହାକୁ ଠିକ୍ କରାଯିବ |

ଅକ୍ଟୋବର ପ୍ରଥମ ସପ୍ତାହରେ ମଧ୍ୟ ବନ୍ଦେ ଭାରତ ଏକ୍ସପ୍ରେସ ଦୁଇଥର ବୁଲା ଗୋରୁ ସହ ଧକ୍କା ହେବା ଘଟଣା ସାମ୍ନାକୁ ଆସିଥିଲା।

Comments are closed.