କେନ୍ଦ୍ରକୁ ପୁଣି ବରୁଣ ଗାନ୍ଧୀଙ୍କ ଟାର୍ଗେଟ, ରାସନ କାର୍ଡଧାରୀଙ୍କୁ ତ୍ରିରଙ୍ଗା କିଣିବାକୁ ବାଧ୍ୟ କରାଯାଉଥିବା ଅଭିଯୋଗ

ନୂଆଦିଲ୍ଲୀ : ମୋଦୀ ସରକାରଙ୍କ ‘ହର ଘର ତ୍ରିରଙ୍ଗା’ ଅଭିଯାନ ଉପରେ ପ୍ରଶ୍ନ ଉଠାଇ ବିଜେପି ନେତା ବରୁଣ ଗାନ୍ଧୀ ଏକ ଭିଡିଓ ଟ୍ୱିଟ୍ କରିଛନ୍ତି । ‘ହର ଘର ତ୍ରିରଙ୍ଗା’ ନାଁ ରେ ଗରିବଙ୍କ ଉପରେ ସରକାର ବୋଝ ଲଦୁଛନ୍ତି ବୋଲି ପିଲଭିଟର ଏହି ସାଂସଦ ଅଭିଯୋଗ କରିଛନ୍ତି ।

ବରୁଣ ଗାନ୍ଧୀ ଏକ ଭିଡ଼ିଓ ଟ୍ୱିଟ୍ କରି ଲେଖିଛନ୍ତି ଯେ ରାସନ କାର୍ଡ ହିତାଧିକାରୀଙ୍କୁ ତ୍ରିରଙ୍ଗା କିଣିବାକୁ ବାଧ୍ୟ କରାଯାଉଛି ନତୁବା ପତାକା ବଦଳରେ ସେମାନଙ୍କ ରାସନ ସମାଗ୍ରୀ ପରିମାଣ କାଟି ଦିଆଯାଉଛି। ପ୍ରତ୍ୟେକ ଭାରତୀୟଙ୍କ ହୃଦୟରେ ରହୁଥିବା ତ୍ରିରଙ୍ଗାର ମୂଲ୍ୟ ଗରିବ ଲୋକଙ୍କ ଦାନାରୁ ଆଦାୟ କରାଯିବା ଲଜ୍ଜାଜନକ ବୋଲି ସେ କହିଛନ୍ତି ।

ହର ଘର ତିରଙ୍ଗା ଅଭିଯାନ ଅଧୀନରେ କେନ୍ଦ୍ର ସରକାର ଲୋକଙ୍କୁ ଅଗଷ୍ଟ ୧୩ ରୁ ଅଗଷ୍ଟ ୧୫ ପର୍ଯ୍ୟନ୍ତ ପତାକା ଉତ୍ତୋଳନ କରିବାକୁ ଉତ୍ସାହିତ କରୁଛନ୍ତି। ଏହି ଅଭିଯାନ ଅଧୀନରେ ଲୋକଙ୍କୁ ୱେବସାଇଟରେ ତ୍ରିରଙ୍ଗା ସହିତ ସେଲଫି ପୋଷ୍ଟ କରିବାକୁ କୁହାଯାଇଛି।

ବରୁଣ ଗାନ୍ଧୀ ଟ୍ବିଟ୍ କରିଥିବା ଭିଡିଓରେ ଜଣେ ଗରିବ ବ୍ୟକ୍ତିଙ୍କୁ ଦେଖିବାକୁ ମିଳୁଛି । ବ୍ୟକ୍ତି ଜଣକ କହୁଛନ୍ତି ଯେ, ତ୍ରିରଙ୍ଗା ପତାକା କିଣିବାକୁ ମୋ ପାଖରେ ଟଙ୍କା ନାହିଁ, ଏହା ପରେ ମଧ୍ୟ ଏହା କିଣିବାକୁ ମୋତେ ବାଧ୍ୟ କରାଯାଉଛି।

ସେହି ସମାନ ଭିଡିଓରେ, ଜଣ ରାସନ ଡିଲର କହୁଛନ୍ତି ଯେ ଯେଉଁମାନେ ପତାକା କିଣୁ ନାହାଁନ୍ତି, ସେମାନଙ୍କୁ ରାସନ ସାମଗ୍ରୀ ନ ଦେବାକୁ ତାଙ୍କୁ ଉପର ଆଡୁ ନିର୍ଦ୍ଦେଶ ରହିଛି । ସେ କହିଛନ୍ତି ଯେ ରାସନ ନେଉଥିବା ବ୍ୟକ୍ତିଙ୍କ ପାଇଁ ପତାକା ନେବାକୁ ପଡ଼ିବ । ପତାକାର ମୂଲ୍ୟ ୨୦ ଟଙ୍କା |

ଅପରପକ୍ଷରେ ଜଣେ ମହିଳା କହୁଛନ୍ତି ଯେ ସରକାରୀ ରାସନ ଦୋକାନର ଡିଲର୍ ପତାକା ଦେବା ନାମରେ ପାଞ୍ଚ କିଲୋ ରାସନ କାଟି ଦେଇଛନ୍ତି।

ଏହି ଭିଡ଼ିଓ ହରିୟାଣା କର୍ଣ୍ଣଲ ଜିଲ୍ଲାର ହେମଡା ଗ୍ରାମରେ ବୋଲି କୁହାଯାଇଛି।

ଅନ୍ୟପକ୍ଷରେ, ଏହି ଭିଡ଼ିଓ ଭାଇରାଲ୍ ହେବା ପରେ ହରିୟାଣା ଜିଲ୍ଲା ପ୍ରଶାସନ ପକ୍ଷରୁ ଡିପୋ ଲାଇସେନ୍ସ ଧାରକଙ୍କ ବିରୋଧରେ କାର୍ଯ୍ୟାନୁଷ୍ଠାନ ଗ୍ରହଣ କରାଯାଇଛି। ସମ୍ପୃକ୍ତ ଡିପୋର ଲାଇସେନ୍ସ ତତ୍କାଳ ରଦ୍ଦ କରାଯାଇଛି |

Comments are closed.