ବିଜେପିରେ ମିଶିଲେ କଂଗ୍ରେସର ବରିଷ୍ଠ ନେତା ଏକେ ଆଣ୍ଟୋନିଙ୍କ ପୁଅ

ନୂଆଦିଲ୍ଲୀ: ବରିଷ୍ଠ କଂଗ୍ରେସ ନେତା ତଥା ପୂର୍ବତନ କେନ୍ଦ୍ର ମନ୍ତ୍ରୀ ଏ.କେ ଆଣ୍ଟୋନିଙ୍କ ପୁଅ ଅନିଲ ଆଣ୍ଟୋନି ଗୁରୁବାର ବିଜେପିରେ ଯୋଗ ଦେଇଛନ୍ତି।

୨୦୦୨ ଗୁଜରାଟ ଦଙ୍ଗା ଓ ପ୍ରଧାନମନ୍ତ୍ରୀ ନରେନ୍ଦ୍ର ମୋଦୀଙ୍କ ଉପରେ ବିବିସି ଡକ୍ୟୁମେଣ୍ଟାରୀକୁ ସମାଲୋଚନା କରି ଟ୍ବିଟ୍ କରିବାରୁ ଅନିଲ ଆଣ୍ଟୋନି କଂଗ୍ରେସ ଦଳ ଭିତରେ ବିରୋଧର ସମ୍ମୁଖୀନ ହୋଇଥିଲେ । ଏଥିପାଇଁ ସେ ଜାନୁଆରୀରେ କଂଗ୍ରେସରୁ ଇସ୍ତଫା ଦେଇଥିଲେ ।

ବିଜେପି ନେତା ତଥା କେନ୍ଦ୍ର ମନ୍ତ୍ରୀ ପୀୟୁଷ ଗୋୟଲ, ଭି ମୁରଲୀଧରନ୍ ଏବଂ ଦଳର କେରଳ ମୁଖ୍ୟ କେ ସୁରେନ୍ଦ୍ରନଙ୍କ ଉପସ୍ଥିତିରେ ଆଜି ଅନିଲ ଆଣ୍ଟୋନି ବିଜେପିରେ ମିଶିଛନ୍ତି।

ବିଜେପିରେ ଯୋଗଦେବା ପରେ ଅନିଲ ଆଣ୍ଟୋନି କହିଛନ୍ତି, ଜଣେ ଭାରତୀୟ ଯୁବକ ଭାବେ ରାଷ୍ଟ୍ର ନିର୍ମାଣ ତଥା ଜାତୀୟ ଏକତା ପାଇଁ ପ୍ରଧାନମନ୍ତ୍ରୀଙ୍କ ଯେଉଁ ଦୃଷ୍ଟିକୋଣ ରହିଛି ସେଥିରେ ଯୋଗଦାନ କରିବା ମୋର ଦାୟିତ୍ବ ଏବଂ କର୍ତ୍ତବ୍ୟ ବୋଲି ମୁଁ ଅନୁଭବ କରୁଛି।

ଦଳ ଛାଡ଼ିବା ପୂର୍ବରୁ ଅନିଲ ଆଣ୍ଟୋନି କେରଳ କଂଗ୍ରେସର ସୋସିଆଲ ମିଡିଆ ସେଲ୍ ଦାୟିତ୍ବରେ ଥିଲେ।

ଅନିଲ ଆଣ୍ଟୋନିଙ୍କ ବାପା କଂଗ୍ରେସର ଜଣେ ବଡ଼ ନେତା ଏବଂ ଗାନ୍ଧୀ ପରିବାରର ବିଶ୍ୱସ୍ତ । ତେଣୁ ସେ ବିଜେପିରେ ଯୋଗଦେବା କଂଗ୍ରେସ ପାଇଁ ଏକ ବଡ଼ ଝଟକା।

ଅନ୍ୟପକ୍ଷରେ ବିଜେପି ଅନିଲ ଆଣ୍ଟୋନିଙ୍କ ଜରିଆରେ କେରଳରେ ନିଜର ଉପସ୍ଥିତିକୁ ମଜବୁତ କରିବା ସହ ଏକ ବଡ଼ ଭୋଟ୍ ବ୍ୟାଙ୍କ ବିଶେଷ କରି ଖ୍ରୀଷ୍ଟିଆନଙ୍କ ସମର୍ଥନ ହାସଲ କରିବାରେ ସଫଳ ହେବ ବୋଲି ଆଶାବାଦୀ ଅଛି।

Comments are closed.