‘ଅଗ୍ନବୀରଙ୍କୁ ଯଦି ପେନ୍‌ସନ୍‌ ଅଧିକାର ନାହିଁ, ତାହେଲେ ସାଂସଦ, ବିଧାୟକଙ୍କୁ କାହିଁକି ଏହି ସୁବିଧା?’

ନୂଆଦିଲ୍ଲୀ: ବିଜେପି ସାଂସଦ ବରୁଣ ଗାନ୍ଧୀ ସେନାରେ ନିଯୁକ୍ତି ପାଇଁ କେନ୍ଦ୍ର ସରକାରଙ୍କ ନୂଆ “ଅଗ୍ନିପଥ ଯୋଜନା” ଉପରେ ଲଗାତାର ପ୍ରଶ୍ନ ଉଠାଇ ଆସିଛନ୍ତି । ଏହି ଯୋଜନା ଅଧୀନରେ ସେନାରେ ନିଯୁକ୍ତ ହେବାକୁ ଥିବା ସୈନିକ ବା ‘ଅଗ୍ନବୀର’ଙ୍କ ପାଇଁ ପେନ୍‌ସନ୍‌ ବ୍ୟବସ୍ଥା ନାହିଁ । ଏନେଇ ବରୁଣ କହିଛନ୍ତି ଯେ ଅଗ୍ନିବୀର ଯଦି ପେନ୍‌ସନ୍‌ ପାଇବାକୁ ହକଦାର ନୁହଁନ୍ତି, ତେବେ ସେ ସାଂସଦ ଭାବେ ତାଙ୍କ ପେନ୍‌ସନ୍‌ ଛାଡିବାକୁ ପ୍ରସ୍ତୁତ ଅଛନ୍ତି।

ସେ ଦେଶର ସବୁ ସାଂସଦ ଓ ବିଧାୟକଙ୍କୁ ପଚାରିଛନ୍ତି ଯେ କାହିଁକି ସେମାନେ ନିଜ ପେନ୍‌ସନ୍‌ ଛାଡ଼ି ଦେଉ ନାହାଁନ୍ତି ଏବଂ ‘ଅଗ୍ନିବୀର’ଙ୍କ ପାଇଁ ପେନ୍‌ସନ୍‌ ସୁବିଧା ସୁନିଶ୍ଚିତ କରୁନାହାଁନ୍ତି?

ଉଲ୍ଲେଖଯୋଗ୍ୟ ଯେ, ଭାରତୀୟ ସେନା, ନୌସେନା ଓ ବାୟୁସେନା ବିଭିନ୍ନ ପଦବୀରେ ନିଯୁକ୍ତି ପାଇଁ ପ୍ରତିରକ୍ଷା ମନ୍ତ୍ରଣାଳୟ ଆଣିଥିବା “ଅଗ୍ନିପଥ ଯୋଜନା” ଏକ ନୂଆ ଯୋଜନା | ଏହି ଯୋଜନା ଅଧୀନରେ ନିଯୁକ୍ତ ସୈନିକ ‘ଅଗ୍ନିବୀର’ ଭାବେ ପରିଚିତ ହେବେ ଏବଂ ସେମାନଙ୍କର କାର୍ଯ୍ୟକାଳ ଚାରି ବର୍ଷ ହେବ | ଅବସର ପରେ ସେ ପେନସନ ପାଇବାକୁ ହକଦାର ହେବେ ନାହିଁ।

ବର୍ତ୍ତମାନ ସେନାରେ ସମସ୍ତ ନିଯୁକ୍ତି କେବଳ “ଅଗ୍ନିପଥ ଯୋଜନା” ଅଧୀନରେ କରାଯିବ। ନିଯୁକ୍ତିର ଏହି ନୂତନ ମଡେଲ ଘୋଷଣା ହେବା ପରଠାରୁ ଦେଶର ଅନେକ ସ୍ଥାନରେ ହିଂସାତ୍ମକ ବିରୋଧ ପ୍ରଦର୍ଶନ କରାଯାଇଛି।

ବରୁଣ ଗାନ୍ଧୀ ଏକ ଟୁଇଟ୍‌ରେ କହିଛନ୍ତି ଯେ ସ୍ୱଳ୍ପ ମିଆଦି ସେବା କରିଥିବା ଅଗ୍ନିବୀର ପେନ୍‌ସନ୍‌ ପାଇବାକୁ ହକଦାର ନୁହଁନ୍ତି, ତେବେ ଜନ ପ୍ରତିନିଧୀଙ୍କ ପାଇଁ ଏହି ସୁବିଧା କାହିଁକି? ଯଦି ଜାତୀୟ ରକ୍ଷକଙ୍କ ପେନସନ୍ ପାଇବାକୁ ଅଧିକାର ନାହିଁ, ତେବେ ମୁଁ ମଧ୍ୟ ନିଜ ପେନସନ୍ ଛାଡ଼ିବାକୁ ପ୍ରସ୍ତୁତ ଅଛି | ଆମେ ବିଧାୟକ ଏବଂ ସାଂସଦମାନେ କ’ଣ ଆମର ପେନସନ୍ ଛାଡ଼ି ଅଗ୍ନବୀରଙ୍କ ପାଇଁ ପେନସନ୍ ସୁନିଶ୍ଚିତ କରିପାରିବା ନାହିଁ ?

Comments are closed.