ପ୍ରଫେଟ୍ ମହମ୍ମଦଙ୍କ ଉପରେ ବିଜେପି ମୁଖପାତ୍ରଙ୍କ ଆପତ୍ତିଜନକ ମନ୍ତବ୍ୟ ନେଇ କାନପୁରରେ ହିଂସା, ୩୬ ଗିରଫ

କାନପୁର: ପ୍ରଫେଟ୍ ମହମ୍ମଦଙ୍କ ଉପରେ ଅପମାନଜନକ ମନ୍ତବ୍ୟକୁ ବିରୋଧ କରି ଉତ୍ତର ପ୍ରଦେଶର କାନପୁରରେ ଶୁକ୍ରବାର ନମାଜ ପରେ ଦୁଇ ସମ୍ପ୍ରଦାୟ ଲୋକଙ୍କ ମଧ୍ୟରେ ହିଂସା ଘଟିଛି । ଉଭୟ ଗୋଷ୍ଠୀ ପରସ୍ପରକୁ ପଥର ଓ ବୋମାମାଡ଼ କରିଥିଲେ । ଏହି ମାମଲାରେ ଏପର୍ଯ୍ୟନ୍ତ ମୋଟ ୩୬ ଜଣଙ୍କୁ ଗିରଫ କରାଯାଇଥିବା ବେଳେ ତିନୋଟି ଏଫ୍ଆଇଆର୍ ରୁଜୁ କରାଯାଇଥିବା ପୋଲିସ କହିଛି ।

ଉଲ୍ଲେଖଯୋଗ୍ୟ, କିଛି ଦିନ ତଳେ ବିଜେପିର ଜାତୀୟ ମୁଖପାତ୍ର ନୁପୂର ଶର୍ମା ଏକ ନ୍ୟୁଜ ଚ୍ୟାନେଲ କାର୍ଯ୍ୟକ୍ରମରେ ପ୍ରଫେଟ୍ ମହମ୍ମଦଙ୍କ ଉପରେ ବିବାଦୀୟ ମନ୍ତବ୍ୟ ଦେଇଥିଲେ । ଏହା ବିରୋଧରେ ଏକ ନିର୍ଦ୍ଦିଷ୍ଟ ସମ୍ପ୍ରଦାୟ ଶୁକ୍ରବାର ରାଲି କରିବା ବେଳେ ଆଉ ଏକ ଗୋଷ୍ଠୀ ଆପତ୍ତି ଉଠାଇବାରୁ ହିଂସାର ସୂତ୍ରପାତ ହୋଇଥିଲା।

ପୋଲିସ ସୂତ୍ରରୁ ପ୍ରକାଶ, ଗ୍ୟାଙ୍ଗଷ୍ଟର ଆଇନ ଅନୁଯାୟୀ ସମସ୍ତ ଅଭିଯୁକ୍ତଙ୍କ ବିରୋଧରେ କାର୍ଯ୍ୟାନୁଷ୍ଠାନ ଗ୍ରହଣ କରାଯିବ । ଅଭିଯୁକ୍ତଙ୍କ ସମ୍ପତ୍ତି ଜବତ ମଧ୍ୟ କରାଯାଇ କାନପୁର ହିଂସାରେ ୧୩ ଜଣ ପୋଲିସ କର୍ମଚାରୀ ଏବଂ ଉଭୟ ପାର୍ଶ୍ୱରୁ ୩୦ ଜଣ ଆହତ ହୋଇଛନ୍ତି। ଭିଡିଓ ଫୁଟେଜ ଆଧାରରେ ଅଭିଯୁକ୍ତମାନଙ୍କୁ ଚିହ୍ନଟ କରାଯାଉଛି।

ପୋଲିସ କହିଛି ଯେ କାନପୁରର ପ୍ୟାରେଡ ସ୍କୋୟାର, ନୟା ସଡ଼କ ଏବଂ ୟତିମଖାନା ଅଞ୍ଚଳରେ ହିଂସାକାଣ୍ଡ ଘଟିଛି । ଏହିସବୁ ଅଞ୍ଚଳରେ ସୁରକ୍ଷା ବ୍ୟବସ୍ଥା କଡ଼ାକଡ଼ି କରାଯାଇଛି। ଏଥିରେ ୧୨ କମ୍ପାନୀ ଏବଂ ଗୋଟିଏ ପ୍ଲାଟୁନ୍ ପିଏସି ସାମିଲ ହୋଇଥିବା ବେଳେ ଅତିରିକ୍ତ ପୋଲିସ୍ ଫୋର୍ସ ମଧ୍ୟ ନିୟୋଜିତ କରାଯାଇଛି | ରାଷ୍ଟ୍ରପତି କୋବିନ୍ଦ ଆଜି ସକାଳ ୧୧ଟା ପର୍ଯ୍ୟନ୍ତ କାନପୁରରେ ରହିବେ | ମୁଖ୍ୟମନ୍ତ୍ରୀ ଯୋଗୀ ଆଦିତ୍ୟନାଥ କାନପୁରର କମିଶନରଙ୍କ ସହ ଫୋନରେ କଥା ହୋଇ ପରିସ୍ଥିତିର ଅନୁଧ୍ୟାନ କରିଛନ୍ତି।

Comments are closed.