ପଞ୍ଜାବ ନିର୍ବାଚନ: ଚ୍ୟାଲେଞ୍ଜ ଗ୍ରହଣ କଲେ ବିକ୍ରମ ସିଂ ମାଜିଥିଆ, ଅମୃତସର ଇଷ୍ଟରେ ସିଦ୍ଧୁଙ୍କୁ ଦେବେ ଟକ୍କର

ଚଣ୍ଡିଗଡ଼: ଏଥର ପଞ୍ଜାବ ବିଧାନସଭା ନିର୍ବାଚନରେ ​​ଅମୃତସର ଇଷ୍ଟ ଆସନ ଚର୍ଚ୍ଚାରେ ରହିଛି। ଏହି ଆସନରୁ ପଞ୍ଜାବ କଂଗ୍ରେସ ସଭାପତି ନବଜୋତ ସିଂ ସିଦ୍ଧୁ ପ୍ରତିଦ୍ବନ୍ଦ୍ବିତା କରୁଛନ୍ତି । ସିଦ୍ଧୁଙ୍କ ଏହା ଗଡ଼ ଭାବେ ପରିଚିତ । ତାଙ୍କୁ ଏଠାରେ ଟକ୍କର ଦେବା ପାଇଁ ଅଣ୍ଟା ଭିଡିଛନ୍ତି ଶିରୋମଣି ଅକାଳି ଦଳର ଟାଣୁଆ ନେତା ବିକ୍ରମ ସିଂ ମାଜିଥିଆ । ଏହି ଆସନରୁ ଲଢ଼ିବା ପାଇଁ ସିଦ୍ଧୁଙ୍କ ଚ୍ୟାଲେଞ୍ଜ ଗ୍ରହଣ କରିଛନ୍ତି ମାଜିଥିଆ ।

ଗୋଟିଏ ପଟେ ଚରଣଜିତ ସିଂ ଚନ୍ନିଙ୍କୁ କଂଗ୍ରେସର ମୁଖ୍ୟମନ୍ତ୍ରୀ ପ୍ରାର୍ଥୀ ଘୋଷଣା କରାଯିବା ପରେ ପଞ୍ଜାବ କଂଗ୍ରେସ ସଭାପତି ନବଜୋତ ସିଂ ସିଦ୍ଧୁଙ୍କ ବିଦ୍ରୋହୀ ସ୍ୱର ପୁଣି ଶୁଣିବାକୁ ମିଳୁଛି। ଅନ୍ୟପକ୍ଷେ ବିକ୍ରମ ସିଂ ମାଜିଥିଆ ସିଦ୍ଧୁଙ୍କୁ ​​ଅମୃତସର ଇଷ୍ଟରୁ ଆସନରୁ ଟକ୍କର ଦେବେ ବୋଲି ଘୋଷଣା କରି ପଞ୍ଜାବ ବିଧାନସଭା ନିର୍ବାଚନରେ ​​ଲୋକଙ୍କ ଉତ୍କଣ୍ଠା ବଢାଇଛନ୍ତି। ମାଜିଥିଆ ନିଜ ଗଡ଼ ଭାବେ ପରିଚିତ ମଜିଠାକୁ ଛାଡ଼ି ପୂର୍ବ ଅମୃତସର ଆସନରୁ ଲଢ଼ିବାକୁ ନିଷ୍ପତ୍ତି ନେଇଛନ୍ତି | ବର୍ତ୍ତମାନ ମାଜିଥିଆଙ୍କ ପତ୍ନୀ ମଜିଠାରୁ ପ୍ରତିଦ୍ୱନ୍ଦ୍ୱିତା କରିବେ।

ମାଜିଥିଆ ପଞ୍ଜାବର ମଜିଠା ଆସନରୁ ଲଗାତାର ଦୁଇଥର ଜିତିଛନ୍ତି। ୨୦୧୭ ବିଧାନସଭା ନିର୍ବାଚନରେ ​​ଶିରୋମଣି ଅକାଳି ଦଳର ନେତା ବିକ୍ରମ ସିଂ ମାଜିଥିଆ ଜିତିଥିଲେ। ଏହାପୂର୍ବରୁ ୨୦୦୭ରେ ମାଜିଥିଆ କଂଗ୍ରେସର ସୁଖଜିନ୍ଦର ରାଜ ସିଂଙ୍କୁ ପରାସ୍ତ କରି ଜିତିଥିଲେ। ମାଜିଥିଆ ଜଳ ଯୋଗାଣ ଏବଂ ପରିମଳ, ସୂଚନା ଏବଂ ଜନସମ୍ପର୍କ, ବିଜ୍ଞାନ, ପ୍ରଯୁକ୍ତିବିଦ୍ୟା, ପରିବେଶ, ରାଜସ୍ୱ, ଜନସମ୍ପର୍କ, ଏନଆରଆଇ ବ୍ୟାପାର ଏବଂ ଅଣ-ପାରମ୍ପରିକ ଶକ୍ତି ପରି ବିଭାଗର କ୍ୟାବିନେଟ ମନ୍ତ୍ରୀ ଭାବରେ କାର୍ଯ୍ୟ କରିଛନ୍ତି। ଏହାଛଡ଼ା ମାଜିଥିଆ ମଧ୍ୟ ଯୁବ ଅକାଳି ଦଳର ସଭାପତି ଭାବରେ ଦାୟିତ୍ବ ତୁଲାଇଥିଲେ।

Comments are closed.