ରାଜସ୍ଥାନ ମୁଖ୍ୟମନ୍ତ୍ରୀ ପଦକୁ ନେଇ ସସପେନ୍ସ ମଧ୍ୟରେ ଦିଲ୍ଲୀ ପହଞ୍ଚିଲେ ବସୁନ୍ଧରା, ଆଜି ଜେପି ନଡ୍ଡାଙ୍କୁ ଭେଟିବେ 

ନୂଆଦିଲ୍ଲୀ: ରାଜସ୍ଥାନ ବିଜୟର ପାଞ୍ଚ ଦିନ ପରେ ବି ମୁଖ୍ୟମନ୍ତ୍ରୀ କିଏ ହେବେ ତାହା ଠିକ୍ କରିପାରି ନାହିଁ ବିଜେପି। ଏହି ପଦ ପାଇଁ ପୂର୍ବତନ ମୁଖ୍ୟମନ୍ତ୍ରୀ ବସୁନ୍ଧରା ରାଜେ ଓ ବାବା ବାଲକନାଥଙ୍କ ସମେତ ଅନେକ ଭେଟେରାନ ନେତାଙ୍କ ନାଁ ଚର୍ଚ୍ଚା ହେଉଛି । ରାଜସ୍ଥାନ ମୁଖ୍ୟମନ୍ତ୍ରୀ ପଦକୁ ନେଇ ସସପେନ୍ସ ମଧ୍ୟରେ ବୁଧବାର ରାତିରେ ବସୁନ୍ଧରା ରାଜେ ଦିଲ୍ଲୀରେ ପହଞ୍ଚିଛନ୍ତି । ସୂଚନାନୁସାରେ, ରାଜେ ବିଜେପି ସଭାପତି ଜେପି ନଡ୍ଡାଙ୍କୁ ଆଜି ଭେଟିବା ସମ୍ଭାବନା ରହିଛି । ତେବେ ବିମାନ ବନ୍ଦରରେ ଦିଲ୍ଲୀ ଆସିବା କାରଣ ପଚରାଯିବାରୁ ସେ ଏହାକୁ ବ୍ୟକ୍ତିଗତ ଗସ୍ତ ବୋଲି କହିଥିଲେ । ସେ ତାଙ୍କ ବୋହୂଙ୍କୁ ଭେଟିବାକୁ ଆସିଛନ୍ତି ବୋଲି କହିଥିଲେ ବସୁନ୍ଧରା।

ଏହା ପୂର୍ବରୁ ବସୁନ୍ଧରା ରାଜେ ନିଜ ଶକ୍ତି ପ୍ରଦର୍ଶନ ପୂର୍ବକ ୨୦ରୁ ଅଧିକ ବିଧାୟକଙ୍କୁ ରାତ୍ରୀ ଭୋଜନ ପାଇଁ ନିଜ ବାସଭବନକୁ ନିମନ୍ତ୍ରଣ କରିଥିଲେ। ବସୁନ୍ଧରା କ୍ୟାମ୍ପ ଦାବି କରିଥିଲା ଯେ ସେମାନଙ୍କ ପାଖରେ ୬୮ ଜଣ ବିଧାୟକଙ୍କ ସମର୍ଥନ ରହିଛି। ଏହାଛଡ଼ା କିଛି ସ୍ବାଧୀନ ବିଧାୟକ ମଧ୍ୟ ତାଙ୍କ ସହ ଅଛନ୍ତି ବୋଲି ଦାବି କରାଯାଇଥିଲା।

ରାଜସ୍ଥାନ ମୁଖ୍ୟମନ୍ତ୍ରୀ ପଦ ଦୌଡ଼ରେ ଅନେକ ଦାବିଦାର ଅଛନ୍ତି । ରାଜେଙ୍କ ବ୍ୟତୀତ ବାବା ବାଲକନାଥ ମଧ୍ୟ ଏହି ପଦ ପାଇଁ ଜଣେ ମୁଖ୍ୟ ଦାବିଦାର ବୋଲି କୁହାଯାଉଛି । ଏହାଛଡ଼ା ଜୟପୁର ରାଜ ପରିବାରର ରାଜକୁମାରୀ ଦିୟା କୁମାରୀ ମଧ୍ୟ ଏହି ରେସରେ ଅଛନ୍ତି ।

ପାଞ୍ଚଟି ରାଜ୍ୟରେ ଅନୁଷ୍ଠିତ ବିଧାନସଭା ନିର୍ବାଚନରେ ବିଜେପି ତିନୋଟି ହିନ୍ଦୀ ରାଜ୍ୟ ରାଜସ୍ଥାନ, ମଧ୍ୟପ୍ରଦେଶ ଏବଂ ଛତିଶଗଡ଼ରେ ବିପୁଳ ବିଜୟ ହାସଲ କରିଛି। ଏହି ତିନି ରାଜ୍ୟରେ ଦଳ ମୁଖ୍ୟମନ୍ତ୍ରୀ ଚେହେରା ବିନା ଲଢ଼ିଥିଲା।

ଏବେ ଏହି ତିନି ରାଜ୍ୟରେ ମୁଖ୍ୟମନ୍ତ୍ରୀ ପଦକୁ ନେଇ ବିଜେପି ହାଇକମାଣ୍ଡ ଦ୍ୱନ୍ଦ୍ୱରେ ପଡ଼ିଛନ୍ତି । ଏହି ପ୍ରସଙ୍ଗରେ ବୁଧବାର ପ୍ରଧାନମନ୍ତ୍ରୀଙ୍କ ବାସଭବନରେ ପ୍ରାୟ ଚାରି ଘଣ୍ଟା ଧରି ବୈଠକ ହୋଇଥିଲା। ଏହି ତିନି ରାଜ୍ୟରେ ଦଳ ନୂଆ ଚେହେରାଙ୍କୁ ମୁଖ୍ୟମନ୍ତ୍ରୀ କରିପାରେ ବୋଲି ଚର୍ଚ୍ଚା ହେଉଛି ।

Comments are closed.