ମହିଳା ଆଇପିଏଲ: ୯୫୧ କୋଟି ମୂଲ୍ୟରେ ମିଡ଼ିଆ ଅଧିକାର ହାତେଇଲା ଭାୟାକମ୍ ୧୮

ନୂଆଦିଲ୍ଲୀ: ଭାୟାକମ୍ ୧୮ ମହିଳା ଆଇପିଏଲର ମିଡ଼ିଆ ଅଧିକାର ହାସଲ କରିଛି | କମ୍ପାନୀ ପାଞ୍ଚ ବର୍ଷ ପାଇଁ (୨୦୨୩ ରୁ ୨୦୨୭ ପର୍ଯ୍ୟନ୍ତ) ୯୫୧ କୋଟି ମୂଲ୍ୟରେ ଏହି ଟୁର୍ଣ୍ଣାମେଣ୍ଟର ମିଡ଼ିଆ ଅଧିକାର ହାତେଇଛି | ମହିଳା ଆଇପିଏଲର ମିଡ଼ିଆ ଅଧିକାର ନିଲାମରେ କେବଳ ଭାୟାକମ୍ ୧୮ ଓ ଡିଜନି ଷ୍ଟାର୍ ସାମିଲ ହୋଇଥିଲେ ।

ବିସିସିଆଇ ସଚିବ ଜୟ ଶାହା ଏହାକୁ ମହିଳା କ୍ରିକେଟ୍ ପାଇଁ ଏକ ‘ବଡ଼ ପଦକ୍ଷେପ’ ବୋଲି କହିଛନ୍ତି। ମହିଳା ଆଇପିଏଲର ପ୍ରଥମ ସଂସ୍କରଣ ଚଳିତ ବର୍ଷ ମାର୍ଚ୍ଚରୁ ଆରମ୍ଭ ହେବ ।

ଜୟ ଶାହା ଟ୍ୱିଟରରେ ସୂଚନା ଦେଇ କହିଛନ୍ତି ଯେ ପ୍ରତ୍ୟେକ ମ୍ୟାଚ୍ ପାଇଁ ଏହି ପରିମାଣ ୭.୦୯ କୋଟି ଟଙ୍କା ହେବ । ମହିଳା ଆଇପିଏଲ ପାଇଁ ଏହା ଏକ ନୂଆ ଆରମ୍ଭ ବୋଲି ସେ କହିଛନ୍ତି ।

ଜୟ ଶାହା ଟ୍ୱିଟରରେ ଲେଖିଛନ୍ତି, “ସମାନ ପାଉଣା ପରେ ମହିଳା ଆଇପିଏଲ ପାଇଁ ମିଡିଆ ଅଧିକାର ନେଇ ଆଜିର ଟେଣ୍ଡର ଆଉ ଏକ ଇତିହାସ ସୃଷ୍ଟି କରିଛି। ଭାରତରେ ମହିଳା କ୍ରିକେଟ୍ ପାଇଁ ଏହା ଆଉ ଏକ ବଡ଼ ଏବଂ ନିର୍ଣ୍ଣାୟକ ପଦକ୍ଷେପ | ଏହା ମାଧ୍ୟମରେ ସମସ୍ତ ବୟସ ବର୍ଗର ମହିଳାମାନଙ୍କର ଅଂଶଗ୍ରହଣ ନିଶ୍ଚିତ ହେବ । ଏହା ନିଶ୍ଚିତ ଭାବେ ଭାରତୀୟ ମହିଳା କ୍ରିକେଟ ପାଇଁ ଏକ ନୂଆ ସକାଳ। “

Comments are closed.