ବାରାଣସୀ ସିରିଜ୍ ବିସ୍ଫୋରଣ ମାମଲା: ଦୋଷୀ ଓ୍ବଲିଉଲ୍ଲାକୁ ମୃତ୍ୟୁଦଣ୍ଡ

ବାରାଣସୀ: ବାରାଣସୀରେ ସିରିଏଲ ବିସ୍ଫୋରଣ ମାମଲାରେ ଗାଜିଆବାଦ ଜିଲ୍ଲା ଏବଂ ସେସନ୍ସ କୋର୍ଟ ଆତଙ୍କବାଦୀ ଓ୍ବଲିଉଲ୍ଲାଙ୍କୁ ମୃତ୍ୟୁଦଣ୍ଡ ଦେଇଛନ୍ତି। ବିସ୍ଫୋରଣର ୧୬ ବର୍ଷ ପରେ ରାୟ ଆସିଛି | ୨୦୦୬ରେ ବାରାଣସୀର ସଙ୍କଟମୋଚନ ମନ୍ଦିର ଏବଂ କ୍ୟାଣ୍ଟ ରେଳ ଷ୍ଟେସନରେ ସିରିଜ୍ ବୋମା ବିସ୍ଫୋରଣ ଘଟିଥିଲା ​​| ଏଥିରେ ୧୮ ଜଣଙ୍କର ମୃତ୍ୟୁ ହୋଇଥିବା ବେଳେ ୩୫ ରୁ ଅଧିକଦ ଲୋକ ଆହତ ହୋଇଥିଲେ । ସେହିଦିନ ସନ୍ଧ୍ୟାରେ ଦଶାଶ୍ବମେଧ ଘାଟରେ ବିସ୍ଫୋରକ ସାମଗ୍ରୀ ମଧ୍ୟ ମିଳିଥିଲା।

୫ ଏପ୍ରିଲ ୨୦୦୬ରେ ବାରାଣସୀ ପୋଲିସ ଏହି ମାମଲାରେ ଆହ୍ଲାବାଦର ଫୁଲପୁର ଗାଁର ବାସିନ୍ଦା ଓ୍ବଲିଉଲ୍ଲାଙ୍କୁ ଲକ୍ଷ୍ନୌର ଗୋସାଇଙ୍ଗଞ୍ଜ ଅଞ୍ଚଳରୁ ଗିରଫ କରିଥିଲା। ୪ ଜୁନ୍ ୨୦୨୨ରେ ଓ୍ବଲିଉଲ୍ଲାଙ୍କୁ କୋର୍ଟ ଦୋଷୀ ସାବ୍ୟସ୍ତ କରିଥିଲେ।

ବାରାଣସୀର ଓକିଲମାନେ ଓ୍ବଲିଉଲ୍ଲାଙ୍କ ପାଇଁ ମାମଲା ଲଢ଼ିବାକୁ ମନା କରିଦେଇଥିଲେ। ଏହା ପରେ ଆହ୍ଲାବାଦ ହାଇକୋର୍ଟ ଏହି ମାମଲାକୁ ଗାଜିଆବାଦ ଜିଲ୍ଲା ଜଜଙ୍କ କୋର୍ଟକୁ ସ୍ଥାନାନ୍ତର କରିଥିଲେ । ସେବେଠାରୁ ଗାଜିଆବାଦର ଜିଲ୍ଲା ଜଜ୍ କୋର୍ଟରେ ଏହି ମାମଲାର ଶୁଣାଣି ଚାଲିଥିଲା।

୭ ମାର୍ଚ୍ଚ ୨୦୦୬ରେ ବାରାଣସୀର ସଙ୍କଟମୋଚନ ମନ୍ଦିର ଏବଂ ରେଲୱେ କ୍ୟାଣ୍ଟରେ ବୋମା ବିସ୍ଫୋରଣ ହୋଇଥିଲା | ଏହା ସହ ଦଶାଶ୍ବମେଧ ଘାଟରେ ଏକ ପ୍ରେସର କୁକର୍ ବୋମା ମିଳିଥିଲା ​​| ସଙ୍କଟମୋଚନ ମନ୍ଦିରରେ ବିସ୍ଫୋରଣରେ ୭ ଜଣ ଏବଂ କ୍ୟାଣ୍ଟ ଷ୍ଟେସନରେ ୧୧ ଜଣଙ୍କର ମୃତ୍ୟୁ ହୋଇଥିଲା ।

Comments are closed.