ପାଗଳାମି ନା ଦେଶଦ୍ରୋହ? କଙ୍ଗନାଙ୍କ ‘ପ୍ରକୃତ ସ୍ବାଧୀନତା ୨୦୧୪ରେ ମିଳିଲା’ ମନ୍ତବ୍ୟକୁ ବରୁଣ ଗାନ୍ଧୀଙ୍କ ଭର୍ତ୍ସନା

ନୂଆଦିଲ୍ଲୀ: ଦେଶର ସ୍ବାଧୀନତା ନେଇ ଅଭିନେତ୍ରୀ କଙ୍ଗନା ରାନାୱତଙ୍କ ମନ୍ତବ୍ୟକୁ ବିଜେପି ସାଂସଦ ବରୁଣ ଗାନ୍ଧୀ ଦୃଢ଼ ନିନ୍ଦା କରିଛନ୍ତି । କଙ୍ଗନା କହିଥିଲେ ଯେ, ୧୯୪୭ ମସିହାରେ ମିଳିଥିବା ସ୍ୱାଧୀନତା ”ଭିକ୍ଷା” ଥିଲା । ୨୦୧୪ରେ ନରେନ୍ଦ୍ର ମୋଦି କ୍ଷମତାକୁ ଆସିବା ପରେ ଭାରତ ପ୍ରକୃତ ସ୍ୱାଧୀନତା ପାଇଥିଲା। ତାଙ୍କର ଏପରି ମନ୍ତବ୍ୟକୁ ନେଇ ବିବାଦ ସୃଷ୍ଟି ହୋଇଛି ।

ଏକ ନ୍ୟୁଜ଼ ଚ୍ୟାନେଲର ଏକ କାର୍ଯ୍ୟକ୍ରମରେ କଙ୍ଗନା ରାନାୱତ ଏଭଳି ମନ୍ତବ୍ୟ ଦେଇଥିଲେ। ସେ କହିଥିଲେ ଯେ ସ୍ୱାଧୀନତା ଭିକ୍ଷାରେ ମଗାଯାଏ ନାହିଁ । ପ୍ରକୃତ ସ୍ୱାଧୀନତା ୨୦୧୪ରେ ହାସଲ କରାଯାଇଛି।

କିଛି ଦିନ ତଳେ ମୋଦି ସରକାର କଙ୍ଗନାଙ୍କୁ ପଦ୍ମଶ୍ରୀ ପୁରସ୍କାରରେ ସମ୍ମାନିତ କରିଛନ୍ତି। ଉତ୍ତେଜନା ମୂଳକ ମନ୍ତବ୍ୟ ଯୋଗୁଁ ୩୪ ବର୍ଷୀୟା ଏହି ଅଭିନେତ୍ରୀଙ୍କୁ ଟ୍ୱିଟରରେ ବ୍ଲକ୍ କରି ଦିଆଯାଇଛି। ଏହାପୂର୍ବରୁ ମଧ୍ୟ ସେ ନିଜର ବିବାଦୀୟ ମନ୍ତବ୍ୟ ପାଇଁ ଚର୍ଚ୍ଚାରେ ରହିଆସିଛନ୍ତି।

ବରୁଣ ଗାନ୍ଧୀ, କଙ୍ଗନାଙ୍କ ବକ୍ତବ୍ୟର କ୍ଲିପ୍ ସହିତ ଟ୍ବିଟ୍ କରି ତାଙ୍କୁ ଏଭଳି ମନ୍ତବ୍ୟ ପାଇଁ ଭର୍ତ୍ସନା କରିଛନ୍ତି । ବରୁଣ କହିଛନ୍ତି, “କେବେ ମହାତ୍ମା ଗାନ୍ଧୀଙ୍କ ତ୍ୟାଗ ଓ ବଳିଦାନକୁ ଅପମାନ ତ କେବେ ତାଙ୍କ ହତ୍ୟାକାରୀକୁ ସମ୍ମାନ; ଆଉ ଏବେ ସହିଦ୍ ମଙ୍ଗଳ ପାଣ୍ଡେଙ୍କଠାରୁ ଆରମ୍ଭ କରି ରାଣୀ ଲକ୍ଷ୍ମୀବାଇ, ଭଗତ ସିଂ, ଚନ୍ଦ୍ରଶେଖର ଆଜାଦ, ନେତାଜୀ ସୁଭାଷ ଏବଂ ଲକ୍ଷ ଲକ୍ଷ ସ୍ୱାଧୀନତା ସଂଗ୍ରାମୀଙ୍କୁ ଅପମାନ ‌ | ମୁଁ ଏହି ଚିନ୍ତାଧାରାକୁ ପାଗଳାମି କହିବି ନା ଦେଶଦ୍ରୋହ ?”

ସୋସିଆଲ ମିଡିଆରେ କଙ୍ଗନାଙ୍କ ମନ୍ତବ୍ୟ ଉପରେ ତୀବ୍ର ପ୍ରତିକ୍ରିୟା ପ୍ରକାଶ ପାଇଛି। ଅନେକ ଲୋକ ଲେଖିଛନ୍ତି ଯେ କଙ୍ଗନା କିପରି ହଜାର ହଜାର ଯୋଦ୍ଧାଙ୍କ ବଳିଦାନକୁ ଭିକ୍ଷା ବୋଲି କହିପାରୁଛନ୍ତି ? ଏହାଛଡ଼ା କେହି କେହି ତାଙ୍କୁ ରାଣୀ ଲକ୍ଷ୍ମୀବାଇ ବୋଲି କହି କଙ୍ଗନାଙ୍କୁ ସମର୍ଥନ କରିଛନ୍ତି | ବରିଷ୍ଠ ଅକାଳୀ ଦଳର ନେତା ମନଜିନ୍ଦର ସିଂ ସିର୍ସା ମଧ୍ୟ ଟ୍ୱିଟ୍‌ରେ କହିଛନ୍ତି ଯେ ମାଣିକର୍ଣ୍ଣିକା ଭୂମିକାରେ ଅଭିନୟ କରିଥିବା ଜଣେ କଳାକାର କିପରି ସ୍ୱାଧୀନତାକୁ ଭିକ୍ଷା ବୋଲି କହିପାରୁଛନ୍ତି। ବହୁତ ତ୍ୟାଗ ଓ ବଳିଦାନ ପରେ ମିଳିଥିବା ସ୍ୱାଧୀନତାକୁ ଭିକ୍ଷା ବୋଲି କହିବା କଙ୍ଗନାଙ୍କ ମାନସିକ ଅଧୋପତନକୁ ଦର୍ଶାଉଛି ବୋଲି ସେ କହିଛନ୍ତି।

Comments are closed.